jayashree

ଆୟୁର୍ବେଦ ଓ ଯୋଗ ଉପରେ ପର୍ୟ୍ୟବେଶିତ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଜାରି କାଲେ ଡଃ ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଗତକାଲି ଆୟୁର୍ବେଦ ଓ ଯୋଗ ଉପରେ ପର୍ୟ୍ୟବେଶିତ କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ଉନ୍ମୋଚନ କରିଛନ୍ତି । କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଶ୍ରୀ ଶ୍ରୀପଦ ୟେଶୋ ନାଏକ, ନୀତି ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର, ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ ଡଃ ଭି.କେ. ପଲଙ୍କ ଭର୍ଚୁଆଲ ଉପସ୍ଥିତିରେ ଏହା ଉନ୍ମୋଚିତ ହୋଇଛି ।
ପୂର୍ବତନ ଆଇସିଏମଆର ମହାନିର୍ଦ୍ଦେଶକ ଡଃ ଭି.ଏମ.କାଟୋଚଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ଦଳ କୋଭିଡ ଉପରେ ଆୟୁର୍ବେଦ ଓ ଯୋଗ ସମ୍ବଳିତ ଜାତୀୟ କ୍ଲିନିକାଲ ପ୍ରବନ୍ଧନ ନିୟମାବଳୀ ପ୍ରସ୍ତୁତ କରିଥିଲେ । ଏହି ରିପୋର୍ଟରେ ଔଷଧର ସୁରକ୍ଷା ଓ ହିତ ସମ୍ପର୍କିତ ସୁପାରିଶଗୁଡିକୁ କୋଭିଡ-୧୯ ନିମନ୍ତେ ଗଠିତ ଜାତୀୟ ଟାସ୍କଫୋର୍ସ ଏବଂ ଯୁଗ୍ମ ନିରୀକ୍ଷଣ ଗ୍ରୁପ ଦ୍ଵାରା ପ୍ରସ୍ତୁତ କରାଯିବା ପରେ ନୀତି ଆୟୋଗ ପକ୍ଷରୁ ଏହି ମାର୍ଗଦର୍ଶିକାର ସୁପାରିଶଗୁଡିକ ମଧ୍ୟ ଅନୁମୋଦିତ ହୋଇଥିଲା । ସେମାନଙ୍କ ସୁପାରିଶକୁ ଭିତ୍ତିକରି ଆୟୁଷ ମନ୍ତ୍ରଣାଳୟ ଏକ ଜାତୀୟ ଟାସ୍କଫୋର୍ସ ଗଠନ କରିଥିଲେ । ଏଥିରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ, ସ୍ନାତକୋତ୍ତର ଆୟୁର୍ବେଦ ଗବେଷଣା ଓ ତାଲିମ ପ୍ରତିଷ୍ଠାନ (ଆଇପିଜିଟିଆରଏ) ଜାମନଗର ଏବଂ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏନଆଇଏ) ଜୟପୁର, କେନ୍ଦ୍ରୀୟ ଆୟୁରବିଜ୍ଞାନ ଗବେଷଣା ପରିଷଦ (ସିସିଆରଏଏସ), କେନ୍ଦ୍ରୀୟ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଗବେଷଣା ପରିଷଦ (ସିସିଆରୱାଇଏନ) ଓ ଅନ୍ୟାନ୍ୟ ଜାତୀୟ ଗବେଷଣା ସଂଗଠନ କୋଭିଡ-୧୯ ପରିଚାଳନା ନିମନ୍ତେ ଉଦ୍ଦିଷ୍ଟ ଆୟୁର୍ବେଦ ଏବଂ ଯୋଗ ପରିଚାଳନା ନିର୍ଦ୍ଦେଶାବଳୀକୁ ନେଇ ସହମତି ମଧ୍ୟ ପ୍ରକାଶ କରିଥିଲେ ।
