ନୂଆଦିଲ୍ଲୀଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ

  • ଜାତୀୟ ଶିକ୍ଷା ନୀତିର ଯୋଜନାବଦ୍ଧ କ୍ରିୟାନ୍ୱୟନ ଓ ନବସୃଜନକୁ
    ପ୍ରୋତ୍ସାହନ ଦେବା ଦିଗରେ ଆଲୋଚନା ହେଲା– ଧର୍ମେନ୍ଦ୍ର ପ୍ରଧାନ
    • ନୀତି ଆୟୋଗ ‘ପରିଚାଳନା ପରିଷଦ’ର ସପ୍ତମ ବୈଠକରେ ଯୋଗ ଦେବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ନୀତି ଆୟୋଗ ଉପାଧ୍ୟକ୍ଷ
    • ଆସନ୍ତା ୭ରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ ‘ପରିଚାଳନା ପରିଷଦ’ର ବୈଠକ ଅନୁଷ୍ଠିତ ହେବ
    • ନୀତି ଆୟୋଗର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକର ଅଧ୍ୟକ୍ଷତା କରିବେ
    • ବୈଠକରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ
    • ନୀତି ଆୟୋଗର “ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ” ରିପୋର୍ଟ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଲେ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : ନୂଆଦିଲ୍ଲୀ ଶାସ୍ତ୍ରଭବନ ସ୍ଥିତ ଶିକ୍ଷା ମନ୍ତ୍ରଣାଳୟରେ ନୀତି ଆୟୋଗ ଉପାଧ୍ୟକ୍ଷ ଡା. ସୁମନ କେ ବେରୀ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରିଛନ୍ତି । ଏହି ବୈଠକରେ ଜାତୀୟ ଶିକ୍ଷା ନୀତି-୨୦୨୦ ଯୋଜନାବଦ୍ଧ କ୍ରିୟାନ୍ୱୟନ ଏବଂ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ଏହାର ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି । ସେହିପରି ଭବିଷ୍ୟତର ଶିକ୍ଷାଦାନ, ପାଠପଢ଼ା, ସମସାମୟିକ ଦକ୍ଷତା ବିକାଶ ଏବଂ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।
ଏହି ଆଲୋଚନା କାଳରେ ଡକ୍ଟର ବେରୀ ନୀତି ଆୟୋଗ ଦ୍ୱାରା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ଉପରେ ଆଲୋକପାତ କରିଛନ୍ତି । ନୀତି ଆୟୋଗଙ୍କ ଦ୍ୱାରା ନିକଟରେ ପ୍ରକାଶିତ “ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ” ରିପୋର୍ଟ ବିଷୟରେ ଡା. ବେରୀ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବୈଠକରେ ଏକ ଜ୍ଞାନ ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ନବସୃଜନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଅଟଳ ଇନୋଭେସନ୍ ମିଶନ୍ ମାଧ୍ୟମରେ ବିଦ୍ୟାଳୟରୁ ଶିଳ୍ପ କାରଖାନା ଯାଏଁ ନବସୃଜନକୁ ପ୍ରୋତ୍ସାହିତ କରିବାରେ ନୀତି ଆୟୋଗଙ୍କ ଭୂମିକାକୁ ପ୍ରଶଂସା କରିଥିଲେ । ସେହିପରି ଦେଶରେ ଉତ୍ପାଦନ କ୍ଷେତ୍ରରେ ନବସୃଜନ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ସାକ୍ଷାତକାରରେ ଡକ୍ଟର ବେରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆସନ୍ତା ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ‘ପରିଚାଳନା ପରିଷଦ’ର ସପ୍ତମ ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ । ଏହି ବୈଠକରେ ନୀତି ଆୟୋଗର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ । ଦେଶର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ ସର୍ବୋଚ୍ଚ ସ୍ତରରେ ଏକ ବ୍ୟାପକ ସହମତି ଭିତ୍ତିରେ ବିଭିନ୍ନ ଯୋଜନା ଉପରେ କ୍ରିୟାନ୍ୱୟନ ପାଇଁ ଏକ ରୋଡମ୍ୟାପ୍ ଏବଂ ଫଳାଫଳ ଆଧାରିତ ଯୋଜନା ଚୂଡ଼ାନ୍ତ କରାଯିବ ।

Leave A Reply

Your email address will not be published.