ନୂଆଦିଲ୍ଲୀର ଆଦି ମହୋତ୍ସବରେ କନ୍ଧମାଳ ଓ ନବରଙ୍ଗପୁରର ଜୈବିକ କୃଷି ଉତ୍ପାଦର ଚାହିଦା

  • କନ୍ଧମାଳ କଫି ଓ ପାମ୍ପଡ଼ କିଣିଲେ ପ୍ରଧାନମନ୍ତ୍ରୀ
  • କଫିକୁ ପସନ୍ଦ କରିବା ସହିତ ଖୁସିବ୍ୟକ୍ତ କଲେ

ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହେଉଛି ଚଳିତବର୍ଷର ଆଦିମହୋତ୍ସବ ସମାରୋହ । ଏଥିରେ ଓଡ଼ିଶାର ଦୁଇଟି କୃଷକ ଉତ୍ପାଦକ ସଂଗଠନ – କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃ ଏବଂ ନବରଙ୍ଗପୁର ଜିଲ୍ଲାର ଭଣ୍ଡାର ଘରଣୀ କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ ଅଂଶଗ୍ରହଣ କରିଛନ୍ତି । ଆଦି ମହୋତ୍ସବ କାର୍ଯ୍ୟକ୍ରମ ଗତ ୧୬ ତାରିଖଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୭ ତାରିଖ ପ~ðýନ୍ତ ଚାଲିବ । ଏହି କାର୍ଯ୍ୟକ୍ରମ ଆଦିବାସୀ ଲୋକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି । କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ଉତ୍ପାଦିତ ହଳଦୀ, କଫି, ମାଣ୍ଡିଆ, ବାଜରା ଜାତୀୟ ଫସଲ ଏବଂ ଅନ୍ୟାନ୍ୟ ପ୍ରାକୃତିକ ଜୈବିକ ଉତ୍ପାଦ ଏହି ଦୁଇ ସଂଗଠନ ପକ୍ଷରୁ ବିକ୍ରି କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦି ମହୋତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେ ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହିତ ଅଂଶଗ୍ରହଣକାରୀଙ୍କ ସହିତ ମତ ବିନିମୟ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣା ସେମାନଙ୍କୁ ଅନୁପ୍ରାଣିତ କରିଛି । ଆଗକୁ ସେମାନେ ଅଧିକ ଜୈବିକ କୃଷି ଉତ୍ପାଦ ଉତ୍ପାଦନ କରିବା ଲାଗି ପ୍ରସ୍ତୁତ ରହିଛନ୍ତି । ଆଦି ମହୋତ୍ସବ କାର୍ଯ୍ୟକ୍ରମରେ ସେମାନଙ୍କର ଅଂଶଗ୍ରହଣ ଭବିଷ୍ୟତରେ ଅଧିକ ବିକ୍ରି ଅର୍ଡର ପାଇବା ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ସେମାନେ କହିଛନ୍ତି ।

ଆଦି ମହୋତ୍ସବରେ ଅଂଶଗ୍ରହଣ କରିଥିବା ଦାରିଙ୍ଗିବାଡ଼ି କୃଷକ ଉତ୍ପାଦକ କମ୍ପାନୀ ଲିଃର ବିକ୍ରେତା ତାପସ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ କିଛିଦିନ ପୂର୍ବରୁ ଆମ ଷ୍ଟଲକୁ ଆସିଥିଲେ । ସେ ଆମଠାରୁ କଫି ଓ ପାମ୍ପଡ଼ କିଣିଥିଲେ । ଆମ କଫିକୁ ପସନ୍ଦ କରିବା ସହିତ ସେ ନିଜର ମତାମତ ଦେଇଥିଲେ । ଆମେ ଏହି ଷ୍ଟଲରେ ଜିଆଇ ଟ୍ୟାଗ୍ ବିଶିଷ୍ଟ ହଳଦୀ, ମାଣ୍ଡିଆ, ବାଜରା ଆଦି ବିକ୍ରି କରୁଛୁ । ଏଠି ଭଲ ବ୍ୟବସାୟ ହେଉଛି ।

ସୁଗନ୍ଧ ଓ ହଳଦିଆ ଗୁଣ ପାଇଁ କନ୍ଧମାଳ ହଳଦୀର ବିଶ୍ୱବ୍ୟାପୀ ଚାହିଦା ରହିଛି । ପ୍ରତିକୂଳ ଜଳବାୟୁରେ ମଧ୍ୟ ଏହି ହଳଦୀ ଚାଷ କରାଯାଇପାରିବ । ଶହ ଶହ ବର୍ଷ ଧରି ସ୍ଥାନୀୟ ଆଦିବାସୀମାନେ ଏହି ହଳଦୀ ଚାଷ କରିଆସୁଛନ୍ତି ।

ଏହି ଅଞ୍ଚଳରେ ଜୈବିକ ପଦ୍ଧତିରେ କଫି ଚାଷ କରାଯାଉଛି । ଏଠାକାର ପାର୍ବତ୍ୟ ଅଞ୍ଚଳର ଜଳବାୟୁ କଫି ଚାଷ ପାଇଁ ଅନୁକୂଳ । ବିଶ୍ୱ ସ୍ତରରେ କଫିର ଚାହିଦା ରହିଥିବାରୁ ଏଭଳି ବିକ୍ରି ସୁଯୋଗ ସେମାନଙ୍କୁ ଶ୍ରେଷ୍ଠ ଅନୁଭୂତି ପ୍ରଦାନ କରିବ ।

ଅନ୍ୟପଟେ ଆଦି ମହୋତ୍ସବ କାର୍ଯ୍ୟକ୍ରମ ବିଶେଷ ସଫଳ ହୋଇଥିବା ଦେଖିବାକୁ ମିଳୁଛି । ମାତ୍ର ୪ ଦିନ ମଧ୍ୟରେ ସେମାନେ ପ୍ରଥମ ପର୍ଯ୍ୟାୟରେ ଆଣିଥିବା ଉତ୍ପାଦ ପ୍ରାୟତଃ ବିକ୍ରି ହୋଇ ସାରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ପରିମାଣରେ ଉତ୍ପାଦ ବିକ୍ରି ପାଇଁ ଅଣାଯାଇଛି । ଏହା ସେମାନଙ୍କ ଜୀବନରେ ଏକ ନୂଆ ଯୁଗ ଆରମ୍ଭ କରିଛି ଯାହାଫଳରେ ସେମାନେ ଆତ୍ମବିଶ୍ୱାସର ସହିତ ଭବିଷ୍ୟତରେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ ।

Leave A Reply

Your email address will not be published.