ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ସୋମବାର ଦିନ ୪ଟା ସମୟରେ ଡେରାଡୁନରେ ବିଜେପି ବିଧାନସଭା ଦଳର ଏକ ବୈଠକ ଡକାଯାଇଥିଲା । ବାସ୍ତବରେ ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ଚାଲିଥିବା ପ୍ରସ୍ତୁତି ମଧ୍ୟରେ ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବାସଭବନରେ ଭାରତୀୟ ଜନତା ଦଳର ବରିଷ୍ଠ ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡରେ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି, ରାଜ୍ୟ ସଭାପତି ମଦନ କୌଶିକ, ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏବଂ ବିଜେପି ସଭାପତି ଜେ.ପି. ନଡ୍ଡା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଉପସ୍ଥିତ ଥିଲେ ।
ବିଜେପି ବିଧାନସଭା ପାର୍ଟି ବୈଠକ ପୂର୍ବରୁ ଅନୁଷ୍ଠିତ ଏହି ବୈଠକରେ ବିଧାନସଭା ଦଳର ନେତାଙ୍କ ନାମ ଉପରେ ଆଲୋଚନା ହୋଇଥିବା ସୂତ୍ରରୁ ପ୍ରକାଶ । ଏହା ଜଣା ଯେ, ଉତ୍ତରାଖଣ୍ଡରେ ବିଜେପିକୁ ବହୁମତ ମିଳିଥିଲା, କିନ୍ତୁ ମୁଖ୍ୟମନ୍ତ୍ରୀ ଧାମିଙ୍କୁ ଖତିମାଙ୍କଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଏଭଳି ପରିସ୍ଥିତିରେ ସରକାରଙ୍କୁ କିଏ ନେତୃତ୍ୱ ଦେବ, ସେନେଇ ବିଜେପିରେ ବିଚାର ବିମର୍ଷ ଜାରି ରହିଛି ।
ପରାଜୟ ସତ୍ତ୍ୱେ ଧାମି ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୌଡ଼ରେ ସମସ୍ସ୍ତଙ୍ଙ୍କ ଆଗରେ ଅଛନ୍ତି । ଶାହାଙ୍କ ବାସଭବନରେ ଚାଲିଥିବା ବୈଠକରେ ଧାମିଙ୍କ ଉପସ୍ଥିତି ଏହା ମଧ୍ୟ ସୂଚିତ କରିଛି । ପ୍ରକାଶ ଥାଉକି, ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତାକାରୀଙ୍କ ମଧ୍ୟରେ ବୌବଟ୍ଟାଖାଲର ବିଧାୟକ ସତ୍ୟପାଲ ମହାରାଜ, ଶ୍ରୀନଗର ବିଧାୟକ ଧନ ସିଂ ରାୱତ ଏବଂ ରାଜ୍ୟସଭା ସଦସ୍ୟ ଅନିଲ ବଲୁନି ମଧ୍ୟ ଅଛନ୍ତି । ବିଜେପି ବିଧାନସଭା ପାର୍ଟିର ପ୍ରସ୍ତାବିତ ବୈଠକ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଏବଂ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କୁ ସହ-ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି ।