ଦିଲ୍ଲୀର ରୋହିଣୀ କୋର୍ଟରେ ବିସ୍ଫୋରଣ : ଜଣେ ପୋଲିସ କର୍ମଚାରୀ ଆହତ, ଘଟଣାସ୍ଥଳରୁ ଆଇଇଡି ଏବଂ ଟିଫିନ୍ ଉଦ୍ଧାର

ନୂଆଦିଲ୍ଲୀ : ଆଜି ପୂର୍ବାହ୍ନ ସମୟରେ ଦିଲ୍ଲୀର ରୋହିଣୀ କୋର୍ଟରେ ଏକ ରହସ୍ୟମୟ ବିସ୍ଫୋରଣ ଘଟିଛି । ଅଗ୍ନିଶମ ବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ପ୍ରାଥମିକ ରିପୋର୍ଟ ଅନୁଯାୟୀ କୋର୍ଟରେ ଏକ ଲାପଟପ୍ ବିସ୍ଫୋରଣ ହୋଇଥିଲା । ପୋଲିସ କହିଛି ଯେ, ସେମାନେ ଏହି ଘଟଣାର ତଦନ୍ତ କରୁଛନ୍ତି । ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି ଯେ, ସକାଳ ୧୦.୪୦ ରେ ସେମାନେ ବିସ୍ଫୋରଣ ବିଷୟରେ ସୂଚନା ପାଇଥିଲେ, ଯାହା ପରେ ସାତୋଟି ଅଗ୍ନିଶମ ଯାନ ପଠାଯାଇଥିଲା । ଅଧିକାରୀ କହିଛନ୍ତି ଯେ, କୋର୍ଟରେ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି ।

ଏହି ବିସ୍ଫୋରଣରେ କୋର୍ଟ ନମ୍ବର ୧୦୨ର ଜଣେ ନାଏବ (ପୋଲିସ୍ କର୍ମୀ) ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ରୋହିଣୀ ଜିଲ୍ଲାର ଡିସିପି ଏବଂ ଏସିପି ଆରତୀ ଶର୍ମା ପୋଲିସ ଫୋର୍ସ ସହିତ ରୋହିଣୀ କୋର୍ଟରେ ପହଞ୍ଚିଥିଲେ । ବିସ୍ଫୋରଣ ପରେ ଲୋକମାନେ ଗୁଳି ମାଡ଼ର ଗୁଜବ ପ୍ରଚାର କରିଥିଲେ, ଯାହା ସମଗ୍ର କୋର୍ଟରେ ଆଲୋଡ଼ନ ସୃଷ୍ଟି କରିଥିଲା ।

ତେବେ ଏହା କମ୍ ତୀବ୍ରତାର ବିସ୍ଫୋରଣ ବୋଲି କୁହାଯାଉଥିବା ବେଳେ ଆଇଇଡ଼ି ଏବଂ ଟିଫିନ୍ ମଧ୍ୟ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ବିସ୍ଫୋରଣର ତଦନ୍ତ ଆରମ୍ଭ କରିଛି । ଏନଏସଜି ଦଳକୁ ମଧ୍ୟ ଡକାଯାଇଛି ।

Leave A Reply

Your email address will not be published.