● “ପରବର୍ତ୍ତୀ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ମୁକାବିଲା ନିମନ୍ତେ ଆମେ ନିଜକୁ ପ୍ରସ୍ତୁତ ରଖିବା ଆବଶ୍ୟକ”
● “ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ସାମଗ୍ରିକ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦିଗରେ ଏକ ସାର୍ବଜନୀନ ପଦକ୍ଷେପ”
● “ବୈଶ୍ୱିକ ଲକ୍ଷ୍ୟ ୨୦୩୦ର ଯଥେଷ୍ଟ ଆଗରୁ ଆମେ ଯକ୍ଷ୍ମା ଉନ୍ମୁଳନ କରିବା ରାସ୍ତାରେ ଆଗେଇଛୁ”
● “ଚାଲନ୍ତୁ ଆମର ନବୋନ୍ମେଷ ଜନହିତରେ ଲଗାଇବା, ପ୍ରଯୁକ୍ତିର ସମାନୁପାତିକ ଉପଲବ୍ଧତାକୁ ପ୍ରଚଳନ କରିବା”
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗର ଠାରେ ଆୟୋଜିତ ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରିଛନ୍ତି ।
ଉପସ୍ଥିତ ଅତିଥିଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ୨.୧ ନିୟୁତ ଡାକ୍ତର, ୩.୫ ନିୟୁତ ସେବିକା, ୧.୩ ନିୟୁତ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ ସେବକ ଓ ୧.୬ ନିୟୁତ ଫାର୍ମାସିଷ୍ଟ ଓ ଲକ୍ଷାଧିକ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯତ୍ନ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ ଜଣାଇ ଥିଲେ ।
ଜାତିର ପିତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗାନ୍ଧିଜୀ ସ୍ୱାସ୍ଥ୍ୟକୁ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବିବେଚନା କରୁଥିଲେ ଯେ ଏହାକୁ ନେଇ ସେ “କୀ ଟୁ ହେଲ୍ଥ” ନାମରେ ପୁସ୍ତକ ରଚନା କରିଥିଲେ । ସେ କହିଥିଲେ ଯେ ସୁସ୍ଥ ରହିବା ଅର୍ଥ ହେଲା ଜନତାଙ୍କର ମନ ଓ ଶରୀର ସନ୍ତୁଳିତ ଓ ଖୁସୀର ସହ ରହିବା ଦରକାର । ଏହା ଅର୍ଥ ହେଉଛି ସ୍ୱାସ୍ଥ୍ୟ ହେଉଛି ଜୀବନର ଭିତ୍ତିଭୂମି ।
ପ୍ରଧାନମନ୍ତ୍ରୀ ମଧ୍ୟ ଏକ ସଂସ୍କୃତ ଶ୍ଳୋକ ଆବୃତ୍ତି କରିଥିଲେ- ଯାହାର ଅର୍ଥ ହେଲା “ସ୍ୱାସ୍ଥ୍ୟ ହିଁ ଅମୂଲ୍ୟ ସମ୍ପଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ ସହ ପ୍ରତ୍ୟେକ କାର୍ଯ୍ୟ ହାସଲ କରିହେବ ।”
