● ଭୂତାଣୁ ବିରୋଧରେ ପ୍ରଭାବୀ ପ୍ରତିରୋଧକ କ୍ଷମତା ସୃଷ୍ଟି ନିମନ୍ତେ ଟିକାର ଦ୍ୱିତୀୟ ଡୋଜକୁ ପ୍ରାଥମିକତା ଦିଆଯିବା ଉଚିତ
● ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ଟିକା ନଷ୍ଟ ମାତ୍ରା ସଂକୁଚିତ ହେବା ଆବଶ୍ୟକ
● ଅକ୍ସିଜେନର ଯଥାର୍ଥ ବ୍ୟବହାର ହେବା ଉଚିତ
● ଗ୍ରାମାଞ୍ଚଳରେ କୋଭିଡ କେୟାର ବାବଦରେ ସଚେତନତା ସୃଷ୍ଟି ନିମନ୍ତେ କ୍ଷେତ୍ରୀୟ ପଦାଧିକାରୀ ଓ କମ୍ୟୁନିଟି ନେତାଙ୍କୁ ସାମିଲ କରାଯିବା ଉଚିତ
ନୂଆଦିଲ୍ଲୀ, (ପିଆଇବି) : ଦେଶରେ କୋଭିଡ ସ୍ଥିତି ସମୀକ୍ଷା ନିମନ୍ତେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ କ୍ୟାବିନେଟ ସଚିବ ୩୩ତମ ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବମାନେ ଯୋଗଦେଇଥିଲେ ।
କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ଗତବର୍ଷ ଠାରୁ କୋଭିଡ ମହାମାରୀର ପ୍ରଭାବକୁ ନିୟନ୍ତ୍ରଣ କରିବାରେ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ରାଜ୍ୟଗୁଡ଼ିକୁ ଅବଗତ କରାଇଥିଲେ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ଓ ବୃଦ୍ଧି, ଟିକାର ଗବେଷଣା ଓ ଉତ୍ପାଦନ, ଗରିବ ଲୋକଙ୍କ କଲ୍ୟାଣ, ଟିକାକରଣ ଓ ଅକ୍ସିଜେନ ଯୋଗାଣ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବାବଦରେ ଭାରତ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଟାସ୍କଫୋର୍ସ ଓ ବିଶେଷଜ୍ଞ ଗୋଷ୍ଠୀ ଦ୍ୱାରା ହୋଇଥିବା କାର୍ୟ୍ୟ ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ । ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଦିଗରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଦ୍ୱାରା ହୋଇଥିବା ସମୟୋଚିତ କାର୍ୟ୍ୟକୁ ଶ୍ରୀ ଗୌବା ପ୍ରଶଂସା କରିଥିଲେ ଏବଂ ଗୃହ ସଙ୍ଗରୋଧ, ହାଲୁକା କୋଭିଡ ମାମଲାର ଯତ୍ନ ଆଦି ପ୍ରସଙ୍ଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଭାରତ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ବିଭିନ୍ନ ମାର୍ଗଦର୍ଶିକା ବାବଦରେ ସୂଚନା ଦେଇଥିଲେ । ୨୦୨୦ ସେପ୍ଟେମ୍ବର ଠାରୁ ଏଲଏମଓର ଉତ୍ପାଦନ ଓ ଯୋଗାଣ ନିମନ୍ତେ ଘରୋଇ ଶିଳ୍ପ ସହିତ ପ୍ରଧାନମନ୍ତ୍ରୀଙ୍କ ସକ୍ରିୟ ଯୋଗଦାନ ଜଳ, ସ୍ଥଳ ଓ ଆକାଶମାର୍ଗରେ ଏଲଏମଓ ପରିବହନ ସଂକ୍ରାନ୍ତ ବିଭିନ୍ନ ଲଜିଷ୍ଟିକ୍ସ ସମସ୍ୟାର ପ୍ରତିକାରରେ ସହାୟକ ହୋଇଥିବା ନେଇ ସେ ସୂଚନା ଦେଇଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ଜନସାଧାରଣଙ୍କୁ ସବୁବେଳେ ଅବଗତ କରାଇବାର ଆବଶ୍ୟକତା ନେଇ କ୍ୟାବିନେଟ ସଚିବ ଗୁରୁତ୍ୱ ଦେଇଥିଲେ ଏବଂ ହସ୍ପିଟାଲଗୁଡ଼ିକୁ ଠିକଣା ସମୟରେ ଅକ୍ସିଜେନ ଓ ଅନ୍ୟ ମେଡିକାଲ ସମ୍ବଳ ଯୋଗାଣ କ୍ଷେତ୍ରରେ କୌଣସି ପ୍ରକାର ସୁଯୋଗ ହାତଛଡ଼ା କରାଯିବ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।
କ୍ୟାବିନେଟ ସଚିବ ଜଣାଇଥିଲେ ଯେ ପ୍ରଧାନମନ୍ତ୍ରୀ ଦେଶରେ ଟିକା ବିକାଶ ଓ ଉତ୍ପାଦନ ପାଇଁ ୨୦୨୦ ଏପ୍ରିଲରେ ଏକ ବିଶେଷଜ୍ଞ ଗୋଷ୍ଠୀ ଏବଂ ପରେ ଟିକା ବିତରଣ ନିମନ୍ତେ ୨୦୨୦ ଅଗଷ୍ଟରେ ଆଉ ଏକ ବିଶେଷଜ୍ଞ ଗୋଷ୍ଠୀ ଗଠନ କରିଥିଲେ । ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଅଗ୍ରାଧିକାର ଗୋଷ୍ଠୀ ଚିହ୍ନଟ କରାଯାଇଥିଲା ଏବଂ ଏହି ଅଗ୍ରାଧିକାର ଗୋଷ୍ଠୀ ନିମନ୍ତେ ଟିକାକରଣ ଲାଗି ଭାରତ ସରକାରଙ୍କ ଦ୍ୱାରା ମାଗଣାରେ ରାଜ୍ୟଗୁଡ଼ିକୁ ଟିକା ଯୋଗାଇ ଦିଆଯାଇଥିଲା । ଏହାପରେ ଚାହିଦା ଅନୁସାରେ, ଅଗ୍ରାଧିକାର ତାଲିକାରେ ଅନ୍ୟ ଅସୁରକ୍ଷିତ ଗୋଷ୍ଠୀଙ୍କୁ ସାମିଲ କରାଯାଇଥିଲା । ସେ ଦର୍ଶାଇଥିଲେ ଯେ ଟିକାର ଦ୍ୱିତୀୟ ଡୋଜ ନେବା ପାଇଁ ଯୋଗ୍ୟ ଲୋକମାନଙ୍କୁ ପ୍ରାଥମିକତା ଦିଆଯିବା ଆବଶ୍ୟକ ଓ ଟିକା ନଷ୍ଟ ମାତ୍ରା ସଂକୁଚିତ କରାଯିବା ଦରକାର । ଟିକାକରଣ ବାବଦରେ ଭୁଲ ତଥ୍ୟ ଦିଆଯିବାକୁ ନେଇ ଚିନ୍ତା ପ୍ରକଟ କରି ସେ ଦର୍ଶାଇଥିଲେ ଯେ କେନ୍ଦ୍ର ସରକାର ଅଥବା ରାଜ୍ୟ ସରକାରମାନଙ୍କ ଦ୍ୱାରା ହାସଲ କରାଯାଉଥିବା ସମସ୍ତ ଟିକା ପ୍ରକୃତରେ ରାଜ୍ୟଗୁଡ଼ିକର ଜନତାଙ୍କ ପାଇଁ ଉଦ୍ଦିଷ୍ଟ ଏବଂ କେନ୍ଦ୍ରୀୟ ସ୍ତରରେ କୌଣସି ପ୍ରକାର ବ୍ୟବହାର କରାଯାଉ ନାହିଁ ।
