jayashree

ୟୁକ୍ରେନ ପଡ଼ୋଶୀ ରାଷ୍ଟ୍ରରୁ ସ୍ଵତନ୍ତ୍ର ବିମାନ ଯୋଗେ ଫେରିଲେ ୩ ହଜାର ଭାରତୀୟ

• ଏବେ ସୁଦ୍ଧା ସ୍ଵତନ୍ତ୍ର ବିମାନ ଜରିଆରେ ଫେରିଲେଣି ୧୩ ହଜାର ୭ଶହ ଭାରତୀୟ

ନୂଆଦିଲ୍ଲୀ, (ପିଆଇବି) : ‘ଅପରେସନ ଗଙ୍ଗା’ ଜରିଆରେ ୟୁକ୍ରେନରୁ ଭାରତୀୟ ନାଗରିକମାନଙ୍କର ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରରୁ ୧୫ଟି ସ୍ଵତନ୍ତ୍ର ବିମାନ ଜରିଆରେ ଗତକାଲି ପ୍ରାୟ ତିନି ହଜାର ଭାରତୀୟ ନାଗରିକ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏଥିମଧ୍ୟରେ ୧୨ଟି ସ୍ଵତନ୍ତ୍ର ବେସାମରିକ ବିମାନ ଏବଂ ଭାରତୀୟ ବାୟୁସେନାର ୩ଟି ବିମାନ ରହିଛି । ଏଥିସହିତ, ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର ଲାଗି ୨୨ ଫେବୃଆରୀ, ୨୦୨୨ରେ ସ୍ଵତନ୍ତ୍ର ବିମାନ ଚଳାଚଳ ଆରମ୍ଭ ହେବା ପରଠାରୁ ଏବେସୁଦ୍ଧା ପ୍ରାୟ ୧୩ ହଜାର ୭ଶହ ଭାରତୀୟଙ୍କୁ ଫେରାଇ ଅଣାଯାଇଛି । ୫୫ଟି ସ୍ଵତନ୍ତ୍ର ବେସାମରିକ ବିମାନ ଜରିଆରେ ଫେରିଥିବା ଭାରତୀୟମାନଙ୍କ ସଂଖ୍ୟା ୧୧ ହଜାର ୭୨୮ରେ ପହଞ୍ଚିଛି । ଅପରେସନ ଗଙ୍ଗା ଅଧୀନରେ ଗତକାଲି ସୁଦ୍ଧା, ଭାରତୀୟ ବାୟୁସେନାର ୧୦ଟି ବିମାନ ଜରିଆରେ ୨୦୫୬ ଜଣ ଯାତ୍ରୀ ଫେରିଛନ୍ତି ଏବଂ ୨୬ ଟନ୍‌ ରିଲିଫ ସାମଗ୍ରୀ ଏସବୁ ରାଷ୍ଟ୍ରକୁ ପରିବହନ କରାଯାଇଛି । ଗତକାଲି ହିଣ୍ଡନ ଏୟାର ବେସରୁ ଉଡ଼ାଣ ଆରମ୍ଭ କରିଥିବା ଭାରତୀୟ ବାୟୁସେନାର ତିନୋଟି ଅଧିକ ଓଜନ ପରିବହନକାରୀ ସି-୧୭ ବିମାନ ପୁଣିଥରେ ଗତକାଲି ସକାଳେ ହିଣ୍ଡନ ଏୟାରବେସକୁ ଫେରିଛି । ଏସବୁ ବିମାନ ଜରିଆରେ ରୋମାନିଆ, ସ୍ଲୋଭାକିଆ ଏବଂ ପୋଲାଣ୍ଡରୁ ୬୨୯ ଜଣ ଭାରତୀୟ ନାଗରିକମାନଙ୍କୁ ଉଦ୍ଧାର କରି ଅଣାଯାଇଛି । ଏହାଛଡ଼ା ଏହି ତିନୋଟି ବିମାନ ଜରିଆରେ ୧୬.୫ ଟନ୍‌ ରିଲିଫ ସାମଗ୍ରୀ ଭାରତରୁ ଏସବୁ ରାଷ୍ଟ୍ରମାନଙ୍କୁ ପଠାଯାଇଛି । ଗୋଟିଏକୁ ଛାଡ଼ି ସବୁ ବେସାମରିକ ବିମାନ, ଆଜି ସକାଳେ ଭାରତରେ ପହଞ୍ଚିଛନ୍ତି । ଅନ୍ୟପଟେ କୋସିଚେରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ବିମାନ ଗତକାଲି ସନ୍ଧ୍ୟା ପରେ ପହଞ୍ଚିବ ବୋଲି ଆଶା କରାଯାଉଛି । ଗତକାଲି ବୁଦାପେଷ୍ଟରୁ ୫ଟି, ସୁଚେଭାରୁ ୪ଟି, କୋସିଚେରୁ ଗୋଟିଏ ଏବଂ ରେସେଜୋରୁ ୨ଟି ବିମାନ ଭାରତୀୟମାନଙ୍କୁ ନେଇ ଫେରିଛି । ଆଜି, ବୁଦାପେଷ୍ଟ, କୋସିଚେ, ରେସେଜୋ ଏବଂ ବୁକାରେଷ୍ଟରୁ ୧୧ଟି ସ୍ଵତନ୍ତ୍ର ବିମାନ ଜରିଆରେ ୨୨୦୦ରୁ ଅଧିକ ଭାରତୀୟ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.