ହାଇଦ୍ରାବାଦ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ତୃତୀୟ ମୁନ୍ ମିଶନ୍ ଚନ୍ଦ୍ରଯାନ-୩ର ପ୍ରକ୍ଷେପଣ ଲାଗି ୨୫:୩୦ ଘଣ୍ଟାର ଅବଗଣନା ଗୁରୁବାର ୧ଟା ୦୫ରୁ ଆରମ୍ଭ ହୋଇଛି । ଶୁକ୍ରବାର ଅପରାହ୍ନ ୨ଟା ୩୫ରେ ଆନ୍ଧ୍ର ପ୍ରଦେଶ ଅନ୍ତର୍ଗତ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍ ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୩କୁ ପ୍ରକ୍ଷେପଣ କରାଯିବ । ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇଯିବା ପାଇଁ ବିକଶିତ ବାହୁବଳୀ ରକେଟ୍ ଲଞ୍ଚ୍ ଭେଇକିଲ୍ ମାର୍କ୩ (ଏମ୍ଭି-୩) ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ରହିଛି । ଏମ୍ଭି୩ର ଉତ୍କ୍ଷେପଣ ସଫଳତା ହାର ୧୦୦% । ମିଶନର ସଫଳତା ପାଇଁ ଇସ୍ରୋ ବୈଜ୍ଞାନିକ ତିରୁପତି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ସେମାନେ ଚନ୍ଦ୍ରଯାନ- ୩ର କ୍ଷୁଦ୍ର ପ୍ରତିକୃତି ନିଜ ସାଙ୍ଗରେ ନେଇଥିଲେ ।
ଚନ୍ଦ୍ରଯାନ ଅଗଷ୍ଟ ୨୪-୨୫ରେ ଚନ୍ଦ୍ରପୃଷ୍ଠରେ ଓହ୍ଲାଇବ । ଅର୍ଥାତ୍ ଏଥିପାଇଁ ୪୫ରୁ ୪୮ ଦିନ ସମୟ ଲାଗିବ । ୨୦୧୯ରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପାଇଁ ୪୨ ଦିନ ସମୟ ଲାଗିଥିଲା । ଆଗାମୀ ୧୪ ଦିନ ରୋଭର୍ ଲ୍ୟାଣ୍ଡର୍ର ଚାରିପଟେ ୩୬୦ ଡିଗ୍ରୀରେ ଘୂରି ପରୀକ୍ଷା କରିବ । ରୋଭର୍ ଚାଲିବା ଦ୍ୱାରା ଚକ ଦ୍ୱାରା ଯେଉଁ ଚିହ୍ନ ଚନ୍ଦ୍ରପୃଷ୍ଠରେ ସୃଷ୍ଟି ହେବ, ତାହାର ଫଟୋ ମଧ୍ୟ ଲ୍ୟାଣ୍ଡର୍ ପଠାଇବ । ଭାରତ ଚନ୍ଦ୍ରରେ ଜାତୀୟ ପତାକା ଉଡ଼ାଇବାରେ ବିଶ୍ୱର ଚତୁର୍ଥ ରାଷ୍ଟ୍ର ବିବେଚିତ ହେବ । ସେହିଭଳି ସାଉଥ୍ ପୋଲ୍ ପାଖରେ ପହଞ୍ଚିବାରେ ହେବ ପ୍ରଥମ ଦେଶ । ଏହା ସେହି ଅଞ୍ଚଳ ଯେଉଁଠାରେ ଚନ୍ଦ୍ରଯାନ-୧ ମିଶନ ବେଳେ ଚନ୍ଦ୍ରରେ ପାଣି ଥିବା ନେଇ ଜଣାଇଥିଲା ଇସ୍ରୋ । ଏଠାରେ ଚନ୍ଦ୍ରଯାନ-୨ର କ୍ରାସ୍ ଲ୍ୟାଣ୍ଡିଙ୍ଗ୍ ହୋଇଥିଲା ।