jayashree

୯୬ ବର୍ଷରେ କ୍ଵିନ୍ ଏଲିଜାବେଥ୍‌ଙ୍କ ପରଲୋକ

ନୂଆଦିଲ୍ଲୀ : ବ୍ରିଟେନ ମହାରାଣୀ ଏଲିଜାବେଥ୍‌ଙ୍କ ୯୬ ବର୍ଷରେ ପରଲୋକ ଘଟିଛି । ଗୁରୁବାର ରାତିରେ ସ୍କଟଲାଣ୍ଡର ବାଲମୋରାଲ ମହଲରେ ଏଲିଜାବେଥ୍‌ଙ୍କର ପରଲୋକ ଘଟିଥିବା ରାଜ ପରିବାର ପକ୍ଷରୁ ଘୋଷଣା କରାଯାଇଛି । ଏଲିଜାବେଥ୍‌ ଦ୍ୱିତୀୟଙ୍କ ଦେହାନ୍ତ ପରେ ଅପରେସନ ୟୁନିକର୍ଣ୍ଣ ଆରମ୍ଭ ହୋଇଯାଇଛି । ନିଧନରୁ ଅନ୍ତିମ ସଂସ୍କାର ମଧ୍ୟରେ ଥିବା ୧୦ ଦିନ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାସହ ବ୍ରିଟେନରେ ୧୦ ଦିନିକିଆ ଶୋକ ମଧ୍ୟ ପାଳନ ହେବ । ଅପର ପକ୍ଷରେ ରାଣୀଙ୍କ ଦେହାନ୍ତ ପରେ ସ୍କଟଲାଣ୍ଡ ସଂସଦ କାର୍ଯ୍ୟକୁ ବାତିଲ କରାଯାଇଛି । ମାହାରାଣୀଙ୍କ ପାର୍ଥୀବ ଶରୀର ପ୍ରଥମେ ରାଜପରିବାରର ଟ୍ରେନରେ ଏଡିନବର୍ଗ ନିଆଯିବ । ପରଦିନ ଜାଇଲ୍ସ କ୍ୟାଥଡ୍ରଲ୍ ଅଣାଯିବ । ଏଠାରେ ସାହି ପରିବାରର ସଦସ୍ୟ ଓ ସାଧାରଣ ଜନତା ପାର୍ଥୀବ ଶରୀରକୁ ଶ୍ରଦ୍ଧାଞ୍ଜଳି ଦେବେ । ଏହି କାର୍ଯ୍ୟକ୍ରମ ପରେ ମୃତଦେହକୁ ବକିଂହାମ୍ ପ୍ୟାଲେସ ନିଆଯିବ । ସେଠାରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇବେ । ଏଠାରେ ମୃତଦେହକୁ ୮ ଦିନ ରଖାଯିବ । ଶେଷରେ ଓ୍ୱେଷ୍ଟାମିନଷ୍ଟରରେ ଅନ୍ତିମ ସଂସ୍କାର କରାଯିବ । ବ୍ରିଟେନ ରାଜତନ୍ତ୍ରରେ ସର୍ବାଧିକ ସମୟ ଶାସନରେ ରହିଥିବା ରାଣୀ ହେଉଛନ୍ତି କ୍ଵିନ୍ ଏଲିଜାବେଥ୍‌ । ୧୯୨୬ ଏପ୍ରିଲ ୨୧ ତାରିଖରେ ମହାରାଣୀ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ବ୍ରିଟେନର ରାଜା ଥିଲେ ପଞ୍ଚମ ଜର୍ଜ । ଏଲିଜାବେଥ୍‌ଙ୍କ ପିତା ଜର୍ଜ-୬ ମଧ୍ୟ ପରେ ବ୍ରିଟେନର ରାଜା ହୋଇଥିଲେ । ୧୯୫୨ ମସିହାରେ ରାଣୀ କ୍ଷମତା ଗ୍ରହଣ କରିବା ପରଠାରୁ ବ୍ୟାପକ ସାମାଜିକ ପରିବର୍ତ୍ତନ ଆଣିଥିଲେ ଏବଂ ରାଷ୍ଟ୍ରର ସମୃଦ୍ଧି ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ ।

Leave A Reply

Your email address will not be published.