centurian jitm

କେପ ଆକାର ଜାହାଜ ଚଳାଚଳ ନିମନ୍ତେ ପାରଦୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ ଅନ୍ତରୀଣ ପୋତାଶ୍ରୟର ଗଭୀର ଖନନ ଏବଂ ଉନ୍ନତିକରଣ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

• ସରକାରୀ ଘରୋଇ ଭାଗିଦାରୀ (ପିପିପି)ରେ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତରଣ (ବିଓଟି) ଆଧାରରେ କାର୍ୟ୍ୟକାରୀ ହେବ ପ୍ରକଳ୍ପ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ପାରାଦୀପ ବନ୍ଦରର ଉନ୍ନତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, କେପ ଆକାରର ଜାହାଜ ଚଳାଚଳ ନିମନ୍ତେ ପାରଦୀପ ବନ୍ଦରର ପଶ୍ଚିମ ଜେଟିର ବିକାଶ ସମେତ ଅନ୍ତରୀଣ ପୋତାଶ୍ରୟର ଗଭୀର ଖନନ ଏବଂ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ସରକାରୀ ଘରୋଇ ଭାଗିଦାରୀ (ପିପିପି) ଜରିଆରେ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତରଣ (ବିଓଟି) ଆଧାରରେ କାର୍ୟ୍ୟକାରୀ କରାଯିବ।
ଆର୍ଥିକ ବ୍ୟୟ :
ଏହି ପ୍ରକଳ୍ପ ପାଇଁ ୩,୦୦୪.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ବ୍ୟୟ ଅଟକଳ କରାଯାଇଛି। ଏଥିରେ ସାମିଲ ରହିଛି ମନୋନିତ ରିହାତି ହାସଲକାରୀଙ୍କ ଦ୍ୱାରା ନୂତନ ପଶ୍ଚିମ ଜେଟିର ବିଓଟି ଆଧାରରେ ବିକାଶ ଏବଂ ପ୍ରମୁଖ ଖନନ। ଏଥିପାଇଁ ଯଥାକ୍ରମେ ୨,୦୪୦ କୋଟି ଏବଂ ୩୫୨.୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ସାଧାରଣ ସହାୟକ ପ୍ରକଳ୍ପ ଭିତ୍ତିଭୂମି ଯୋଗାଇ ଦେବା ଲାଗି ପାରାଦୀପ ବନ୍ଦର ପକ୍ଷରୁ ୬୧୨.୫୦ କୋଟି ଟଙ୍କା ନିବେଶ କରାଯିବ।
ବିବରଣୀ :
ପ୍ରସ୍ତାବିତ ପ୍ରକଳ୍ପ ମାଧ୍ୟମରେ ପଶ୍ଚିମ ଜେଟି ବେସିନ ନିର୍ମାଣ କରାଯିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହାକୁ ଏକ ମନୋନିତ ବିଓଟି ରିହାତି ହାସଲକାରୀ ସଂସ୍ଥା ନିର୍ମାଣ କରିବ। ଯାହାଫଳରେ ଏହି ଜେଟିରେ କେପ ଆକାରର ଜାହାଜ ଚଳାଚଳ କରିପାରିବ ଏବଂ ଏହାର ମୋଟ କ୍ଷମତା ଦୁଇଟି ପର୍ୟ୍ୟାୟରେ ବାର୍ଷିକ ୧୨.୫୦ ନିୟୁତ ଟନ ଲେଖାଏଁ ମିଶାଇ ବାର୍ଷିକ ୨୫ ନିୟୁତ ଟନକୁ ବୃଦ୍ଧି ପାଇବ।
