
ଭୁବନେଶ୍ୱର, (ପିଆଇବି) : ଭାରତ ମହାସାଗର ସୁନାମିର ବିଂଶତମ ବାର୍ଷିକୀ ତଥା ବିଶ୍ୱ ସୁନାମି ସଚେତନତା ଦିବସ ଉପଲକ୍ଷେ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଇନକୋଇସ୍) ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ) ସହଯୋଗରେ ଆଜି ଜାତୀୟ ସୁନାମି ମୁକାବିଲା ଅଭ୍ୟାସ ବା ମକ୍ ଡ୍ରିଲ୍ ଆୟୋଜିତ ହୋଇଯାଇଛି । ସୁନାମି ମୁକାବିଲା ନିମନ୍ତେ ଛାୟା ଅଭ୍ୟାସ ପୁରୀ ଜିଲ୍ଲାର ନରସିଂହପାଟଣାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମେତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପୁଡୁଚେରୀ, ଲାକ୍ଷାଦ୍ୱୀପ, କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଦିଉ ଓ ଦାମନ ଓ ଗୁଜରାଟ ଆଦିର ସବୁ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହାବ୍ୟତୀତ ନୌସେନା, ତଟରକ୍ଷୀ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ, ଆଣବିକ ଶକ୍ତି କେନ୍ଦ୍ର, ବନ୍ଦର ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ଯବାନମାନେ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ । ‘ଜାତୀୟ ସୁନାମି ଛାୟା ଅଭ୍ୟାସ’ ପାଇଁ ଗ୍ରହଣ କରାଯାଇଥିବା ପରିଦୃଶ୍ୟରେ, ‘‘ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ (ଯେଉଁଠାରେ ୨୦୦୪ ସୁନାମି ଘଟିଥିଲା) ୯.୩ ତୀବ୍ରତାର ଭୂମିକମ୍ପ ସହିତ ଏକ ଘଟଣାର ଅନୁକରଣ କରାଯାଇଥିଲା । ଘଟଣାକ୍ରମ ଅନୁଯାୟୀ, ସମୁଦ୍ର-ପ୍ରଶସ୍ତ ସୁନାମି ଆସୁଛି । ଯେଉଁଥିରେ ଏକ ତୀବ୍ର ତରଙ୍ଗ ଭାରତର ସମସ୍ତ ଉପକୂଳବର୍ତ୍ତୀ ରାଜ୍ୟରେ ଅଧିକ ଉଚ୍ଚତାର ଢେଉ ସୃଷ୍ଟି କରୁଛି । ୫ ନଭେମ୍ବର ୨୦୨୪ ପୂର୍ବାହ୍ନ ସାଢ଼େ ୯ଟାରୁ ସାଢ଼େ ୧ ମଧ୍ୟରେ ଏହି ଅଭ୍ୟାସ କରାଯାଇଥିଲା । ସୁନାମି ସମ୍ପର୍କରେ ସୂଚନା ଦେବା ଲାଗି ଇନକୋଇସ୍ ଏହାର ପଞ୍ଜୀକୃତ ଯୋଗାଯୋଗ ଇମେଲ, ଫ୍ୟାକ୍ସ, ଏସ୍ଏମ୍ଏସ୍ ଏବଂ ୱେବ୍ ଜରିଆରେ ୭ଟି ସୁନାମି ବୁଲେଟିନ୍ ପ୍ରସ୍ତୁତ କରିଥିଲା ଏବଂ ଜାରି କରିଥିଲା । ଜନସାଧାରଣ ଯେପରି ଭୟଭୀତ ନହୁଅନ୍ତି ସେଥିପ୍ରତି ଯତ୍ନ ଦିଆଯାଇଥିଲା । ୟୁଏନ୍ଏସ୍ସିଏପି (ୟୁନାଇଟେଡ୍ ନେସନ୍ସ ଇକୋନୋମିକ ଆଣ୍ଡ ସୋସିଆଲ କମିଶନ ଫର ଏସିଆ ଆଣ୍ଡ୍ ଦି ପ୍ୟାସିଫିକ୍)ର ସୁନାମି, ବିପର୍ଯ୍ୟୟ ଓ ଜଳବାୟୁ ମୁକାବିଲା ପ୍ରସ୍ତୁତି ନିମନ୍ତେ ଗଠିତ ଟ୍ରଷ୍ଟ ପାଣ୍ଠି ପରାମର୍ଶଦାତା