ଇନ୍ନୋର ସାର କାରଖାନାରେ ଗ୍ୟାସ୍‌ ଲିକ୍‌

ଚେନ୍ନାଇ : ଉତ୍ତର ଚେନ୍ନାଇର ଇନ୍ନୋରଠାରେ ଥିବା ଏକ ରସାୟନିକ ସାର କାରଖାନାରେ ଯାନ୍ତ୍ରିକ ଦୁର୍ଘଟଣା ଘଟିଛି । କାରଖାନାକୁ ସଂଯୋଗ ଆମୋନିଆ ଟାଙ୍କିରୁ ନିର୍ଗତ ଗ୍ୟାସ ଯୋଗୁଁ ଆଖପାଖ ଅଞ୍ଚଳର ୫୦ରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଆଜି ସକାଳେ ତାମିଲନାଡ଼ୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଏମ୍‌ ସୁବ୍ରମଣ୍ୟମ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଇନ୍ନୋରର ଶତାଧିକ ଲୋକ କାରଖାନାରୁ ନିର୍ଗତ ଆମୋନିଆ ଗ୍ୟାସ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୦ଜଣଙ୍କ ବର୍ଦ୍ଧିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଖବର ଅନୁସାରେ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ମୁରୁଗାପ୍ପା ଶିଳ୍ପ ପ୍ରତିଷ୍ଠାନ ସମୂହଙ୍କ ମାଲିକାନାରେ ଥିବା କରମଣ୍ଡଳ ଇଣ୍ଟରନ୍ୟାସନାଲ୍‌ ଲିଃ ରାସାୟନିକ କାରଖାନାର ପାଣି ମଧ୍ୟ ଦେଇ ଯାଇଥିବା ଆମୋନିଆ ପାଇପ୍‌ ଲାଇନ ଫାଟିଯାଇଥିଲା । ଏହାର ପ୍ରାୟ ୧ ଘଣ୍ଟା ପରେ ଅର୍ଥାତ୍‌ ୧୨ ଟା ୪୫ ରେ ସ୍ଥାନୀୟ ପରିବେଶ ନିୟନ୍ତ୍ରଣ ବୋର୍ଡ ବାୟୁମଣ୍ଡଳରେ ଆମୋନିଆର ମାତ୍ରା ସାଂଘାତିକ ଭାବେ ବୃଦ୍ଧି ପାଇବା ନେଇ ସତର୍କ କରାଇଥିଲା । ତଥ୍ୟାନୁସାରେ ବାୟୁମଣ୍ଡଳରେ ଆମୋନିଆର ଗ୍ରହଣଯୋଗ୍ୟସ୍ତର ୪୦୦ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ରହିବା ବଦଳରେ ୨୦୯୦ ମାଇକ୍ରୋ୍ଗ୍ରାମକୁ ବୃଦ୍ଧି ପାଇଥିଲା । ସ୍ଥାନୀୟ ବାସିନ୍ଦା ମଧ୍ୟ ଗନ୍ଧ ଯୋଗୁଁ ପୁଲିସକୁ ସୂଚନା ଦେଇଥିଲେ । ଏହାପରେ କାରଖାନା କର୍ତୃପକ୍ଷ ୨୦-୩୦ ମିନିଟ୍‌ ମଧ୍ୟରେ ପାଇପ୍‌ ଲାଇନର ମରାମତି କରିଥିଲେ ।

Leave A Reply

Your email address will not be published.