ଏହାବ୍ୟତୀତ ଟେଷ୍ଟିଙ୍ଗ, ତ୍ୱରିତ ପଦକ୍ଷେପ ଓ ମହାମାରୀର ସ୍ଥାନୀୟ ନିୟନ୍ତ୍ରଣ, ହସ୍ପିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା, ମାନବ ସମ୍ବଳ ବିକାଶ କରିବା, ଅକ୍ସିଜେନର ଯଥାର୍ଥ ବ୍ୟବହାର ଆଦି କ୍ଷେତ୍ରରେ ପ୍ରାଥମିକତା ଦେବା ନିମନ୍ତେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଥିଲେ । ଆଗାମୀ ୩ ମାସ ମଧ୍ୟରେ ୧୨୧୩ ପିଏସଏ ପ୍ଲାଣ୍ଟ ସ୍ଥାପନ ସଂକ୍ରାନ୍ତ ଯୋଜନା ବାବଦରେ ସେ ଅବଗତ କରିଥିଲେ । ଟିକାର ନ୍ୟାୟସଙ୍ଗତ ବ୍ୟବହାରକୁ ଦୋହରାଇବା ସହ ଉତ୍ତମ ପ୍ରତିରୋଧକ ନିମନ୍ତେ ଟିକାର ଉଭୟ ଡୋଜ ଶେଷ କରିବା ଲାଗି ଏକ ସଚେତନତା ଅଭିଯାନର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ ।
ଟିକା ଉତ୍ପାଦନକାରୀଙ୍କ ସହ ପ୍ରତିଦିନ ଭିତ୍ତିରେ ଯୋଗାଯୋଗ ନିମନ୍ତେ ରାଜ୍ୟଗୁଡ଼ିକ ଉତ୍ସର୍ଗୀକୃତ ଟିମ ଗଠନ କରିବା ଆବଶ୍ୟକ ।
ସୂଚନା ଓ ପ୍ରସାରଣ ସଚିବ କୋଭିଡ ଅନୁକୂଳ ବ୍ୟବହାର ଜାରି ରଖିବାର ଗୁରୁତ୍ୱ ସଂକ୍ରାନ୍ତରେ ଫୋକସ କରିଥିଲେ ଏବଂ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଉଥିବା ବିଭିନ୍ନ ମାର୍ଗଦର୍ଶିକା ଓ ଆଡଭାଇଜରି ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ଏହି ମାର୍ଗଦର୍ଶିକା ଓ ଆଡଭାଇଜରି ଆଦି https://www.mygov.in/covid-19/ରେ ଉପଲବ୍ଧ । ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଏଏନଏମ ଏବଂ ଅନ୍ୟମାନଙ୍କ ଭଳି କ୍ଷେତ୍ରୀୟ ପଦାଧିକାରୀଙ୍କୁ ସାମିଲ କରି ସହର ଉପକଣ୍ଠ, ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ଆହୁରି ଅଧିକ ସଚେତନତା ସୃଷ୍ଟି ନିମନ୍ତେ ସେ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଥିଲେ । ଏହାସହ ଲୋକମାନଙ୍କ ନିକଟରେ ଉପଯୁକ୍ତ ମାର୍ଗଦର୍ଶିକାର ଯଥାର୍ଥତା ବୁଝାଇବା ପାଇଁ କମ୍ୟୁନିଟି ନେତା ଓ ସ୍ଥାନୀୟ ପ୍ରଭାବୀ ଲୋକଙ୍କୁ ସାମିଲ କରିବା ଲାଗି ମଧ୍ୟ ସେ ପରାମର୍ଶ ଦେଇଥିଲେ, ଯଦ୍ଦ୍ୱାରା କୋଭିଡ-୧୯ର ପ୍ରାରମ୍ଭିକ ଲକ୍ଷଣ ଓ ତତପରବର୍ତ୍ତୀ ଆବଶ୍ୟକ ଚିକିତ୍ସାସେବାକୁ ନେଇ କୌଣସି ପ୍ରକାର ଭୟ ସୃଷ୍ଟି ହେବନାହିଁ ।