୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

• ଚାଷୀଙ୍କୁ ୫୦ ପ୍ରତିଶତ ସୁନିଶ୍ଚିତ ଲାଭ ପ୍ରଦାନ କରିବ ବର୍ଦ୍ଧିତ ଏମଏସପି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ବୈଠକରେ ୨୦୨୨ ଋତୁ ପାଇଁ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରାଯାଇଛି । ଉଚ୍ଚ ହାରାହାରି ଗୁଣବତ୍ତା (ଏଫଏକ୍ୟୁ) ଯୁକ୍ତ ମିଲିଂ ପାଇଁ ଉଦ୍ଦିଷ୍ଟ ଶୁଖିଲା ନଡ଼ିଆ ଶସ (କୋପ୍ରା)ର ଏମଏସପି କୁଇଣ୍ଟାଲ ପ୍ରତି ୧୦,୩୩୫ ଟଙ୍କାରୁ ବଢ଼ାଇ କୁଇଣ୍ଟାଲ ପ୍ରତି ୧୦ ହଜାର ୫୯୦ ଟଙ୍କା କରି ଦିଆଯାଇଛି । ସେହିପରି ଗୋଟା ଶୁଖିଲା ନଡ଼ିଆ ବା ବଲ କୋପ୍ରାର ଏମଏସପି ୨୦୨୨ ଋତୁ ପାଇଁ କୁଇଣ୍ଟାଲ ପ୍ରତି ୧୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୨୧ ଋତୁରେ ଏହାର ମୂଲ୍ୟ କୁଇଣ୍ଟାଲ ପ୍ରତି ୧୦,୬୦୦ ଟଙ୍କା ଥିଲା। ଫଳରେ ନଡ଼ିଆ ଚାଷୀମାନେ ଉତ୍ପାଦନ ଖର୍ଚ୍ଚ ଉପରେ ମିଲିଂ କୋପ୍ରା ପାଇଁ ୫୧.୮୫ ପ୍ରତିଶତ ଏବଂ ବଲ କୋପ୍ରା ପାଇଁ ୫୭.୭୩ ପ୍ରତିଶତ ଲାଭ ପାଇପାରିବେ । ଚାଷୀମାନଙ୍କୁ ଉତ୍ପାଦନ ଖର୍ଚ୍ଚର ଅତିକମରେ ଦେଢ଼ଗୁଣା ଲାଭ ପ୍ରଦାନ କରିବା ଲାଗି ସରକାର ୨୦୧୮-୧୯ ସାଧାରଣ ବଜେଟରେ ଘୋଷଣା କରିଥିଲେ । ଏହି ନିଷ୍ପତ୍ତି ଅନୁଯାୟୀ ୨୦୨୨ ଋତୁ ପାଇଁ କୋପ୍ରା ଉପରେ ଏମଏସପି ବୃଦ୍ଧି କରାଯାଇଛି ।
କୃଷିଭିତ୍ତିକ ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗଙ୍କ ସୁପାରିସ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି। ସର୍ବନିମ୍ନ ୫୦ ପ୍ରତିଶତ ଲାଭ ସୀମା ସୁନିଶ୍ଚିତ କରିବା ଏ ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।
ନଡ଼ିଆ ଉତ୍ପାଦନ ହେଉଥିବା ରାଜ୍ୟରେ ଭାରତୀୟ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଏବଂ ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ ମୂଲ୍ୟ ସହାୟତା ପ୍ରକ୍ରିୟାକୁ କାର୍ୟ୍ୟକାରୀ କରିବ ।

Leave A Reply

Your email address will not be published.