କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା ‘ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ’ ଆୟୋଜିତ

  • ଯୋଗଦେଲେ ରାଷ୍ଟ୍ରୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ, ଭୁବନେଶ୍ୱର ଦ୍ୱାରା ପୋଷଣ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ହିତାଧିକାରୀଙ୍କୁ ପୋଷଣ ସୁରକ୍ଷାର ବିଭିନ୍ନ ଉପାୟ ଦ୍ୱାରା ପରିବାରର ଖାଦ୍ୟ ଏବଂ ପୋଷଣକୁ ସୁରକ୍ଷିତ କରିବାପାଇଁ ସଚେତନ କରାଯାଇଥିଲା । ସଂସ୍ଥାନର ନିର୍ଦେଶକ ଡ଼. ଅନୀଲ କୁମାର ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସେ ତାଙ୍କ ସ୍ୱାଗତ ଭାଷଣରେ କୃଷିକ୍ଷେତ୍ରରେ ମହିଳାମାନଙ୍କର ଅବଦାନ ଏବଂ ବିଭିନ୍ନ ମହିଳା ଅଭିମୁଖୀ ବୈଷୟିକ ଜ୍ଞାନକୌଶଳ ବିଷୟରେ ଉଲ୍ଲେଖ କରିଥିଲେ । କୃଷିର ଉନ୍ନତିରେ ମହିଳାଙ୍କ ଭୂମିକା ମହାନ ବୋଲି ସେ କହିଥିଲେ । ପୋଷଣ ସମ୍ବେଦନ କୃଷିଦ୍ୱାରା ମହିଳା ଓ ଶିଶୁମାନଙ୍କର କୁପୋଷଣ ଦୂରୀଭୂତ କରିବାର ଉପାୟମାନ ମଧ୍ୟ ସେ ଉପସ୍ଥାପନ କରିଥିଲେ । ମହିଳାମାନଙ୍କର ଶ୍ରମ ଲାଘବ ପାଇଁ ଅଧିକ ମାତ୍ରାରେ ମହିଳା ଉପଯୋଗୀ ଜ୍ଞାନକୌଶଳ ଉପରେ ଗବେଷଣା କରିବାକୁ କହିଥିଲେ ।
ଓଡ଼ିଶା ରାଜ୍ୟ ମହିଳା ଆୟୋଗର ଅଧକ୍ଷା ଡ଼. ମିନତୀ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ତାଙ୍କ ଅଭିଭାଷଣରେ ସଚେତନତା ଏବଂ ଉପଯୁକ୍ତ ପଦକ୍ଷେପ ଦ୍ୱାରା ମହିଳାମାଙ୍କର ସ୍ୱାସ୍ଥ୍ୟ, ପୋଷଣ ଏବଂ ଜୀବନ ଜୀବିକାର ଉନ୍ନତି କରିବା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି, ହିମାଚଳ ପ୍ରଦେଶ ମହିଳା ଆୟୋଗର ଅଧକ୍ଷା, ଡ. ଡେଜୀ ଠାକୁର ତାଙ୍କ ବକ୍ତବ୍ୟରେ ଆଇ.ସି.ଏ.ର. ଶିବା ପୁଷ୍ଟି ସମ୍ବେଦନ କାର୍ଯ୍ୟକ୍ରମକୁ ପ୍ରସଂଶା କରିଥିଲେ ଓ ମହିଳାମାନେ ନିଜର ସ୍ୱାସ୍ଥ୍ୟ ଏବଂ ପୋଷଣର ଯତ୍ନ ନେବା ସଂଗେସଂଗେ ଅସୁବିଧା ସମୟରେ କମିଶନର ସାହାଯ୍ୟ ନେବାକୁ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ମହିଳା ଆୟୋଗ, ନୂଆଦିଲ୍ଲୀର ଅଧ୍ୟକ୍ଷା, ଶ୍ରୀମତୀ ରେଖା ଶର୍ମା ଯୋଗଦାନ ଦେଇଥିଲେ । ସେ କୃଷିରତ ମହିଳା ସଂସ୍ଥାନ ଏପରି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସଂସ୍ଥାନ ଏବଂ ଉପସ୍ଥିତ ଥିବା ମହିଳାମାନଙ୍କୁ କୃତଜ୍ଞତା ଜଣାଇଥିଲେ । କୃଷି କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ମହିଳା ଅଭିମୁଖୀ ଯୋଜନା ଏବଂ କାର୍ଯ୍ୟକ୍ରମରେ ବହୁଳଭାବରେ ଭାଗ ନେବା ପାଇଁ ସେ ଆହ୍ଵାନ ଦେଇଥିଲେ । କୃଷି ମହିଳାମାନଙ୍କୁ ଜମି ଅଧିକାର ବିଷୟରେ ସଚେତନ କରିଥିଲେ ଏବଂ ସେମାନଙ୍କର ଉଦ୍ୟୋଗ ବିକାଶ ପାଇଁ ଆଇ.ସି.ଏ.ର. ଶିବାକୁ ବିକ୍ରିବଟାରେ ସାହାଯ୍ୟ କରିବାକୁ ଉପଦେଶ ଦେଇଥିଲେ ।

ଏହି ପରିପେକ୍ଷୀରେ ଏକ କୃଷକ-ବୈଜ୍ଞାନିକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏହି ଆଲୋଚନାଚକ୍ରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯାଇଥିଲା । ଏଥିରେ ସଂସ୍ଥାନର ୧୩ଟି ପୋଷ୍ୟଗ୍ରାମରୁ ୩୦୦ କୃଷିମହିଳା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଏକ ପୋଷଣ ମେଳାର ଆୟୋଜନ ମଧ୍ୟ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଡ. ତନୁଜା ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.