ଗୋଟିଏ ଘରୁ ୫ଟି ନରକଙ୍କାଳ ଉଦ୍ଧାର କଲା ପୁଲିସ

ବେଙ୍ଗାଲୁରୁ : କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲା ଅନ୍ତର୍ଗତ ଜେଲ୍‌ ରୋଡ୍‌ରେ ଅବସ୍ଥିତ ଜଣେ ଅବସରପ୍ରାପ୍ତ ଇଞ୍ଜିୟର୍‌ଙ୍କ ଘରୁ ପୁଲିସ ୫ଟି ନରକଙ୍କାଳ ଉଦ୍ଧାର କରିଛି । ଘର ସମ୍ମୁଖରେ ଖପୁରିଟିଏ ପଡ଼ିଥିବା ବିଷୟରେ ଖବର ପାଇବା ପରେ ପୁଲିସ ସେଠାରୁ ନରକଙ୍କାଳ ସବୁ ଉଦ୍ଧାର କରିଛି । କିନ୍ତୁ, ଘଟଣା କେବେ ଘଟିଛି ତାହା ଜଣାପଡ଼ି ନ ଥିଲେ ବି ପୁଲିସ ସନ୍ଦେହ କରୁଛି ଯେ, ପ୍ରାୟ ୩ ବର୍ଷ ପୂର୍ବେ ଗୋଟାଏ ପରିବାରର ୫ଜଣ ସଦସ୍ୟ ଆତ୍ମହତ୍ୟା କରିଥାଇ ପାରନ୍ତି । ଘରର ମାଲିକ ହେଉଛନ୍ତି ଅବସରପ୍ରାପ୍ତ ‘ବିଡବ୍ଲୁଡି’ ଏକ୍ଜିକ୍ୟୁଟିଭ୍‌ ଇଞ୍ଜିନିୟର୍‌ ଜଗନ୍ନାଥ ରେଡ୍ଡୀଙ୍କର । ସେଠାରେ‌ ସେ ସ୍ତ୍ରୀ ପ୍ରେମକ୍କା, ଝିଅ ତ୍ରିବେଣୀ, ପୁଅ କୃଷ୍ଣ ଓ ନରେନ୍ଦ୍ରଙ୍କ ସହିତ ରହୁଥିଲେ । ସେ ଅଞ୍ଚଳବାସୀଙ୍କ କହିବା ଅନୁସାରେ ଜଗନ୍ନାଥ ରେଡ୍ଡୀଙ୍କ ବୟସ ପ୍ରାୟ ୮୦ ବର୍ଷ ହେବ ଏବଂ ତାଙ୍କର ପୁଅଝିଅମାନେ ବାହା ହୋଇ ନ ଥିଲେ । ପଡ଼ୋଶୀମାନେ କହିଛନ୍ତି ଯେ, ସେମାନେ ଚୁପ୍‌ଚାପ୍‌ ରହୁଥିଲେ ଏବଂ କାହା ସହିତ କଥାବାର୍ତ୍ତା କରୁ ନ ଥିଲେ । ଗତ ୩ ବର୍ଷ ହେବ ସେମାନଙ୍କୁ ଦେଖି ନାହୁଁ । ଅଧାମେଲା ଥିବା କବାଟ ପାଖରେ ଖପୁରିଟିଏ ପଡ଼ିଥିବା ଦେଖି ସ୍ଥାନୀୟ ବାସିନ୍ଦା ପୁଲିସକୁ ସୁଚନା ଦେବାରୁ ଘଟଣା ଲୋକଲୋଚନକୁ ଆସିଲା । ଘରେ ପଶି ପୁଲିସ ୫ଟି ଗଳିତ ଶବ ଦେଖିଲା । ଦୁଇଟି କଙ୍କାଳ ତଳେ, ଦୁଇଟି ଖଟ ଉପରେ ଓ ଆଉ ଗୋଟାଏ ଅନ୍ୟ ଏକ କୋଠରିରେ ପଡ଼ିଥିଲା । ପୁଲିସ ଅନୁମାନ କରୁଛି ଯେ, ହୁଏତ ଚୋରମାନେ ଘରର କବାଟ ଖୋଲି ଥାଇପାରନ୍ତି । ତା’ପରେ ବୁଲା କୁକୁରମାନେ ସେ ଘରେ ପଶି ଖପୁରିଟିକୁ ଆଣି ବାହାରେ ପକାଇ ଥାଇପାରନ୍ତି । ଜଗନ୍ନାଥ ରେଡ୍ଡୀଙ୍କର ସମ୍ପର୍କୀୟ କୁହାଯାଉଥିବା ପବନ କୁମାର ନାମରେ ଜଣେ ବ୍ୟକ୍ତିଙ୍କଠାରୁ ପୁଲିସ ଅଭିଯୋଗ ଗ୍ରହଣ କରିଛି । ସେ କହିଛନ୍ତି ଯେ, ଅନେକ ବର୍ଷ ହେବ ସେ ଜଗନ୍ନାଥ ରେଡ୍ଡୀଙ୍କ ସହିତ ଯୋଗାଯୋଗ ରଖି ନ ଥିଲେ । କଙ୍କାଳ ସବୁ ଜଗନ୍ନାଥ ଓ ତାଙ୍କର ପରିବାରବର୍ଗଙ୍କର ହୋଇଥାଇ ପାରେ ବୋଲି ସେ ସନ୍ଦେହ କରୁଛନ୍ତି । ଘଟଣାର ତଦନ୍ତ କରିବା ଲାଗି ସେ ପୁଲିସକୁ ଅନୁରୋଧ କରିଛନ୍ତି । ଘରୁ ପୁଲିସ ୨୦୧୯ ମସିହାର ଗୋଟାଏ କ୍ୟାଲେଣ୍ଡର୍‌ ବି ପାଇଛି। ‘ଫୋରେନ୍‌ସିକ୍‌’ ପରୀକ୍ଷା ନିମନ୍ତେ ନରକଙ୍କାଳଗୁଡ଼ିକୁ ଡାକ୍ତରଖାନା ପଠାଇ ଦିଆଯାଇଛି ।

Leave A Reply

Your email address will not be published.