ପାକିସ୍ତାନ : ମୁଲ୍ତାନ୍ରେ ହିନ୍ଦୁ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ହତ୍ୟା, ଛୁରୀ ଓ କୁରାଢ଼ି ଦେଉଛି ନିର୍ଦ୍ଦୟତାର ସାକ୍ଷ୍ୟ
ଲ୍ତାନ୍ : ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ନିର୍ଦ୍ଦୟ ହିଂସା ମାମଲା ପୁଣି ଥରେ ପାକିସ୍ତାନରେ ସାମ୍ନାକୁ ଆସିଛି । ପାକିସ୍ତାନରେ ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ ଏହି ଘଟଣା ପରେ ପାକିସ୍ତାନର ହିନ୍ଦୁ ସମ୍ପ୍ରଦାୟ ବହୁତ ଡରି ଯାଇଥିବା ଲକ୍ଷ୍ୟ କରାଯାଇଛି । ଏହି ଘଟଣାର କାରଣ ଏପର୍ୟ୍ୟନ୍ତ ଜଣା ପଡିନାହିଁ । ପାକିସ୍ତାନରେ ହିନ୍ଦୁ ଏବଂ ଅନ୍ୟାନ୍ୟ ଅଳ୍ପସଂଖ୍ୟକ ସମ୍ପ୍ରଦାୟ ବିରୋଧରେ ଅନେକ ହିଂସା ମାମଲା ରୁଜୁ ହୋଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୁଲ୍ତାନ୍ର ଏହି ହିନ୍ଦୁ ପରିବାରର ସଦସ୍ୟଙ୍କ ମୃତଦେହ ରହୀମ ୟାର ଖାନ ସହର ଠାରୁ ୧୫ କିଲୋମିଟର ଦୂରରେ ଥିବା ଆବୁଧାବି କଲୋନୀରେ ଥିବା ଚାକ ନମ୍ବର ୧୩୫-ପି ରେ ମିଳିଛି । ପୋଲିସ ଛୁରୀ ଓ କୁରାଢ଼ି ସମେତ ହତ୍ୟାରେ ବ୍ୟବହୃତ ଅସ୍ତ୍ର ଉଦ୍ଧାର କରିଛି । ପରିବାରର ମୁଖ୍ୟଙ୍କୁ ରାମ ଚାନ୍ଦ ମେଘୱାଲ (୩୬) ବୋଲି ଚିହ୍ନଟ କରାଯାଇଛି । ତାଙ୍କର ଏକ ଟେଲରିଂ ଦୋକାନ ଥିଲା ।
ରହୀମ ୟାର ଖାନ ସହରରେ ସାମାଜିକ କର୍ମୀ ବିରବଲ ଦାସ କହିଛନ୍ତି ଯେ, ରାମ ଚାନ୍ଦ ଜଣେ ଶାନ୍ତିପ୍ରିୟ ବ୍ୟକ୍ତି ଏବଂ ସେ ସୁଖମୟ ଜୀବନ ବିତାଉଥିଲେ ଏବଂ ଏହି ଘଟଣା ସମସ୍ତଙ୍କ ପାଇଁ ଚକିତ କରିଥିଲା । ପଞ୍ଜାବର ମୁଖ୍ୟମନ୍ତ୍ରୀ ସର୍ଦ୍ଦାର ଉସମାନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଅପରାଧୀଙ୍କୁ ଶୀଘ୍ର ଗିରଫ କରିବାକୁ କହିଛନ୍ତି ।