ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାରେ ୪ଜି ମୋବାଇଲ ସେବାକୁ କ୍ୟାବିନେଟ ମଞ୍ଜୁରୀ

• ପାଞ୍ଚଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶାର ମୋବାଇଲ ସେବା ପହଞ୍ଚି ନଥିବା ଆକାଂକ୍ଷି ଜିଲ୍ଲାଗୁଡିକରେ ୟୁଏସଓଏଫ ଯୋଜନାକୁ କ୍ୟାବିନେଟର ଅନୁମୋଦନ
• ପ୍ରାୟ ୬,୪୬୬ କୋଟି ଟଙ୍କା ବ୍ୟୟରେ ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାର ୭୨୮୭ ସେବା ବଞ୍ଚିତ ଗ୍ରାମ ୪ଜି ମୋବାଇଲ ସେବା ପାଇବେ

ନୂଆଦିଲ୍ଲୀ, (ପିଆଇବି) : ପାଞ୍ଚଟି ରାଜ୍ୟରେ ଥିବା ସେବାରୁ ବଞ୍ଚିତ ଆକାଂକ୍ଷି ଜିଲ୍ଲାଗୁଡିକରେ ମୋବାଇଲ ସେବା ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । ଏହି ପାଞ୍ଚଟି ରାଜ୍ୟ ହେଲା ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଏବଂ ଓଡ଼ିଶା ।
ପାଞ୍ଚଟି ରାଜ୍ୟର ୪୪ଟି ଆକାଂକ୍ଷି ଜିଲ୍ଲାର ସେବା ବଞ୍ଚିତ ୭୨୮୭ଟି ଗ୍ରାମକୁ ଏହି ପ୍ରକଳ୍ପ ଜରିଆରେ ୪ଜି ସେବା ଯୋଗାଇ ଦିଆଯିବ । ଆସନ୍ତା ୫ ବର୍ଷ ନିମନ୍ତେ କାର୍ୟ୍ୟକାରୀତା ଖର୍ଚ୍ଚ ସମେତ ମୋଟ ୬,୪୬୬ କୋଟି ଟଙ୍କା ଏ ବାବଦରେ ଖର୍ଚ୍ଚ ହେବ । ସାର୍ବଜନୀନ ସେବା ଆଇନଗତ ବାଧ୍ୟକ ପାଣ୍ଠି (ୟୁଏସଓଏଫ) ଏହି ପ୍ରକଳ୍ପ ଖର୍ଚ୍ଚ ବହନ କରିବ । ରାଜିନାମା ସ୍ୱାକ୍ଷରିତ ହେବାର ୧୮ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ୟ୍ୟ ସମାପିତ ହେବ । ତେବେ ଏହା ନଭେମ୍ବର ୨୦୨୩ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବା ଆଶା କରାଯାଉଛି ।
ଚିହ୍ନଟ ହୋଇଥିବା ସେବା ବଞ୍ଚିତ ଗ୍ରାମଗୁଡିକୁ ଏହି ୪ଜି ସେବା ସୁବିଧା ୟୁଏସଓଏଫର ମାର୍ଗଦର୍ଶିକା ଅନୁସାରେ ମୁକ୍ତ ପ୍ରତିଯୋଗିତାମୂଳକ ନିଲାମ ଜରିଆରେ ପ୍ରଦାନ କରାଯିବ ।
ପାଞ୍ଚଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ଓଡ଼ିଶାର ଦୁର୍ଗମ ସେବା ବଞ୍ଚିତ ଆକାଂକ୍ଷି ଜିଲ୍ଲାଗୁଡିକରେ ଏହି ମୋବାଇଲ ସେବା ପ୍ରଚଳନ ଦ୍ୱାରା ଆତ୍ମନିର୍ଭରଶୀଳତା, ଶିଖିବା ସୁବିଧା, ତଥ୍ୟ ଓ ଜ୍ଞାନର ପ୍ରଚାର, କୌଶଳ ବିକାଶ ଓ ଏହାର ଉନ୍ନୀତକରଣ, ଇ-ସରକାରୀ ପଦକ୍ଷେପ, ଉଦ୍ୟୋଗ ପ୍ରତିଷ୍ଠା, ଇ-କମର୍ସ ଓ କର୍ମସଂସ୍ଥାନ କ୍ଷେତ୍ରରେ ଡିଜିଟାଲ ସଂଯୋଗୀକରଣ ବୃଦ୍ଧି ପାଇବା ସହ ଆତ୍ମନିର୍ଭର ଭାରତ ଗଠନର ଲକ୍ଷ୍ୟ ସାଧିତ ହୋଇପାରିବ ।

Leave A Reply

Your email address will not be published.