ରିହାତିର ଅବଧି ରିହାତି ପ୍ରଦାନ କରାଯିବା ତାରିଖ ଠାରୁ ୩୦ ବର୍ଷ ଯାଏ ରହିବ। ପାରାଦୀପ ବନ୍ଦର ନ୍ୟାସ (ରିହାତି ପ୍ରଦାନକାରୀ କର୍ତ୍ତୃପକ୍ଷ) କେପ ଆକାରର ଜାହାଜ ଚଳାଚଳ ପାଇଁ ବ୍ରେକୱାଟର ଏକ୍ସଟେନସନ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ୟ୍ୟ ଭଳି ସହାୟକ ପ୍ରକଳ୍ପ ଭିତ୍ତିଭୂମି ଯୋଗାଇ ଦେବ।
କାର୍ୟ୍ୟକାରୀ ରଣନୀତି ଏବଂ ଲକ୍ଷ୍ୟ :
ମନୋନିତ ରିହାତି ହାସଲକାରୀଙ୍କ ଦ୍ୱାରା ବିଓଟି ଆଧାରରେ ଏହି ପ୍ରକଳ୍ପ ବିକଶିତ କରାଯିବ। ତେବେ, ବନ୍ଦର ପକ୍ଷରୁ ସାଧାରଣ ସହାୟକ ପ୍ରକଳ୍ପ ଭିତ୍ତିଭୂମି ଯୋଗାଇ ଦିଆଯିବ।
ପ୍ରଭାବ :
କାର୍ୟ୍ୟକ୍ଷମ ହେବା ପରେ, ଏହା କୋଇଲା ଓ ଚୂନ ପଥର ଆମଦାନୀ ସମେତ ପାରାଦୀପ ବନ୍ଦରର ଅନ୍ତରୀଣ ପ୍ରଦେଶରେ ବହୁସଂଖ୍ୟାରେ ଇସ୍ପାତ ପ୍ଲାଣ୍ଟ ଥିବାରୁ ଖଦଡ଼ା ସ୍ଲାଗ ଓ ଇସ୍ପାତ ଉତ୍ପାଦ ରପ୍ତାନି ସଂକ୍ରାନ୍ତ ଆବଶ୍ୟକତା ପୂରଣ କରିପାରିବ। ଏହି ପ୍ରକଳ୍ପ (କ) ବନ୍ଦରରେ ଭିଡ଼ ହ୍ରାସ କରିବ, (ଖ) ସାମୁଦ୍ରିକ ମାଲ ଭଡ଼ା ହ୍ରାସ କରି କୋଇଲ ଆମଦାନୀକୁ ଶସ୍ତା କରିବ, ଏବଂ (ଗ) ବନ୍ଦର ଆଖାପାଖ ଅଞ୍ଚଳରେ ଶିଳ୍ପ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।
ପୃଷ୍ଠଭୂମି :
ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିପି) ଭାରତ ସରକାରଙ୍କ ଅଧୀନ ଏକ ପ୍ରମୁଖ ବନ୍ଦର ଅଟେ ଏବଂ ଏହା ପ୍ରମୁଖ ବନ୍ଦର ଟ୍ରଷ୍ଟ ଆଇନ, ୧୯୬୩ ଅନ୍ତର୍ଗତ ପରିଚାଳିତ ହୋଇ ଆସୁଛି। ୧୯୬୬ରେ ଲୁହାପଥର ରପ୍ତାନି ନିମନ୍ତେ ଏକ ଉତ୍ପାଦ ବନ୍ଦର ରୂପରେ ଏହାର ଆରମ୍ଭ କରାଯାଇଥିଲା। ବିଗତ ୫୪ ବର୍ଷ ମଧ୍ୟରେ ଏହି ବନ୍ଦର ନିଜକୁ ବିକଶିତ କରି ବିଭିନ୍ନ ପ୍ରକାରର ରପ୍ତାନି-ଆମଦାନୀ ସାମଗ୍ରୀ (ଏକ୍ଜିମ କାର୍ଗୋ) ପରିଚାଳନା ନିମନ୍ତେ ସକ୍ଷମ ହୋଇପାରିଛି। ଏହି ସାମଗ୍ରୀ ମଧ୍ୟରେ ରହିଛି ଲୁହା ପଥର, କ୍ରୋମ ପଥର, ଆଲୁମିନିୟମ ଉତ୍ପାଦ, କୋଇଲା, ସାର କଞ୍ଚା ମାଲ, ଚୂନ ପଥର, କ୍ଲିଙ୍କର, ଇସ୍ପାତ ପ୍ରସ୍ତୁତ ଉତ୍ପାଦ, କଣ୍ଟେନର ଆଦି।
ବିଶେଷ କରି ଏହି ବନ୍ଦରର ଅନ୍ତରୀଣ ପ୍ରଦେଶରେ ବହୁସଂଖ୍ୟାରେ ଇସ୍ପାତ ପ୍ଲାଣ୍ଟ ଉପସ୍ଥିତ ଥିବା କାରଣରୁ କୋକିଂ କୋଇଲା ଏବଂ ଫ୍ଲକ୍ସର ଆମଦାନୀ ଏବଂ ଇସ୍ପାତ ପ୍ରସ୍ତୁତ ଉତ୍ପାଦର ରପ୍ତାନିର ବୃଦ୍ଧି ପାଉଥିବା ଚାହିଦାକୁ ଦେଖି ଏହି ବନ୍ଦରର କ୍ଷମତା ବିକାଶ ଅତି ଜରୁରି ହୋଇପଡ଼ିଛି।

Leave A Reply

Your email address will not be published.