ନୂଆଦିଲ୍ଲୀ : ମସ୍କୋରୁ ଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନରେ ବୋମା ଆତଙ୍କ ଖେଳିଛି । ଗୁରୁବାର ବିଳମ୍ବିତ ରାତିରେ ଗୋଟାଏ ବିମାନରେ ବୋମା ଥିବା କଥା ଏକ ଧମକପୂର୍ଣ୍ଣ କଲ ଆସିଥିଲା । ଖବର ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ଲୋକେ ଭୟଭୀତ ହୋଇପଡିଲେ । ବିଳମ୍ବିତ ରାତି ପ୍ରାୟ ୩ଟା ୨୦ରେ ବିମାନଟି ଦିଲ୍ଲୀ ଏୟାରପୋର୍ଟରେ ଳ୍ୟାଣ୍ଡ୍ କରିଥିଲା । ଧମକ ଆସିବା ପରେ ଯାତ୍ରୀ ଓ କ୍ରୁ’ମାନଙ୍କୁ ଓହ୍ଲାଇ ଦିଆଯାଇ ତଦନ୍ତ ଆରମ୍ଭ କରାଯାଇଥିଲା ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ଟା ୧୫ରେ ଫୋନ୍କଲ୍ ଆସିଥିଲା ଯେ ମସ୍କୋରୁ ଦିଲ୍ଲୀ ଆସୁଥିବା ବିମାନ ଘକ୍ଟ ଝଟ ୨୩୨ରେ ବୋମା ରହିଛି । ଏହା ପରେ ବମ୍ ଡିସପୋଜାଲ୍ ସ୍କ୍ୱାଡ୍ ଏବଂ ଅନ୍ୟ ଉଦ୍ଧାରକାରୀ ଦଳ ପଠାଯାଇ ବିମାନଟି ରନୱେ ୨୯ରେ ଅବତରଣ କରିଥିଲା । ବିମାନଟି ଲ୍ୟାଣ୍ଡ କରିବା ପରେ ୩୮୬ ଜଣ ଯାତ୍ରୀ ଏବଂ ୧୬ ଜଣ କ୍ରୁ ମେମ୍ବରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଏହାସହ ସମଗ୍ର ଘଟଣାର ତଦନ୍ତ କରାଯାଇଥିଲା । ହେଲେ କୌଣସି ବୋମା ମିଳିନଥିଲା । ଅଧିକାରୀଙ୍କ କହିବା ଅନୁଯାୟୀ ବିମାନଟି ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା କିନ୍ତୁ କୌଣସି ସନ୍ଦେହଜନକ ତଥ୍ୟ ମିଳିନାହିଁ । ସେହିପରି ସମସ୍ତ ବିମାନଠାରୁ ଏହି ବିମାନକୁ ଅଲଗା ସ୍ଥାନରେ ପାର୍କିଂ କରାଯାଇଛି । ସେପଟେ ଏହା ମିଥ୍ୟା ଧମକ ବୋଲି ପ୍ରାଥମିକ ତଦନ୍ତରୁ ପୋଲସି ଅନୁମାନ କରୁଛି । କିନ୍ତୁ ଏହି ଘଟଣା ଯୋଗୁଁ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜୀତୀୟ ବିମାନ ବନ୍ଦରରେ ବିମାନ ଚଳାଚଳରେ ସାମାନ୍ୟ ବିଳମ୍ବ ଘଟିଥିଲା ।