ପ୍ରଧାନମନ୍ତ୍ରୀ ଗୁରୁତ୍ୱର ସହ କହିଥିଲେ ଯେ କୋଭିଡ-୧୯ ଭଳି ବୈଶ୍ୱିକ ମହାମାରୀ ଆମକୁ ସବୁବେଳେ ସ୍ମରଣ କରାଇ ଦିଏ ଯେ ସ୍ୱାସ୍ଥ୍ୟ ହିଁ ଆମ ସମସ୍ତ ନିଷ୍ପତ୍ତିର ମୁଖ୍ୟ ବିଷୟ ହେବା ଆବଶ୍ୟକ । ସମୟ ମଧ୍ୟ ଆମକୁ ସଚେତନ କରି ଦେଇଛି ଯେ ସେ ଔଷଧ ହେଉ ବା ଟୀକା ଯୋଗାଣ ବା ଲୋକଙ୍କୁ ଘରକୁ ଫେରାଇ ଆଣିବା ସବୁଥିରେ ଆନ୍ତର୍ଜାତିକ ସହଯୋଗର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ଭାରତ ସରକାରଙ୍କ ମାନବ ହିତୈଷୀ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୈତ୍ରୀ ଟୀକା ପଦକ୍ଷେପ ଜରିଆରେ ଭାରତ ଦକ୍ଷିଣ ଗୋଲାର୍ଦ୍ଧର କେତେକ ଦେଶ ସମେତ ୧୦୦ରୁ ଅଧିକ ଦେଶକୁ ୩୦୦ ନିୟୁତ କୋଭିଡ୍-୧୯ ଟୀକା ମାତ୍ରା ପ୍ରଦାନ କରିଥିଲେ ।
ବୈଶ୍ୱିକ ମହାମାରୀ କାଳରେ ନମନୀୟତାକୁ ଏକ ବିରାଟ ନୀତିବାଣୀ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବୈଶ୍ୱିକ ସ୍ୱାସ୍ଥ୍ୟ ପଦ୍ଧତି ନମନୀୟ ହେବା ଉଚିତ । ଆମକୁ ନିଶ୍ଚିତ ଭାବେ ପରବର୍ତ୍ତୀ ସ୍ୱାସ୍ଥ୍ୟ ଆପାତକାଳ ନିମନ୍ତେ ଏହାର ଦୂରୀକରଣ ଓ ପରିସ୍ଥିତି ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ଆବଶ୍ୟକ । ଆଜିର ଆନ୍ତଃ ସଂଯୋଗୀକରଣ ବିଶ୍ୱରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ । ବୈଶ୍ୱିକ ମହାମାରୀ ବିଶ୍ୱର ଗୋଟିଏ ପଟରେ ଆରମ୍ଭ ହେଲେ ସ୍ୱାସ୍ଥ୍ୟ ସମସ୍ୟା କିପରି ଦ୍ରୁତ ଭାବେ ଅନ୍ୟପଟକୁ ବ୍ୟାପିଥାଏ ତାହା ଆମେ ଅନୁଭବ କରୁଛୁ ।
“ଭାରତରେ ଆମେ ଏକ ସାମଗ୍ରିକ ଓ ଅନ୍ତର୍ଭୁକ୍ତୀକରଣର ପାଖାପାଖି ପଦକ୍ଷେପ ନେଇଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଆମେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ସମ୍ପ୍ରସାରଣ କରୁଛୁ, ପାରମ୍ପରିକ ଭେଷଜ ପଦ୍ଧତିକୁ ପ୍ରୋତ୍ସାନ ଦେଉଛୁ ଓ ସମସ୍ତଙ୍କୁ ସୁଲଭ ସ୍ୱାସ୍ଥ୍ୟ ସେବା ଯୋଗାଉଛୁ । ବିଶ୍ୱବ୍ୟାପୀ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ସାମଗ୍ରିକ ସ୍ୱାସ୍ଥ୍ୟର ସାର୍ବଜନୀନ ଇଚ୍ଛାର ଏକ ଇଚ୍ଛାପତ୍ର ପାଲଟିଛି । ଚଳିତ ବର୍ଷ ୨୦୨୩ ଆନ୍ତର୍ଜାତିକ ମିଲେଟ ବର୍ଷ ଭାବେ ପାଳନ କରାଯାଉଛି । ଭାରତରେ ପରିଚିତ ଶ୍ରୀ ଅନ୍ନ ବା ମିଲେଟର ଅନେକ ସ୍ୱାସ୍ଥ୍ୟଗତ ଉପକାରିତା ରହିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ବିଶ୍ୱାସ ସ୍ୱାସ୍ଥ୍ୟ ଏବଂ ସୁଧାର ପ୍ରତ୍ୟେକଙ୍କ ନମନୀୟତାକୁ ବୃଦ୍ଧି କରିବ । ଗୁଜରାଟର ଜାମନଗରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପାରମ୍ପରିକ ଭେଷଜ କେନ୍ଦ୍ର ପ୍ରତିଷ୍ଠା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଶ୍ୱ ସାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଉପରେ ବୈଶ୍ୱିକ ଶିଖର ବୈଠକ ଓ ତାହା ପୁଣି ଜି-୨୦ ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ଏହି ସାମର୍ଥ୍ୟ ବୃଦ୍ଧି ଦିଗରେ ଅଧିକ ଉପାଦେୟ ହେବ । ପାରମ୍ପରିକ ଔଷଧର ବୈଶ୍ୱିକ ଗନ୍ତାଘର ସୃଷ୍ଟି କରିବା ଆମର ମିଳିତ ଉଦ୍ୟମ ହେବା ଆବଶ୍ୟକ ।
ସ୍ୱାସ୍ଥ୍ୟ ଓ ପରିବେଶ ଜୈବିକ ଦୃଷ୍ଟିକୋଣରୁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ମୁକ୍ତ ବାୟୁ, ନିରାପଦ ପାନୀୟ ଜଳ, ପର୍ଯ୍ୟାପ୍ତ ପୌଷ୍ଟିକତା ଓ ନିରାପଦ ଆଶ୍ରୟସ୍ଥଳ ସ୍ୱାସ୍ଥ୍ୟ ପାଇଁ ପ୍ରଧାନ ଅବଲମ୍ବନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଜଳବାୟୁ ଓ ସ୍ୱାସ୍ଥ୍ୟ ଦିଗରେ ପଦକ୍ଷେପ ନେଇଥିବାରୁ ସେ ଗଣ୍ୟମାନ୍ୟ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅଣୁ କୀଟାଣୁ ପ୍ରତିରୋଧକ ନିରୋଧୀ (ଏଏମଆର)ର ଭୟ ଉପରେ ନେଇଥିବା ପଦକ୍ଷେପ ପ୍ରଶଂସନୀୟ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଏମଆର ବୈଶ୍ୱିକ ଜନ ସ୍ୱାସ୍ଥ୍ୟ ଓ ସମସ୍ତ ଔଷଧପତ୍ର ପ୍ରସ୍ତୁତି କ୍ଷେତ୍ରରେ ଏକ ବିରାଟ ବିପଦ ସୃଷ୍ଟି କରିଛି । ଜି-୨୦ କାର୍ଯ୍ୟକାରୀ ଗୋଷ୍ଠୀ ‘ଗୋଟିଏ ସ୍ୱାସ୍ଥ୍ୟ’ ଓ ଆମର ଲକ୍ଷ୍ୟ ‘ଗୋଟିଏ ବିଶ୍ୱ’ ଗୋଟିଏ ସ୍ୱାସ୍ଥ୍ୟ ସମଗ୍ର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଉନ୍ନତ କରିବ ଓ ଏ ପ୍ରକାର ଲକ୍ଷ୍ୟ ପାଇଁ ପ୍ରଧାନମନ୍ତ୍ରୀ ଖୁସୀ ପ୍ରକଟ କରିଥିଲେ । ମଣିଷ, ପ୍ରାଣୀ, ବୃକ୍ଷଲତା ଓ ପରିବେଶ ପାଇଁ ଏହି ଲକ୍ଷ୍ୟ ଉପକାରୀ । ଏପରି ସମନ୍ୱିତ ମତ କାହାରିକୁ ପଛରେ ନ ପକାଇବା ଭଳି ଗାନ୍ଧିଜୀଙ୍କ ଚିନ୍ତାଧାରା ସହ ସମାନ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଯେକୌଣସି ସ୍ୱାସ୍ଥ୍ୟ ଜନିତ ପଦକ୍ଷେପର ସଫଳତା ଜନ ସହଯୋଗ ଉପରେ ନିର୍ଭରଶୀଳ । ଏହାର ଗୁରୁତ୍ୱ ଉପରେ ଆଲେକପାତ କରି ପ୍ରଧାନମନ୍ତ୍ରୀ ଆମର କୁଷ୍ଠ ନିରାକରଣ ଅଭିଯାନର ସଫଳତା ଏହାର ଏକ ଉଦାହରଣ ବୋଲି କହିଥିଲେ । ଆମର ଯକ୍ଷ୍ମା ଉନ୍ମେଳନ କାର୍ଯ୍ୟକ୍ରମ ମଧ୍ୟ ଜନକଲ୍ୟାଣ ଉପରେ ପର୍ଯ୍ୟବସିତ । ସେ କହିଥିଲେ ଯେ ଆମେ ଜନସାଧାରଣଙ୍କୁ ଦେଶର ନିଃ-କ୍ଷୟ ମିତ୍ର ବା ଟିବି ଦୂରୀକରଣର ବନ୍ଧୁ, ହେବା ପାଇଁ ନିବେଦନ କରିଥିଲୁ ଓ ପ୍ରାୟ ଏକ ନିୟୁତ ରୋଗୀଙ୍କୁ ନାଗରିକମାନେ ପୋଷ୍ୟ ଭାବେ ଗ୍ରହଣ କରିଥିଲେ ।
