ଚିତ୍ତରଂଜନ ପାର୍କରେ ଚୋର : ଜଗୁଆଳିଙ୍କୁ ବନ୍ଧକ ରଖି ଏଟିଏମ୍‌ରୁ ଲୁଟି ନେଲେ ୧୮.୪୫ ଲକ୍ଷ

ନୂଆଦିଲ୍ଲୀ : ଚିତରଞ୍ଜନ ପାର୍କ ଅଞ୍ଚଳରେ କାରରେ ଆସିଥିବା ଲୁଟେରାମାନେ ଜଗୁଆଳିଙ୍କୁ ବନ୍ଧକ ରଖି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏଟିଏମରୁ ୧୮.୪୫ ଲକ୍ଷ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି । ଲୁଟେରାମାନେ ଏଟିଏମ ତଳେ ଥିବା ଟଙ୍କା କ୍ୟାବିନକୁ ଗ୍ୟାସ କଟର୍‌ ଦ୍ୱାରା କାଟି ଏହି ଅପରାଧ କରିଥିଲେ । ସେମାନେ ଚାଲିଯିବା ପରେ ଜଗୁଆଳି ଜଣକ ପୋଲିସକୁ ସୂଚନା ଦେଇଥିଲେ । ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ସିଆର୍‌ ପାର୍କ ପୋଲିସ ଲୁଟେରାଙ୍କୁ ଖୋଜି ପାରିନଥିବା ଜଣାପଡ଼ିଛି ।

ଦକ୍ଷିଣ ଜିଲ୍ଲା ଡିସିପି ବେନିତା ମେରି ଜ୍ୟାକରଙ୍କ ଅନୁଯାୟୀ, ଅକ୍ଟୋବର ୨୯ ରେ ସକାଳ ୬ ଟାରେ ମସଜିଦ ମୋଠରେ ଅବସ୍ଥିତ ବଜାରରେ ଏସବିଆଇ ଏଟିଏମ ଡକାୟତି ସମ୍ପର୍କରେ ସୂଚନା ମିଳିଥିଲା । ପୋଲିସ ଟିମ୍ ପହଞ୍ଚିବା ପରେ ଘଟଣାସ୍ଥଳରେ ଏଟିଏମ୍ ବୁଥ୍‌ର ଜଗୁଆଳିଙ୍କୁ ପୋଲିସ୍‌ ଭେଟିଥିଲା । ଜଗୁଆଳି ପୋଲିସକୁ କହିଛନ୍ତି ଯେ, ସକାଳେ ତିନି ଚାରିଜଣ ଲୁଟେରା କାରରେ ଆସି ପିସ୍ତଲ ସାହାଯ୍ୟରେ ତାଙ୍କୁ ବନ୍ଧକ ରଖି ଟଙ୍କା ଲୁଟ୍‌ କରିଥିଲେ । ତାଙ୍କୁ ମାଡ ମାରିବା ପରେ ଲୁଟେରାମାନେ ତାଙ୍କ ହାତ ଓ ଗୋଡ଼କୁ ବାନ୍ଧିଥିଲେ ଓ ଗ୍ୟାସ କଟର ସାହାଯ୍ୟରେ ଏଟିଏମକୁ କାଟି ଟଙ୍କା ଭରା ଟ୍ରେ ନେଇ ପଳାଇ ଯାଇଥିଲେ । ଲୁଟେରାମାନେ ଘଟଣା ପୂର୍ବରୁ ସିସିଟିଭି କ୍ୟାମେରାକୁ ମୋଡ଼ି ଦେଇଥିଲେ । ଲୁଟେରା ଦଳ ଖସିଯିବା ପରେ ସୁରକ୍ଷା କର୍ମୀ ସହାୟତା ପାଇଁ ପୋଲିସ ଏବଂ ବ୍ୟାଙ୍କ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।

Leave A Reply

Your email address will not be published.