ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଛତିଶଗଡ଼ର ନକ୍ସଲ ହିଂସାରେ ପୀଡ଼ିତଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

  • ନକ୍ସଲବାଦ ଉଭୟ ମାନବିକତା ଓ ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ବିପଦ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧ
  • ଯେଉଁମାନେ ନକ୍ସଲଙ୍କ ମାନବିକ ଅଧିକାରକୁ ସମର୍ଥନ କରୁଛନ୍ତି ସେମାନେ ନକ୍ସଲବାଦ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ମାନବିକ ଅଧିକାର ବିଷୟରେ ମଧ୍ୟ ବିଚାର କରିବା ଉଚିତ୍
  • ୩ ମାସ ମଧ୍ୟରେ ମୋଦୀ ସରକାର ଏବଂ ଛତିଶଗଡ଼ ସରକାର ଏଲଡବ୍ଲୁଇ ଦ୍ୱାରା ପ୍ରଭାବିତ ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ଏକ ବ୍ୟାପକ ଯୋଜନା ଆଣିବେ
  • ମୋଦୀ ସରକାରଙ୍କ ନୀତି ଯୋଗୁଁ ବାମପନ୍ଥୀ ଉଗ୍ରବାଦ ଏବେ ଛତିଶଗଡର କିଛି ଜିଲ୍ଲାରେ ସୀମିତ ରହିଛି
  • ମାର୍ଚ୍ଚ ୨୦୨୬ ସୁଦ୍ଧା ଏଲଡବ୍ଲୁଇକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବା ପରେ ବସ୍ତର ପୁଣି ଥରେ ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଏବଂ ବିକଶିତ ଅଞ୍ଚଳରେ ପରିଣତ ହେବ
  • ଏଲ୍‌ଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ନକ୍ସଲମାନଙ୍କୁ ମୋଦୀ ସରକାରଙ୍କ ବାର୍ତ୍ତା ହେଉଛି ଯିଏ ବଞ୍ଚାଇଥାଏ ସେ ହତ୍ୟା କରୁଥିବା ବ୍ୟକ୍ତିଙ୍କ ଠାରୁ ବଡ଼
  • ବାମପନ୍ଥୀ ଉଗ୍ରବାଦୀଙ୍କୁ ହିଂସା ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିବେଦନ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ଛତିଶଗଡ଼ର ନକ୍ସଲ ହିଂସାରେ ପୀଡ଼ିତଙ୍କ ସହ ଆଲୋଚନା କରିଛନ୍ତି । ବସ୍ତର ଶାନ୍ତି କମିଟି ତତ୍ତ୍ୱାବଧାନରେ ଛତିଶଗଡ଼ର ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳର ନକ୍ସଲ ହିଂସାରେ ପ୍ରଭାବିତ ହୋଇଥିବା ୫୫ ଜଣଙ୍କୁ ଏଥିରେ ସାମିଲ କରାଯାଇଥିଲା । ବସ୍ତର ଶାନ୍ତି କମିଟି ଛତିଶଗଡରେ ନକ୍ସଲ ପ୍ରଭାବିତ ଲୋକଙ୍କ ଦୁର୍ଦ୍ଦଶା ଉପରେ ଆଲୋକପାତ କରି ଏକ ଡକ୍ୟୁମେଣ୍ଟାରୀ ମଧ୍ୟ ପ୍ରଦର୍ଶିତ କରିଥିଲା । କିଛି ପୀଡ଼ିତ ନିଜ ଦୁଃଖ ଗୃହମନ୍ତ୍ରୀଙ୍କୁ ଜଣାଇଥିଲେ । ନକ୍ସଲ ହିଂସାରେ ପୀଡ଼ିତ ଲୋକଙ୍କ ସହ କଥାବାର୍ତ୍ତା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧ । ମୋଦୀ ସରକାରଙ୍କ ନୀତି ଯୋଗୁଁ ବାମପନ୍ଥୀ ଉଗ୍ରବାଦ ଏବେ ଛତିଶଗଡ଼ର କିଛି ଜିଲ୍ଲାରେ ସୀମିତ ରହିଛି । ଶ୍ରୀ ଶାହ କହିଛନ୍ତି ଯେ, ନକ୍ସଲବାଦ ଉଭୟ ମାନବିକତା ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବିପଦ । ଅମିତ ଶାହା ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ଛତିଶଗଡ଼ ସରକାର ଆଗାମୀ ତିନି ମାସ ମଧ୍ୟରେ ଏଲ୍‌ଡବ୍ଲୁଇ ଦ୍ୱାରା ପ୍ରଭାବିତ ଲୋକଙ୍କ ସାମଗ୍ରିକ ବିକାଶ ପାଇଁ ଏକ ବ୍ୟାପକ ଯୋଜନା ଆଣିବେ । ଏହି ଯୋଜନା ମାଧ୍ୟମରେ ଛତିଶଗଡ଼ ସମେତ ସମଗ୍ର ଦେଶରେ ବାମପନ୍ଥୀ ଉଗ୍ରବାଦ ଦ୍ୱାରା ପ୍ରଭାବିତ ଲୋକମାନେ ସ୍ୱାସ୍ଥ୍ୟ ସେବା ସୁବିଧା, ରୋଜଗାର ସୁଯୋଗ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାରୁ ଉପକୃତ ହେବେ ବୋଲି ସେ କହିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ ଯୋଜନା ମାଧ୍ୟମରେ ମୋଦୀ ସରକାର ନକ୍ସଲଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଯେ, ଯିଏ ବଞ୍ଚାଇଥାଏ ସିଏ ହତ୍ୟାକାରୀଙ୍କ ଠାରୁ ବଡ । କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ, ଯେଉଁମାନେ ନକ୍ସଲଙ୍କ ମାନବିକ ଅଧିକାରକୁ ସମର୍ଥନ କରୁଛନ୍ତି ସେମାନେ ନକ୍ସଲବାଦ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ମାନବିକ ଅଧିକାର ବିଷୟରେ ମଧ୍ୟ ବିଚାର କରିବା ଉଚିତ୍ । ହିଂସାର ମାର୍ଗ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ବାମପନ୍ଥୀ ଉଗ୍ରବାଦୀଙ୍କୁ ଗୃହମନ୍ତ୍ରୀ ନିବେଦନ କରିଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ବାମପନ୍ଥୀ ଉଗ୍ରବାଦର ସମ୍ପୂର୍ଣ୍ଣ ଉଚ୍ଛେଦ ପରେ ବସ୍ତର ପୁଣି ଥରେ ସୁନ୍ଦର, ଶାନ୍ତିପୂର୍ଣ୍ଣ ଏବଂ ବିକଶିତ ହେବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.