ସେରମ ଓ ଭାରତ ବାୟୋଟେକ୍‍ ପ୍ରତିଷ୍ଠାନର କରୋନା ଟିକାକୁ ଅନୁମୋଦନ ମିଳିବା ପରେ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ : କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ ଶ୍ରୀ ମୋଦୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିସିଜିଆଇ ଦ୍ୱାରା ଭାରତୀୟ ସେରମ ପ୍ରତିଷ୍ଠାନ ଏବଂ ଭାରତ ବାୟୋଟେକ୍‍ କଂପାନୀ ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଅନୁମୋଦନ ମିଳିବା ଏକ ନିର୍ଣ୍ଣାୟକ ଘଟଣା । ଏହା କରୋନା ବିରୋଧୀ ଉତ୍ସାହଜନକ ଲଢେଇକୁ ଅଧିକ ବଳ ଦେଇ ଏକ ନୂଆ ମୋଡରେ ପହଞ୍ଚାଇଛି ।

ଏ ସଂପର୍କରେ ଏକାଧିକ ଟ୍ୱିଟ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ‘ଉତ୍ସାହଜନକ ଲଢେଇକୁ ଆହୁରି ଦୃଢୀଭୂତ କରିବା ନିମନ୍ତେ ଏହା ଏକ ନିର୍ଣ୍ଣାୟକ ପଦକ୍ଷେପ । ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‍ ଇଣ୍ଡିଆ ଓ ଭାରତ ବାୟୋଟେକ୍‍ ଦ୍ୱାରା ନିର୍ମିତ ଟିକାକୁ ଡିସିଜିଆଇ ଅନୁମୋଦନ କରିବା ଫଳରେ ଅଧିକ ସୁସ୍ଥ ଏବଂ କୋଭିଡ୍‍ ମୁକ୍ତ ଭାରତ ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ଏଥିପାଇଁ ଭାରତକୁ ଅଭିନନ୍ଦନ, କଠିନ ପରିଶ୍ରମ କରୁଥିବା ଆମର ବୈଜ୍ଞାନିକ ଏବଂ ଉଦ୍ଭାବନକାରୀଙ୍କୁ ମଧ୍ୟ ଅଭିନନ୍ଦନ ।’

ସେ ଆହୁରି କହିଛନ୍ତି ଯେ ‘ଏହି ଦୁଇଟି ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିବା ଘଟଣା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ । ଏହି ଉଭୟ ଟିକା ଭାରତରେ ତିଆରି ହୋଇଛି । ଆତ୍ମନିର୍ଭର ଭାରତ ସ୍ୱପ୍ନକୁ ପୂରଣ କରିବା ପାଇଁ ଏହା ଆମ ବୈଜ୍ଞାନିକ ସମୁଦାୟଙ୍କ ଆଗ୍ରହକୁ ପ୍ରତିପାଦନ କରୁଛି । ଏହା ମୂଳରେ ରହିଛି ଯତ୍ନ ଓ ଅନୁକମ୍ପାର ଭାବନା ।’ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ‘ଚିକିତ୍ସକ, ମେଡିକାଲ କର୍ମଚାରୀ, ବୈଜ୍ଞାନିକ, ପୁଲିସ, ସଫେଇ କର୍ମଚାରୀଙ୍କ ସମେତ ସବୁ କରୋନା ଯୋଦ୍ଧାଙ୍କୁ ଆମେ ଆମର କୃତଜ୍ଞତା ପୁନର୍ବାର ଜ୍ଞାପନ କରୁଛୁ । ସେମାନେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଉଲ୍ଲେଖନୀୟ କାର୍ୟ୍ୟ କରିବାରେ ସଫଳ ହୋଇଛନ୍ତି । ଅନେକ ଜୀବନ ରକ୍ଷା କରିଥିବାରୁ ଏହି ଯୋଦ୍ଧାମାନଙ୍କ ନିକଟରେ ଆମେ ଚିରକୃତଜ୍ଞ ରହିବୁ ।’

Leave A Reply

Your email address will not be published.