ଆୟୁଷ ମନ୍ତ୍ରଣାଳୟ ଦ୍ଵାରା ଜନସାଧାରଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଜାରି କରାଯାଇଥିବା ମାର୍ଗଦର୍ଶିକା ବହୁଳ ଭାବେ ଲୋକପ୍ରିୟ ହୋଇପାରିଛି ବୋଲି ଡଃ ହର୍ଷ ବର୍ଦ୍ଧନ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କୋଭିଡ-୧୯ ଚିକିତ୍ସା କାଳରେ ଏହାର ଉପାଦେୟତା ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି ମାର୍ଗଦର୍ଶିକା କେବଳ ପ୍ରତିଷେଧକମୂଳକ ଚିକିତ୍ସା ନୁହେଁ ବରଂ କୋଭିଡ ପରିଚାଳନା ସହ ଆଧୁନିକ ସମାଜରେ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଉଦ୍ଦିଷ୍ଟ ବୋଲି ଡଃ ହର୍ଷ ବର୍ଦ୍ଧନ କହିଛନ୍ତି । ସାଧାରଣ ଆୟୁର୍ବେଦୀୟ ଚେରମୂଳି, ଅଶ୍ଵଗନ୍ଧା ଏବଂ ଆୟୁଷ ୬୪ ଭଳି ସହଜରେ ଉପଲବ୍ଧ ଏହି ଔଷଧ ସ୍ୱଳ୍ପ ବା ଲକ୍ଷଣ ବିହୀନ କୋଭିଡ ସଂକ୍ରମଣର ଚିକିତ୍ସା କରିପାରୁଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।
ଡଃ ହର୍ଷ ବର୍ଦ୍ଧନ ଆୟୁର୍ବେଦର ଭୂମିକା ନେଇ ଶ୍ରୀ ହରଭିଳାଷ ସାରଦା ଉପନିବେଶୀୟ ଶାସନକାଳରେ ଏହି ହିନ୍ଦୁ ମେଡ଼ିସିନର ବିଶ୍ଵକୁ ଦାନ ସମ୍ପର୍କରେ ଦେଇଥିବା ଯୁକ୍ତିକୁ ଦୋହରାଇଥିଲେ । ସେ କହିଥିଲେ ଯେ, ଆୟୁର୍ବେଦ ବୈଦିକ କାଳରୁ ରହିଛି ଓ ଏହା ଅଥର୍ବ ବେଦର ଅଂଶବିଶେଷ । ଏହି ବିଜ୍ଞାନ ପ୍ରଥମେ ପାରସ୍ୟ ଓ ପରେ ୟୁରୋପରେ ପହଞ୍ଚି ଆଧୁନିକ ଭେଷଜ ଶାସ୍ତ୍ରର ମୂଳଦୁଆ ପକାଇଥିଲା । ଦୁର୍ଭାଗ୍ୟବଶତଃ ଦେଶ ସ୍ଵାଧୀନ ହେବା ପରେ ଆୟୁର୍ବେଦକୁ ବିଶେଷ ପ୍ରୋତ୍ସାହନ ଦିଆଗଲା ନାହିଁ, ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଯଥାର୍ଥତା ଉପରେ ଗୁରୁତ୍ଵାରୋପ କରିଛନ୍ତି ବୋଲି ସେ କହିଥିଲେ ।
ସରକାରଙ୍କ ଆୟୁଷର ପ୍ରୋତ୍ସାହନ ଉପରେ ସବିଶେଷ ସୂଚନା ଦେଇ ସେ କହିଥିଲେ ଯେ, ଏହି ବିଲ ଯୋଗୁଁ ଜାମନଗରସ୍ଥିତ ଆୟୁର୍ବେଦ ପ୍ରତିଷ୍ଠାନଗୁଡିକୁ ଜାତୀୟ ମାନ୍ୟତା ମିଳିବ । ବିଲ ସର୍ବସମ୍ମତି କ୍ରମେ ପାରିତ ହେବା ଭାରତୀୟ ପାରମ୍ପରିକ ଚିକିତ୍ସା ପଦ୍ଧତିର ସାର୍ବଜନୀନତାକୁ ପ୍ରମାଣିତ କରୁଛି ବୋଲି ସେ କହିଥିଲେ । ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣ, ଆୟୁଷ ସଚିବ ବୈଦ୍ୟ ରାଜେଶ କାଟୋଚ ଓ ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଗଣ ଏହି ଅବସରରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.