jittmm
sonalika

ୟୁକ୍ରେନରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ଜାତିସଂଘ କୋର୍ଟଙ୍କ ରୁଷକୁ ନିର୍ଦ୍ଦେଶ

ହେଗ : ମିଳିତ ଜାତିସଂଘର ସର୍ବୋଚ୍ଚ ଅଦାଲତ ବୁଧବାର ରୁଷକୁ ୟୁକ୍ରେନରେ ନିଜର ସାମରିକ କାର୍ୟ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନେକ ବିଶ୍ଳେଷକ ବିଶ୍ୱାସ କରନ୍ତି ଯେ, ରୁଷ ଏହି ନିଷ୍ପତ୍ତି ଗ୍ରହଣ କରିବ ନାହିଁ । ଦୁଇ ସପ୍ତାହ ପୂର୍ବେ ୟୁକ୍ରେନ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)କୁ ରୁଷର ସାମରିକ କାର୍ୟ୍ୟକଳାପ ଉପରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲା ।

ଅନ୍ତର୍ଜାତୀୟ ନ୍ୟାୟାଳୟର ଅଧ୍ୟକ୍ଷ ଆମେରିକାର ଜଜ୍ ଜୋନ୍ ଇ’ ଡୋନୋଗ୍ୟୁ କହିଛନ୍‌ନ୍ତି ଯେ, ରୁଷ ୨୪ ଫେବୃୟାରୀରୁ ଆରମ୍ଭ ହୋଇଥିବା ତାର ସୈନ୍ୟ ଅଭିଯାନକୁ ତୁରନ୍ତ ବନ୍ଦ କରୁ । ଏବେ ଦେଖାଯାଉ, ଅନ୍ତର୍ଜାତୀୟ ନ୍ୟାୟାଳୟର ନିର୍ଦ୍ଦେଶକୁ ରୁଷ ମାନୁଛି କି ନାହିିଁ । ଅନ୍ୟପକ୍ଷରେ ୟୁକ୍ରେନର ରାଜଧାନୀ କିବ୍‌ ତଥା ଅନ୍ୟାନ୍ୟ ପ୍ରମୁଖ ସହରରେ ରୁଷର ସୈନ୍ୟବାହିନୀର ଆକ୍ରମଣ ମଧ୍ୟରେ ବୁଧବାର ଦିନ ପ୍ରସ୍ତାବିତ ପରବର୍ତ୍ତୀ ରାଉଣ୍ଡ ଆଲୋଚନା ପାଇଁ ଦୁଇ ଦେଶ ଆଶାବାଦୀ ଥିବା ଜଣାପଡିଛି ।

ପୋଲାଣ୍ଡ, ଚେକ ରିପବ୍ଲିକ ଏବଂ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀମାନେ ୟୁକ୍ରେନକୁ ସମର୍ଥନ ଜଣାଇବା ପାଇଁ ବୁଧବାର ଦିନ କିବ୍‌ ଗସ୍ତ କରିବା ପରେ ନିରାପଦରେ କେନ୍ଦ୍ରୀୟ ୟୁରୋପକୁ ଫେରିଛନ୍ତି । ଚେକ ପ୍ରଧାନମନ୍ତ୍ରୀ ପେଟ୍ର ଫିଆଲା ଅନେକ ଦେଶକୁ ୟୁକ୍ରେନକୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଯୋଗାଇବା ପାଇଁ ଆହ୍ୱାନ କରିଛନ୍ତି, ଯାହାଦ୍ୱାରା ରାଜଧାନୀ କିବ୍‌ ଏବଂ ଅନ୍ୟାନ୍ୟ ସହରକୁ ଦଖଲ କରିବାକୁ ଚେଷ୍ଟା କରୁଥିବା ରୁଷର ସୈନ୍ୟବାହିନୀ ସହିତ ୟୁକ୍ରେନ୍‌ ସେନାଙ୍କ ଯୁଦ୍ଧ ଜାରି ରହିବ।

ଅନ୍ତର୍ଜାତୀୟ କୋର୍ଟର ନିଷ୍ପତ୍ତି ଉପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି ଯେ, ୟୁକ୍ରେନ ଆଇସିଜେରେ ରୁଷ ବିରୋଧରେ ମାମଲା ଜିତିଛି । ତାଙ୍କ ଟ୍ୱିଟରେ ସେ କହିଛନ୍ତି ଯେ, ଆଇସିଜେ ତୁରନ୍ତ ଆକ୍ରମଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଏହି ଆଦେଶ ବାଧ୍ୟତାମୂଳକ ଅଟେ । ରୁଷ ତୁରନ୍ତ ପାଳନ କରିବା ଉଚିତ୍ । କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ରୁଷକୁ ଆହୁରି ବିଚ୍ଛିନ୍ନ କରିବ ।

ଅନ୍ୟପକ୍ଷରେ ରୁଷ୍‌ ସେନାର ତୁହାକୁ ତୁହା ବୋମା, ମିସାଇଲ୍‌, ରକେଟ୍‌ ମାଡ଼ରେ ସଂପୂର୍ଣ୍ଣ ଧ୍ୱଂସ ହୋଇ ସାରିଛି ୟୁକ୍ରେନ୍‌ । ହାତଗଣତି କିଛି ଘଂଟା ମଧ୍ୟରେ ରୁଷ୍‌ ୟୁକ୍ରେନ୍‌ର ରାଜଧାନୀ କିବ୍‌କୁ ବି ହାତେଇ ନେବାରେ ସଫଳ ହୋଇଯାଇପାରେ ବୋଲି ଯୁଦ୍ଧ ବିଶେଷଜ୍ଞମାନେ ମତ ଦେଉଛନ୍ତି । କିଂତୁ ଏବେ ବି ୟୁକ୍ରେନ୍‌ ସୈନ୍ୟ ରୁଷ ସେନାକୁ ରୋକିବା ପାଇଁ ଅଂଟା ଭିଡ଼ିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.