ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ମନୀଷ ଦେଶାଇ

ଦିଲ୍ଲୀ, (ପିଆଇବି) : ମନୀଷ ଦେଶାଇ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପଦବୀରୁ ରାଜେଶ ମାଲହୋତ୍ରାଙ୍କ ଅବସର ପରେ ଶ୍ରୀ ଦେଶାଇ ଦାୟିତ୍ୱ ନେଇଛନ୍ତି ।

ମନୀଷ ଦେଶାଇ ହେଉଛନ୍ତି ୧୯୮୯ ବ୍ୟାଚ୍ର ଭାରତୀୟ ସୂଚନା ସେବା ଅଧିକାରୀ । ଏହା ପୂର୍ବରୁ ଶ୍ରୀ ଦେଶାଇ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ପ୍ରମୁଖ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିସାରିଛନ୍ତି । ସେ ସରକାରୀ ବିଜ୍ଞାପନ ଏବଂ ଯୋଗାଯୋଗ କାର୍ଯ୍ୟକଳାପର ତଦାରଖ କରୁଥିଲେ ।
ତିନି ଦଶନ୍ଧି ଧରି ତାଙ୍କର ଜାଜ୍ଜୁଲ୍ୟମାନ କ୍ୟାରିୟରରେ ଶ୍ରୀ ଦେଶାଇ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଚଳଚ୍ଚିତ୍ର ଡିଭିଜନର ମହାନିର୍ଦ୍ଦେଶକ, ଭାରତୀୟ ଜନସଞ୍ଚାର ସଂସ୍ଥାନର ଅତିରିକ୍ତ ମହାନିର୍ଦ୍ଦେଶକ (ପ୍ରଶାସନ ଓ ପ୍ରଶିକ୍ଷଣ), କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ଅନେକ ପଦପଦବୀରେ କାର୍ଯ୍ୟ କରିଛନ୍ତି । ଚଳଚ୍ଚିତ୍ର ଡିଭିଜନରେ ଥିବା ସମୟରେ ସେ ମୁମ୍ବାଇରେ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ପ୍ରତିଷ୍ଠା ସହିତ ଜଡିତ ଥିଲେ ।
ସେ ପିଆଇବି ମୁମ୍ବାଇରେ ଏକ ଦଶନ୍ଧିରୁ ଅଧିକ ସମୟ ଧରି କାର୍ଯ୍ୟ କରିବା ସହିତ ଗୋଆରେ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ସମେତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମର ଗଣମାଧ୍ୟମ କାର୍ଯ୍ୟକଳାପକୁ ପରିଚାଳନା କରିଛନ୍ତି ।

Leave A Reply

Your email address will not be published.