ଫୁଟ୍‌ପାଥ୍‌ରେ ଶୋଇଥିବା ଶ୍ରମିକ‌ଙ୍କ ଉପରେ ଚଢ଼ିଗଲା ଟ୍ରକ୍ : ୧୫ ମୃତ, ତିନିଜଣଙ୍କ ଅବସ୍ଥା ଗୁରୁତର

ସୁରଟ : ଗତକାଲି ବିଳ‌ମ୍ବିତ ରାତିରେ ଗୁଜୁରାଟରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି । ସୁରଟର କୋସମ୍ବା ଗାଁର କିମ୍‌ ରୋଡରେ ରାସ୍ତା ଉପରେ ଶୋଇଥିବା ଶ୍ରମିକ‌ଙ୍କ ଉପରେ ଏକ ଟ୍ରକ ଚଢ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ପୋଲିସ କହିଛି ଯେ, ମୃତ୍ୟୁବରଣ କରିଥିବା ସମସ୍ତ ଶ୍ରମିକ ରାଜସ୍ଥାନର । ଏହି ସ୍ଥାନ ସୁରଟଠାରୁ ପ୍ରାୟ ୬୦ କିଲୋମିଟର ଦୂରରେ ।

ଆହତ ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ସୂଚନାନୁସାରେ, ରାତି ପ୍ରାୟ ୧୨ ଟା ସମୟରେ ସୁରଟ କିମ୍‌-ମାଣ୍ଡଭି ରାସ୍ତାରେ ଏହି ଘଟଣା ଘଟିଥିଲା । ଏଠାରେ ଏକ ଅନିୟନ୍ତ୍ରିତ ଟ୍ରକ ରାସ୍ତା କଡ଼ରେ ଶୋଇଥିବା ଶ୍ରମିକମାନଙ୍କ ଉପରେ ମାଡ଼ି ଯାଇଥିଲା ।

ବାସ୍ତବରେ, ଓଭର୍‌ଟେକ୍‌‌ କରିବାକୁ ଦ୍ରୁତ ଗତିରେ ଯାଉଥିବା ଟ୍ରକ୍ ଡ୍ରାଇଭର ଏକ ଆଖୁ ଭର୍ତ୍ତି ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଧକ୍କା ହେତୁ ଟ୍ରକ ଡ୍ରାଇଭର ଷ୍ଟିଅରିଂ ଉପରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଶୋଇଥିବା ଶ୍ରମିକମାନଙ୍କ ଉପରେ ଟ୍ରକ ମଡ଼ାଇ ଦେଇଥିଲା ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, ସୁରଟରେ ଏକ ଟ୍ରକ୍ ଦୁର୍ଘଟଣାରେ ମୁଁ ଦୁଃଖିତ । ମୋର ସାନ୍ତ୍ୱନା ଶୋକସନ୍ତପ୍ତ ପରିବାର ସହିତ ଅଛି । ଆହତମାନେ ଯଥାଶୀଘ୍ର ସୁସ୍ଥ ହୁଅ‌ନ୍ତୁ ବୋଲି ପ୍ରାର୍ଥନା କରିଛ‌ନ୍ତି । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ପ୍ରାଣ ହରାଇଥିବା ବ୍ୟକ୍ତି‌ଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।

Leave A Reply

Your email address will not be published.