
ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚଳିତ ବର୍ଷ ପ୍ରାରମ୍ଭରେ ହତ୍ୟାକାଣ୍ଡର ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଥିଲା । ଜାନୁଆରୀ ୬ରେ, ଇଟଉଞ୍ଜାରେ ୨୬ ବର୍ଷ ବୟସ୍କ ଯୁବକଙ୍କ ମୃତଦେହ ମିଳିଥିଲା । ଦୁଇଦିନ ପରେ ଜାନୁଆରୀ ୮ରେ ମାଲିହାବାଦରେ ଜଣେ ବୃଦ୍ଧଙ୍କ ମୃତଦେହ ମିଳିଥିଲା ଏବଂ ପରେ ଜାନୁଆରୀ ୧୩ ରେ ମଲ୍ ଅଞ୍ଚଳରେ ଜଣେ ବୃଦ୍ଧ ମହିଳାଙ୍କ ମୃତଦେହ ମିଳିଥିଲା । ଏହି ସମସ୍ତଙ୍କର ଗଳା କାଟି ହତ୍ୟା କରାଯାଇଥିଲା । ପୋଲିସର ଅନୁସନ୍ଧାନରେ ଏହି ତିନିଜଣଙ୍କ ମଧ୍ୟରେ ରହିଥିବା ସମ୍ପର୍କ ଜଣାପଡ଼ିଥିଲା ଯେ, ମୃତ୍ୟୁବରଣ କରିଥିବା ତିନିଜଣ ହେଉଛନ୍ତି ପିତା ମାତା ଏବଂ ସେମାନଙ୍କର ପୁଅ । ଗୋଟିଏ ସପ୍ତାହ ମଧ୍ୟରେ ଏହି ପରି ବିଭିନ୍ନ ସ୍ଥାନରେ ଗୋଟିଏ ପରିବାରର ତିନି ଜଣଙ୍କୁ ହତ୍ୟା କରିବା ଭଳି ସମ୍ବେଦନଶୀଳ ଘଟଣାରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ତେବେ ଏହି ହତ୍ୟା ମାମଲାର ତନାଘନା ତଦନ୍ତ କରୁଛି ଏବେ ପୋଲିସ ।
ଆଇଜି ଲକ୍ଷ୍ନୌ ରେଞ୍ଜ ଲକ୍ଷ୍ମୀ ସିଂ କହିଛନ୍ତି ଯେ, ଯୁବକଙ୍କ ମୃତଦେହ ମିଳିବା ପରେ ବିକେଟି ପୋଲିସ ପ୍ରଥମେ ତଦନ୍ତ ଆରମ୍ଭ କରିଥିଲା । ପରେ ଏହା ଜଣାପଡିଲା ଯେ, ଲକ୍ଷ୍ନୌ କମିଶନରେଟ୍ ବିକାଶନଗର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ଭାରତୀୟ ତୈଳ ଅଧିକାରୀ ମେହମୁଦ ଅଲି ଖାନ ଏବଂ ତାଙ୍କର ପତ୍ନୀ ମଧ୍ୟ ଜାମ୍ମୁ କାଶ୍ମୀରର ରାମବନରୁ ନିଖୋଜ ହୋଇ ଯାଇଥିଲେ । ଆଇଜି ଲକ୍ଷ୍ମୀ ସିଂ କହିଛନ୍ତି ଯେ, ସିଓ ନବୀନା ଶୁକ୍ଲାଙ୍କୁ ଏହି ଘଟଣାର ଖୁଲାସା କରିବାର ଦାୟିତ୍ୱ ଦିଆଯାଇଛି ।