ବିଶ୍ୱ ଚାମ୍ପିୟନସିପ୍‌ରେ ରୌପ୍ୟ ଜିତି ଇତିହାସ ରଚିଲେ ନୀରଜ

ନୂଆଦିଲ୍ଲୀ : ବିଶ୍ୱ ଆଥଲେଟିକ ଚାମ୍ପିଅନସିପ୍‌ରେ ରୌପ୍ୟ ଜିତି ଆଉ ଏକ ଇତିହାସ ରଚିଛନ୍ତି ଗୋଲ୍ଡେନ ବଏ ନୀରଜ ଚୋପ୍ରା । ୨୦୦୩ ପରେ ସେ ଏହି ଚାମ୍ପିୟନସିପ୍‌ରେ ଭାରତକୁ ପ୍ରଥମ ପଦକ ପ୍ରଦାନ କରିଛନ୍ତି । ନୀରଜ ଆମେରିକାର ୟୁଗେନରେ ଅନୁଷ୍ଠିତ ଚାମ୍ପିୟନସିପ୍‌ର ଫାଇନାଲରେ ଚତୁର୍ଥ ରାଉଣ୍ଡରେ ୮୮.୧୩ ମି. ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି । ଏଥିସହ ସେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିବା ପ୍ରଥମ ଭାରତୀୟ ପୁରୁଷ ଆଥଲେଟ ପାଲଟିଛନ୍ତି । ଅପରପକ୍ଷେ ଚାମ୍ପିଅନସିପ୍‌ର ଜାଭଲିନ୍‌ ଥ୍ରୋରେ ଏଣ୍ଡରସନ ପିଟର୍ସ ୯୦.୪୬ ମିଟର ଜାଭଲିନ ଫିଙ୍ଗି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ପ୍ରକାଶ ଯେ, ୨୪ ବର୍ଷୀୟ ନୀରଜ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏବେ ବିଶ୍ୱ ଚାମ୍ପିୟନସିପରେ ମଧ୍ୟ ସେ ପଦକ ଜିତି ଭାରତ ପାଇଁ ଆଉ ଏକ ଗୌରବ ଆଣିଛନ୍ତି । ତାଙ୍କ ପୂର୍ବରୁ ପ୍ରଥମ ଭାରତୀୟ ଭାବେ ଅଞ୍ଜୁ ବବି ଜର୍ଜ ୨୦୦୩ରେ ବିଶ୍ୱ ଆଥଲେଟିକ ଚାମ୍ପିଅନସିପ୍‌ରେ ଲଙ୍ଗ ଜମ୍ପରେ ପଦକ ହାସଲ କରିଥିଲେ । ଅଞ୍ଜୁ ବବି ବ୍ରୋଞ୍ଜ ପଦକ ପାଇଥିବା ବେଳେ ୧୯ ବର୍ଷ ପରେ ସୁନାପୁଅ ନୀରଜ ଭାରତ ପାଇଁ ରୌପ୍ୟ ପଦକ ପାଇଛନ୍ତି ।

Leave A Reply

Your email address will not be published.