ପରିଷଦ (ବିଭିନ୍ନ ଦେଶର ୧୦ ଜଣିଆ ଟିମ୍) ଏବଂ ଇନକୋଇସ୍ ଅଧିକାରୀମାନେ ପୁରୀ ଜିଲ୍ଲାର ନରସିଂହପାଟଣା ଗ୍ରାମ ପରିଦର୍ଶନ କରିଥିଲେ ଏବଂ ମକ୍ ଅଭ୍ୟାସ ଦେଖିଥିଲେ । ପୂର୍ବରୁ ଏହି ଅଭ୍ୟାସ ନିମନ୍ତେ ପ୍ରସ୍ତୁତି ପାଇଁ ଇନକୋଇସ୍ ୨୦୨୪ ସେପ୍ଟେମ୍ବର ୨୫-୨୬ରେ ଏକ ପ୍ରଶିକ୍ଷଣ କର୍ମଶାଳା ଏବଂ ଟେବୁଲ-ଟପ୍ ଅଭ୍ୟାସ ଆୟୋଜନ କରିଥିଲା, ଯାହାଦ୍ୱାରା ଉପକୂଳବର୍ତ୍ତୀ ରାଜ୍ୟର ଅଂଶୀଦାରମାନେ ସେମାନଙ୍କର ଏସଓପିକୁ ସୁବ୍ୟବସ୍ଥିତ କରିପାରିବେ । ସୁନାମି ମୁକାବିଲା ଅଭ୍ୟାସ ଆୟୋଜନ ନେଇ ଏକ ବିସ୍ତୃତ ବୁଲେଟିନ୍ ଏବଂ ମତାମତ ଫର୍ମ କୁ ନେଇ ଏକ ମାନୁଆଲ୍ ମଧ୍ୟ ପ୍ରସ୍ତୁତ କରାଯାଇ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ, ହାଇଦ୍ରାବାଦସ୍ଥିତ ଭାରତୀୟ ଜାତୀୟ ସାମୁଦ୍ରିକ ସୂଚନା ସେବା କେନ୍ଦ୍ର (ଇନକୋଇସ୍) ଅଧୀନରେ ଥିବା ଇଣ୍ଡିଆନ୍ ସୁନାମି ଆର୍ଲି ୱାର୍ଣ୍ଣିଂ ସେଣ୍ଟର (ଆଇଟିଇଡବ୍ଲ୍ୟୁସି) ସୁନାମି ଜନିତ ଭୂମିକମ୍ପ ଘଟିବାର ୧୦ ମିନିଟ୍ ମଧ୍ୟରେ ଏହାକୁ ଆକଳନ କରିବାରେ ସକ୍ଷମ । ଏହା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଏବଂ ସମ୍ବେଦନଶୀଳ ଜନସମୁଦାୟକୁ ଠିକ୍ ସମୟରେ ସୁନାମି ସତର୍କତା ଜାରି କରିବାରେ ମଧ୍ୟ ସମର୍ଥ । ଜନସାଧାରଣଙ୍କୁ ସଚେତନ କରି ବିପଦ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ନକଲେ ଚେତାବନୀ ବ୍ୟବସ୍ଥା ଅସମ୍ପୂର୍ଣ୍ଣ ରହିଯିବ । ସୁନାମି ସଚେତନତା ଏବଂ ପ୍ରସ୍ତୁତି କାର୍ଯ୍ୟକଳାପର ଏକ ଅଂଶ ଭାବରେ, ଇନକୋଇସ୍ ଦ୍ୱାରା ନିୟମିତ ସୁନାମି ମକ୍ ଅଭ୍ୟାସ, ଯୋଗାଯୋଗ ପରୀକ୍ଷା ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) କର୍ମଶାଳା ଆୟୋଜନ କରାଯାଉଛି । ଯାହା ଦ୍ୱାରା ସୁନାମି ଚେତାବନୀ ପାଇଁ ପ୍ରସ୍ତୁତିରେ ଉନ୍ନତି ଆସିବା ଏବଂ ମୁକାବିଲା ପାଇଁ ମାର୍ଗଦର୍ଶିକାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରାଯାଇପାରିବ । ଇନକୋଇସ୍ ଉପକୂଳବର୍ତ୍ତୀ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୟୁନେସ୍କୋ-ଆଇଓସି ସୁନାମି ମୁକାବିଲା ପ୍ରସ୍ତୁତି ମାନ୍ୟତା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ମଧ୍ୟ ସହାୟତା କରେ ଯାହା ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟ ପ୍ରତିରୋଧ ଏବଂ ପ୍ରଶମନ ବୃଦ୍ଧି ଉଦ୍ଦେଶ୍ୟରେ ଏକ ଗୋଷ୍ଠୀ ଭିତ୍ତିକ ପଦକ୍ଷେପ ଅଟେ ।