“ବର୍ତ୍ତମାନ ଆମେ ଯକ୍ଷ୍ମା ଉନ୍ମେଳନ ବୈଶ୍ୱିକ ଲକ୍ଷ୍ୟ ୨୦୩୦ର ଯଥେଷ୍ଟ ଆଗରୁ ହାସଲ କରିବା ଦିଗରେ ଆଗେଇ ଚାଲିଛୁ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସ୍ୱାସ୍ଥ୍ୟ ସେବା ସମସ୍ତଙ୍କ ପାଇଁ ସୁଲଭ ହେବା ନେଇ ନବୋନ୍ମେଷ ଓ ଡିଜିଟାଲ ସମାଧାନ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମର ଉଦ୍ୟମ ଏ ଦିଗରେ ଉପାଦେୟ ହୋଇଛି ଓ ଦୂରଦୂରାନ୍ତରରେ ଥିବା ରୋଗୀମାନେ ଟେଲି ମେଡିସିନ୍ ଜରିଆରେ ଗୁଣାତ୍ମକ ଚିକିତ୍ସା ସୁବିଧା ପାଇ ପାରୁଛନ୍ତି । ସେ ଭାରତୀୟ ଜାତୀୟ କାର୍ଯ୍ୟକ୍ରମ ଇ-ସଞ୍ଜିବନୀର ପ୍ରଶଂସା କରିବା ସହ ଏହା ଏ ପର୍ଯ୍ୟନ୍ତ ୧୪୦ ନିୟୁତ ଟେଲି ପରାମର୍ଶ ଯୋଗାଇ ପାରିଛି ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତରେ କୋ-ୱିନ୍ ପ୍ଲାଟଫର୍ମ ମାନବ ଇତିହାସରେ ସଫଳ ଟୀକାକରଣ ଲକ୍ଷ୍ୟ ହାସଲ କରିପାରିଛି । ଏହା ଦୁଇ ଦଶମିକ ଦୁଇ ବିଲିୟନ ଟୀକା ମାତ୍ରା ପ୍ରଦାନ କରିବା ସହ ବିଶ୍ୱବ୍ୟାପୀ ଗ୍ରହଣଯୋଗ୍ୟ ଟୀକା ପ୍ରମାଣପତ୍ର ପ୍ରଦାନ କରିଛି । ଡିଜିଟାଲ ସ୍ୱାସ୍ଥ୍ୟ ଲକ୍ଷ୍ୟ ହାସଲ ପାଇଁ ବୈଶ୍ୱିକ ପଦକ୍ଷେପ ବିଭିନ୍ନ ସ୍ୱାସ୍ଥ୍ୟଗତ ଡିଜିଟାଲ ପଦକ୍ଷେପକୁ ଏକ ସମଭାବାପନ୍ନ ମଞ୍ଚକୁ ନେଇ ଆସିବ ।
“ଆସନ୍ତୁ ଆମେ ଆମର ନବୋନ୍ମେଷକୁ ଜନହିତରେ ଉପଯୋଗ କରିବା । ପାଣ୍ଠି ଯୋଗାଣରେ ଦୋହରା ମାନଦଣ୍ଡ ଗ୍ରହଣ କରିବା ନାହିଁ । ପ୍ରଯୁକ୍ତିବିଦ୍ୟାର ସମାନ ଉପଲବ୍ଧତା ସୁନିଶ୍ଚିତ କରିବା” ବୋଲି ପ୍ରଧାନମନ୍ତ୍ରୀ ଉଦାତ୍ତ କଣ୍ଠରେ ଘୋଷଣା କରିଥିଲେ । ଏହି ପଦକ୍ଷେପ ଦକ୍ଷିଣ ଗୋଲାର୍ଦ୍ଧ ଦେଶଗୁଡ଼ିକୁ ସ୍ୱାସ୍ଥ୍ୟ ସେବା ଯତ୍ନ କ୍ଷେତ୍ରରେ କ୍ରମଶଃ ସମକ୍ଷକ ହୋଇ ଏହାର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ସଫଳତା ହାସଲ ଦିଗରେ ସହାୟକ ହେବ ବୋଲି କହିଥିଲେ ।
ପ୍ରଧାନମନ୍ତ୍ରୀ ମାନବ ଜଗତ ପାଇଁ ଏକ ପ୍ରାଚୀନ ଭାରତୀୟ ଶୁଭକାମନା ସଂସ୍କୃତିରେ ଆବୃତ୍ତି କରି ତାଙ୍କ ବକ୍ତବ୍ୟ ଶେଷ କରିଥିଲେ ଓ ତାହାର ମର୍ମ ହେଉଛି “ସମସ୍ତେ ସୁଖୀ ହୁଅନ୍ତୁ, ସମସ୍ତେ ନିରୋଗ ରୁହନ୍ତୁ”। ମୁଁ ଆପଣମାନଙ୍କ ଆଲୋଚନାର ସଫଳତା କାମନା କରୁଛି ।