ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ର ହିନ୍ଦୀ ରିମେକ୍ ନିର୍ମାଣ କରିବେ ଅନୁପମ ଖେର

ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ କଲେ ଘୋଷଣା
• ଆଇଏଫଏଫଆଇ ୫୩ରେ ପ୍ରଦର୍ଶିତ ହେଲା ପିତା-ପୁତ୍ରର ସମ୍ପର୍କକୁ ନେଇ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ପ୍ରତୀକ୍ଷା
• ଓଡ଼ିଶାବାସୀଙ୍କ ପାଇଁ ଗୌରବର ବିଷୟ : ଅନୁପମ ପଟ୍ଟନାୟକ

ନୂଆଦିଲ୍ଲୀ, (ପିଆଇବି) : ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ‘ପ୍ରତୀକ୍ଷା’ ଚଳଚ୍ଚିତ୍ରକୁ ହିନ୍ଦୀ ଭାଷାରେ ରିମେକ୍ ବା ଭାଷାନ୍ତର ଚଳଚ୍ଚିତ୍ର ନିର୍ମାଣ କରିବା ଲାଗି ଘୋଷଣା କରିଛନ୍ତି ବିଶିଷ୍ଟ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅନୁପମ ଖେର୍ । ଏଥିପାଇଁ ସେ ପ୍ରତୀକ୍ଷା ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କୁ ଏକ ଟୋକନ ଅର୍ଥରାଶି ମଧ୍ୟ ପ୍ରଦାନ କରିଛନ୍ତି । ପିତା-ପୁତ୍ରଙ୍କ ଆବେଗପୂର୍ଣ୍ଣ ସମ୍ପର୍କକୁ ନେଇ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଏ ଚଳଚ୍ଚିତ୍ର ନିର୍ମାଣର ପଛରେ ରହିଥିବା ଘଟଣାବଳୀ ମଧ୍ୟ ବେଶ ନାଟକୀୟ ଥିଲା । ପିତା-ପୁତ୍ରଙ୍କ ସମ୍ପର୍କକୁ ନେଇ କାହାଣୀ ଲେଖିବା ସମୟରେ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟ ଚଳଚ୍ଚିତ୍ରର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଜ ପିତାଙ୍କୁ ହରାଇଥିଲେ । ଏହାପରେ ସେ ଚଳଚ୍ଚିତ୍ର ନିର୍ମାଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଶେଷରେ ପରିବାର ଲୋକମାନେ ତାଙ୍କୁ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ କରିବା ଲାଗି ରାଜି କରାଇଥିଲେ । ଏବେ ଆଇଏଫଏଫଆଇ ୨୦୨୨ରେ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି । ଏ ଚଳଚ୍ଚିତ୍ରରଏକ ସ୍ବତନ୍ତ୍ର ଯାତ୍ରା ରହିଛି ।
ଲେଖକ ଗୌରହରୀ ଦାସଙ୍କ ଏକ କ୍ଷୁଦ୍ର ଗଳ୍ପକୁ ଆଧାର କରି ଚଳଚ୍ଚିତ୍ର କାହାଣୀ ପ୍ରସ୍ତୁତ କରାଯାଇଛି । ଏ ଚଳଚ୍ଚିତ୍ରର କେନ୍ଦ୍ରରେ ରହିଛନ୍ତି ସଞ୍ଜୟ ନାମକ ଜଣେ ମଧ୍ୟବିତ୍ତ ପରିବାରର ଯୁବକ ଯିଏ କି ନିଜ ପିତାଙ୍କ ଅବସର ପୂର୍ବରୁ ସରକାରୀ ଚାକିରି ଟିଏ ଖୋଜୁଛନ୍ତି । ତାଙ୍କ ପିତା ବିପିନ ଶୀଘ୍ର ଚାକିରି ଟିଏ ଖୋଜିବା ଲାଗି ତାଙ୍କୁ ବାଧ୍ୟ କରୁଛନ୍ତି । କାରଣ ସେଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଓ ପରିବାର ଉପରେ ଋଣ ବୋଝ ବଢ଼ି ଚାଲିଛି । ଏହି ସମୟରେ ସଞ୍ଜୟ ଏକ ସରକାରୀ ଯୋଜନା ସମ୍ପର୍କରେ ଜାଣିବାକୁ ପାଉଛନ୍ତି । ଏଥିରେ ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ମିଳିବାର ବ୍ୟବସ୍ଥା ରହିଛି । ହତାଶ ସଞ୍ଜୟ ନିଜ ଅସ୍ଥିର ମାନସିକ ସ୍ଥିତିକୁ ପ୍ରଶମିତ କରିବା ଲାଗି ପିତାଙ୍କ ମୃତ୍ୟୁକୁ ଅପେକ୍ଷା କରି ରହୁଛନ୍ତି । ପାରିବାରିକ କାହାଣୀ, ବିଶେଷ କରି ପିତା ପୁତ୍ରଙ୍କ ଜଟିଳ ସମ୍ପର୍କକୁ ନେଇ ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି । ଦୀପନ୍ବିତ ଦାଶ ମହାପାତ୍ର ଚଳଚ୍ଚିତ୍ରରେ ସଞ୍ଜୟ ଭୂମିକାରେ ଅଭିନୟ କରୁଛନ୍ତି । ସେ ଆଇଏଫଏଫଆଇରେ ଚଳଚ୍ଚିତ୍ରର ସ୍କ୍ରିନିଂକୁ ନେଇ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଏହା ମୋ ପାଇଁ ଏକ ବଡ଼ ମୁହୂର୍ତ୍ତ, କାରଣ ମୁଖ୍ୟ ଅଭିନେତା ଭାବେ ଏହା ମୋ ପାଇଁ ପ୍ରଥମ ଚଳଚ୍ଚିତ୍ର । କିନ୍ତୁ ଓଡ଼ିଶାବାସୀ, ବିଶେଷ କରି ବିଭିନ୍ନ ସମସ୍ୟାକୁ ନେଇ ସଂଘର୍ଷ କରୁଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏହା ଆହୁରି ବଡ଼ ମୁହୂର୍ତ୍ତ । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ କହିଛନ୍ତି ଯେ, ୧୯୯୯ ମସିହାର ମହାବାତ୍ୟା ପୂର୍ବରୁ ଓଡ଼ିଶାରେ ୧୬୦ଟି ସିନେମା ପ୍ରେକ୍ଷାଳୟ ଥିଲା । ବାତ୍ୟା ପରେ ଏହା ୧୦୦କୁ ଖସି ଆସିଲା ଏବଂ ଏବେ କୋଭିଡ ମହାମାରୀ ପରେ ରାଜ୍ୟରେ ମାତ୍ର ୬୦ଟି ପ୍ରେକ୍ଷାଳୟ ରହିଛି । ମାତ୍ର ୬୦ଟି ପ୍ରେକ୍ଷାଳୟକୁ ନେଇ ଗୋଟିଏ ଚଳଚ୍ଚିତ୍ର ଉଦ୍ୟୋଗ କିପରି ଚାଲିପାରିବ ବୋଲି ସେ ପ୍ରଶ୍ନ କରିଥିଲେ । ଅନୁପମ ପଟ୍ଟନାୟକ ମଧ୍ୟ ନିଜ ପିତାଙ୍କ ପ୍ରଥମ ଚଳଚ୍ଚିତ୍ର ବିଷୟରେ କହିଥିଲେ ଯାହାକି ଏକ ଜାତୀୟ ପୁରସ୍କାର ଜିତିଥିଲା । ଏବେ ତାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଆଇଏଫଏଫଆଇରେ ପ୍ରଦର୍ଶିତ ହେଉଛି । ଏହା ତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ଏବଂ ତାଙ୍କ ପିତାଙ୍କ ପାଇଁ ଏକ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ । ଅନୁପମ ଖେର ଏହି ଅବସରରେ ପ୍ରତୀକ୍ଷା ଚଳଚ୍ଚିତ୍ରର ରିମେକ୍‌ ପାଇଁ ଘୋଷଣା କରିବା ସହିତ ଏଥିରେ ପିତା ଭୂମିକାରେ ଅଭିନୟ କରିବା ଲାଗି ଘୋଷଣା କରିଥିଲେ । ଆଇଏଫଏଫଆଇ ଚଳଚ୍ଚିତ୍ରର ଆନନ୍ଦକୁ ଉପଭୋଗ କରିବା ଲାଗି ଏକ ମଞ୍ଚ ଯୋଗାଇ ଦେଇଛି ।

Leave A Reply

Your email address will not be published.