ସୋମବାର, ୦୭ ଅକ୍ଟୋବର, ୨୦୨୪ରେ ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

  • ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, ସରକାର ମାର୍ଚ୍ଚ, ୨୦୨୬ ସୁଦ୍ଧା ଏଲ୍‌ଡବ୍ଲୁଇର ବିପଦକୁ ସମ୍ପୂର୍ଣ୍ଣ ରୂପେ ମୂଳପୋଛ କରିବାକୁ ପ୍ରତିଶ୍ରୁତିବଦ୍ଧ
  • ୨୦୨୪ ମସିହାରେ ଏପର୍ଯ୍ୟନ୍ତ ୨୦୨ ସଶସ୍ତ୍ର ଏଲ୍‌ଡବ୍ଲୁଇ କ୍ୟାଡରଙ୍କୁ ନିପାତ କରିବାରେ ସୁରକ୍ଷା ବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି
  • ୨୦୨୪ର ପ୍ରଥମ ୯ ମାସରେ ୭୨୩ ଜଣ ଏଲ୍‌ଡବ୍ଲୁଇ କ୍ୟାଡର ଆତ୍ମସମର୍ପଣ କରିଛନ୍ତି ଏବଂ ୮୧୨ ଜଣଙ୍କୁ ଗିରଫ କରାଯାଇଛି
  • ଏଲ୍‌ଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୪୪୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ପାଖାପାଖି ୬୦୦୦ ମୋବାଇଲ ଟାୱାର ସ୍ଥାପନ କରାଯାଇଛି
  • ମୋଦି ସରକାରଙ୍କ ରଣନୀତି ଯୋଗୁଁ ଏଲ୍‌ଡବ୍ଲୁଇ ହିଂସା ୭୨% କମିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୬% କମିଛି, ଆଜି ଏଲଡବ୍ଲୁଇ ତା’ର ଶେଷ ଲଢ଼େଇ ଲଢୁଛି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଅକ୍ଟୋବର ୭, ୨୦୨୪, ସେମାବାର ଦିନ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହି ବୈଠକରେ ଏଲ୍‌ଡବ୍ଲୁଇ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଯୋଗଦେବେ । ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ବାମପନ୍ଥୀ ଉଗ୍ରବାଦ (ଏଲଡବ୍ଲୁଇ)ର ବିପଦକୁ ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରିବାକୁ ପ୍ରତିଶ୍ରୁତିବଦ୍ଧ । କେନ୍ଦ୍ର ସରକାର ନକ୍ସଲବାଦର ମୁକାବିଲା ପାଇଁ ଏଲଡବ୍ଲୁଇ ପ୍ରଭାବିତ ରାଜ୍ୟ ସରକାରଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେଉଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଶେଷ ଥର ପାଇଁ ୦୬ ଅକ୍ଟୋବର, ୨୦୨୩ରେ ଏଲ୍‌ଡବ୍ଲୁଇ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏଲ୍‌ଡବ୍ଲୁଇ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ସେହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଏଲ୍‌ଡବ୍ଲୁଇ ଉଚ୍ଛେଦ ସଂକ୍ରାନ୍ତରେ ବ୍ୟାପକ ନିର୍ଦ୍ଦେଶ ଦେଇଥିଲେ । ମୋଦୀ ସରକାରଙ୍କ ରଣନୀତି ଯୋଗୁଁ ଏଲଡବ୍ଲୁଇ ହିଂସା ୭୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ୨୦୧୦ ତୁଳନାରେ ୨୦୨୩ରେ ମୃତ୍ୟୁ ସଂଖ୍ୟା ୮୬ ପ୍ରତିଶତ ହ୍ରାସ ପାଇଛି ଏବଂ ଏଲ୍‌ଡବ୍ଲୁଇ ଆଜି ନିଜର ଶେଷ ଲଢ଼େଇ ଲଢୁଛି । ସଶସ୍ତ୍ର ଏଲ୍‌ଡବ୍ଲୁଇ କ୍ୟାଡରଙ୍କୁ ନିପାତ କରିବାରେ ୨୦୨୪ ମସିହାରେ ସୁରକ୍ଷା ବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୦୨ ଜଣ ଏଲ୍‌ଡବ୍ଲୁଇ କ୍ୟାଡରଙ୍କୁ ନିପାତ କରାଯାଇଛି, ୨୦୨୪ର ପ୍ରଥମ ୯ ମାସରେ ୭୨୩ ଜଣ ଏଲ୍‌ଡବ୍ଲୁଇ କ୍ୟାଡର ଆତ୍ମସମର୍ପଣ କରିଥିବା ବେଳେ ୮୧୨ ଜଣଙ୍କୁ ଗିରଫ କରାଯାଇଛି । ୨୦୨୪ରେ ଏଲ୍‌ଡବ୍ଲୁଇ ପ୍ରଭାବିତ ଜିଲ୍ଲା ସଂଖ୍ୟା ମାତ୍ର ୩୮କୁ ଖସି ଆସିଛି ।
କେନ୍ଦ୍ର ସରକାର କ୍ଷତିଗ୍ରସ୍ତ ରାଜ୍ୟର ଦୁର୍ଗମ ଅଂଚଳରେ ଉନ୍ନୟନମୂଳକ ଯୋଜନା ପହଞ୍ଚାଇବା ପାଇଁ ସଡ଼କ ଏବଂ ମୋବାଇଲ ଯୋଗାଯୋଗକୁ ପ୍ରୋତ୍ସାହନ ଦେବା ସମେତ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଲ୍‌ଡବ୍ଲୁଇ ପ୍ରଭାବିତ ଅଂଚଳରେ ବର୍ତ୍ତମାନ ସୁଦ୍ଧା ୧୪୪୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ପାଖାପାଖି ୬୦୦୦ ମୋବାଇଲ ଟାୱାର ଲଗାଯାଇଛି ।

Leave A Reply

Your email address will not be published.