ତିନି ଓଡ଼ିଆଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ରାଷ୍ଟ୍ରପତି ଭବନରେ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନାଗରିକ ସମ୍ମାନ ସମାରୋହରେ ଓଡ଼ିଶାର ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ, ଡକ୍ଟର କ୍ରିଷ୍ଣା ପଟେଲଙ୍କୁ କଳା କ୍ଷେତ୍ରରେ ଏବଂ ବୈଦ୍ୟ ପଟାୟତ କୁମାର ସାହୁଙ୍କୁ କୃଷି କ୍ଷେତ୍ରରେ ଉତ୍କର୍ଷ ହାସଲ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଉଲ୍ଲେଖ ଥାଉକି ଡକ୍ଟର ଅନ୍ତର୍ଯ୍ୟାମୀ ମିଶ୍ର ଜଣେ ପ୍ରତିଷ୍ଠିତ ଓଡ଼ିଆ ସାହିତ୍ୟିକ, ବିଶିଷ୍ଟ ସ୍ତମ୍ଭକାର ଏବଂ ଗବେଷକ । ସେ ପ୍ରାୟ ପାଞ୍ଚ ଦଶନ୍ଧି ଧରି ଓଡ଼ିଆ ଭାଷା, ବ୍ୟାକରଣ, ସଂସ୍କୃତି ଓ ଇତିହାସ ଅଧ୍ୟୟନରେ ଯୋଗଦାନ ଦେଇ ଆସୁଛନ୍ତି । ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ୱେ, ସେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ପାଇଁ କ୍ରମାଗତ ଭାବେ ଭିନ୍ନ ଭିନ୍ନ ଗବେଷଣା ନିବନ୍ଧ ଓ ପୁସ୍ତକ ଲେଖିଛନ୍ତି । ଓଡ଼ିଆ ଭାଷା ଉପରେ ତାଙ୍କର ଅଧିକାଂଶ ବିଚାର, ଗବେଷଣା କାର୍ଯ୍ୟ ଏବଂ ରଚନା ଅନ୍ୟ ବୌଦ୍ଧିକ ଗବେଷଣା ବିଦ୍ୱାନ ଏବଂ ଓଡ଼ିଆ ପ୍ରେମୀଙ୍କ ଆଖି ଖୋଲିଦେଇଥିଲା । ସେହିପରି ଡକ୍ଟର କ୍ରିଷ୍ଣା ପଟେଲ ଜଣେ ଲୋକପ୍ରିୟ ଏବଂ ବହୁମୁଖୀ ଲୋକଗାୟିକା । ସେ ୧୯୭୮ମସିହାରେ ନିଜର ସର୍ବାଦୃତ ସମ୍ବଲପୁରୀ ଗୀତ ‘ରଙ୍ଗବତୀ ରଙ୍ଗବତୀ’ ମାଧ୍ୟମରେ ସମ୍ବଲପୁରୀ ଲୋକ ସଙ୍ଗୀତକୁ ସାରା ବିଶ୍ୱରେ ଲୋକପ୍ରିୟ କରାଇପାରିଥିଲେ । ସେହିପରି ପଟାୟତ କୁମାର ସାହୁ ପେସାରେ ଜଣେ ବୈଦ୍ୟ । ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବା ଏବଂ ଔଷଧୀୟ ବୃକ୍ଷ ରୋପଣ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ସେ ବିଶେଷ ଲୋକପ୍ରିୟ ।

Leave A Reply

Your email address will not be published.