କ୍ୟାବିନେଟ୍‌ ମଞ୍ଜୁରି : ସ୍ୱୀକାର୍ଯ୍ୟ ଗ୍ୟାରେଣ୍ଟି ସୀମା ବୃଦ୍ଧି ପାଇଁ ଜରୁରିକାଳୀନ କ୍ରେଡିଟ୍‌ ଲାଇନ୍‌ ଗ୍ୟାରେଣ୍ଟି ଯୋଜନାର ପାଣ୍ଠି ବୃଦ୍ଧି

• ଆତିଥ୍ୟ ଏବଂ ଆନୁସଙ୍ଗିକ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ
• ଇସିଏଲଜିଏସ ଯୋଜନା ଅଧୀନରେ ୩.୬୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ସ୍ୱୀକାର୍ଯ୍ୟ ଗ୍ୟାରେଣ୍ଟି ସୀମା ବୃଦ୍ଧି ପାଇଁ ଜରୁରିକାଳୀନ କ୍ରେଡିଟ୍‌ ଲାଇନ୍‌ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ)ର ପାଣ୍ଠି ବା କର୍ପସ୍‌ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଇସିଏଲଜିଏସର ସୀମାରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି, ଫଳରେ ଏହା ୪.୫ ଲକ୍ଷ କୋଟି ଟଙ୍କାରୁ ୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅତିରିକ୍ତ ପରିମାଣର ପାଣ୍ଠିକୁ କେବଳ ଆତିଥ୍ୟ ଏବଂ ତତସଂକ୍ରାନ୍ତ କ୍ଷେତ୍ର ପାଇଁ ଆବଣ୍ଟନ କରାଯାଇଛି । କୋଭିଡ-୧୯ ମହାମାରୀ କାରଣରୁ ଆତିଥ୍ୟ ବା ହସ୍ପିଟାଲିଟୀ ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଇସିଏଲଜିଏସ ସୀମାରେ ବୃଦ୍ଧି ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।
କାର୍ଯ୍ୟକାରିତା ଅନୁସୂଚୀ:
ଇସିଏଲଜିଏସ ଯୋଜନା ବର୍ତ୍ତମାନ ଜାରି ରହିଛି । ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଏହି ଯୋଜନାର ଅବଧି ରହିଛି । ସେ ପର୍ଯ୍ୟନ୍ତ ଆତିଥ୍ୟ ଏବଂ ତତ୍‌ସଂକ୍ରାନ୍ତ ଉଦ୍ୟୋଗ ପାଇଁ ଏହି ଅତିରିକ୍ତ ୫୦ହଜାର କୋଟି ଟଙ୍କା ବିନିଯୋଗ ହେବ ।
ପ୍ରଭାବ :
ଇସିଏଲଜିଏସ ଯୋଜନା ଏବେ ବି କାର୍ଯ୍ୟକାରୀ ହେଉଛି ଏବଂ କୋଭିଡ-୧୯ ମହାମାରୀ କାରଣରୁ ଆତିଥ୍ୟ ବା ହସ୍ପିଟାଲିଟୀ ଏବଂ ଏହାର ଆନୁସଙ୍ଗିକ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହୋଇଥିବାରୁ ଏହିସବୁ କ୍ଷେତ୍ରର ଉଦ୍ୟୋଗ ପାଇଁ ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ଅର୍ଥ ଆବଣ୍ଟନ କରାଯାଇଛି । କମ ଖର୍ଚ୍ଚରେ ଏହି ଅତିରିକ୍ତ ପରିମାଣର ଅର୍ଥ ଋଣ ଆକାରରେ ଏସବୁ କ୍ଷେତ୍ରକୁ ଯୋଗାଇ ଦିଆଯିବ । ଫଳରେ ଏହି କ୍ଷେତ୍ରରେ ଅତି ଆବଶ୍ୟକ ସହାୟତା ପାଇପାରିବେ। ଏହାଦ୍ବାରା ଏସବୁ ବ୍ୟବସାୟିକ ଉଦ୍ୟୋଗ ସେମାନଙ୍କର ଅତିରିକ୍ତ ଦେୟତା ପୂରଣ କରିପାରିବେ ଏବଂ ସେମାନଙ୍କର ବ୍ୟବସାୟକୁ ଜାରି ରଖିବାକୁ ସକ୍ଷମ ହେବେ ।
୫ ଅଗଷ୍ଟ ୨୦୨୨ ସୁଦ୍ଧା ଇସିଏଲଜିଏସ ଯୋଜନା ଅଧୀନରେ ୩.୬୭ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇସାରିଛି ।

Leave A Reply

Your email address will not be published.