କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡର ରାୟପୁରଠାରେ ରାଜ୍ୟରେ ସମବାୟ ସମ୍ପ୍ରସାରଣ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ

  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାର ସେ ସମୃଦ୍ଧି’ର ସ୍ୱପ୍ନକୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ପଞ୍ଚାୟତରେ ଏକ ସମବାୟ ସମିତି ଗଠନ କରାଯାଉଛି
  • କମ୍ପ୍ୟୁଟରୀକରଣ ପରେ ପ୍ରତ୍ୟେକ ପିଏସିଏସ୍‌ ଏକ କମନ୍ ସର୍ଭିସ୍ ସେଣ୍ଟର ଭାବରେ କାର୍ଯ୍ୟ କରିବା ଆରମ୍ଭ କରିବା ଉଚିତ୍‌, ଯାହାଦ୍ୱାରା ପିଏସିଏସ୍‌ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକଳାପର ଲାଭ ଗ୍ରାମୀଣ ଲୋକଙ୍କ ପାଖରେ ପହଞ୍ଚିପାରିବ
  • କୃଷି ଜାତ ଦ୍ରବ୍ୟ ବିକ୍ରି ପାଇଁ ନାଫେଡ୍ ଓ ଏନସିସିଏଫ୍ ପୋର୍ଟାଲରେ ପିଏସିଏସ୍‌ ପକ୍ଷରୁ ଶତ ପ୍ରତିଶତ ପଞ୍ଜୀକରଣ ହେବା ଦରକାର
  • ସମସ୍ତ ବଜାର, ସମସ୍ତ ପିଏସିଏସ୍‌ ଓ ସମବାୟ ସମିତିର ପ୍ରତ୍ୟେକ ବ୍ୟବସାୟୀଙ୍କ ଜିଲ୍ଲା ସମବାୟ ବ୍ୟାଙ୍କରେ ଆକାଉଣ୍ଟ ରହିବା ଦରକାର
  • ପିଏସିଏସ୍‌ର ସମ୍ପ୍ରସାରଣ ପାଇଁ ଛତିଶଗଡ଼ ସରକାର ୪ଟି ନୂତନ ଜିଲ୍ଲା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ ପ୍ରତିଷ୍ଠା କରନ୍ତୁ
  • ଅମିତ ଶାହ ଛତିଶଗଡ଼ର ସମସ୍ତ ୩୩ଟି ଜିଲ୍ଲାରେ ଜଳ କମିଟି ଭାବରେ କାର୍ଯ୍ୟ କରିବା ପାଇଁ ପିଏସିଏସ୍‌ର ଶୁଭାରମ୍ଭ କରିଛନ୍ତି
  • ଏକ ପେଡ଼ ମା’ କେ ନାମ’ ଅଭିଯାନର ଏକ ଅଂଶ ଭାବରେ ଅମିତ ଶାହ ‘ପିପଲ ଫର ପିପୁଲ’ କାର୍ଯ୍ୟକ୍ରମ ଅଧୀନରେ ଚାରାରୋପଣ କରିବା ସହ ଛତିଶଗଡ଼ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଛତିଶଗଡ଼ର ରାୟପୁରଠାରେ ରାଜ୍ୟରେ ସମବାୟ ସମ୍ପ୍ରସାରଣ ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଅମିତ ଶାହ ନିଜ ନିଜ ଜିଲ୍ଲାରେ ଜଳ କମିଟି ଭାବରେ କାର୍ଯ୍ୟ କରିବା ପାଇଁ ୩୩ଟି ଜିଲ୍ଲାରେ ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି (ପିଏସିଏସ୍‌)ର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ, କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ, ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ଅରୁଣ ସାଓ ଏବଂ କେନ୍ଦ୍ର ସମବାୟ ମନ୍ତ୍ରଣାଳୟର ସଚିବ ଡ. ଆଶିଷ କୁମାର ଭୂଟାନୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ‘ଏକ ପେଡ଼ ମା’ କେ ନାମ’ ଅଭିଯାନର ଏକ ଅଂଶ ଭାବରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ‘ପିପଲ ଫର ପିପୁଲ’ କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କରିବା ସହ ଛତିଶଗଡ଼ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ସମବାୟ ସମୀକ୍ଷା ବୈଠକରେ ଉଦ୍‌ବୋଧନ ଦେଇ କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସହକାର ସେ ସମୃଦ୍ଧି’ ସ୍ୱପ୍ନକୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ପଞ୍ଚାୟତରେ ଏକ ସମବାୟ ସମିତି ଗଠନ କରାଯାଉଛି । ସେ କହିଛନ୍ତି ଯେ, ଛତିଶଗଡ଼ ସରକାର ଆଦିବାସୀଙ୍କ ବିକାଶ ଉପରେ ଧ୍ୟାନ ଦେଇ ଏକ ନୂତନ ସାର୍ବଜନୀନ ଦୁଗ୍ଧ ଯୋଜନା ଆଣିବା ଉଚିତ୍ । ସେ କହିଥିଲେ ଯେ, ଏହି ଯୋଜନାରେ ପିଏସିଏସ୍‌କୁ ଏକ ବହୁମୁଖୀ ୟୁନିଟ୍ ଭଳି କାର୍ଯ୍ୟ କରିବା ପାଇଁ ପରିକଳ୍ପନା କରାଯିବା ଉଚିତ୍‌ ଯାହା ଦୁଗ୍ଧ ଏବଂ ମତ୍ସ୍ୟ ସମବାୟ ଅନୁଷ୍ଠାନ ଭାବରେ ମଧ୍ୟ କାର୍ଯ୍ୟ କରିବ । କେନ୍ଦ୍ର ଗୃହମନ୍ତ୍ରୀ ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ, ଛତିଶଗଡ଼ର ସମସ୍ତ ୨୦୫୮ ପିଏସିଏସ୍‌ ମଡେଲ ବାଇ-ଲକୁ ଗ୍ରହଣ କରିଛନ୍ତି । ଛତିଶଗଡରେ ଶୁଖିଲା ଅଞ୍ଚଳ ଖୋଜିବା ପାଇଁ ଜାତୀୟ ସମବାୟ ଡାଟାବେସ ବ୍ୟବହାର କରାଯିବା ଉଚିତ୍‌ ଯାହା ସମବାୟର ସମ୍ପ୍ରସାରଣରେ ସହାୟକ ହେବ ବୋଲି ସେ କହିଛନ୍ତି । କମ୍ପ୍ୟୁଟରୀକରଣ ସହିତ ପ୍ରତ୍ୟେକ ପିଏସିଏସ୍‌କୁ ଏକ କମନ୍ ସର୍ଭିସ ସେଣ୍ଟର (ସିଏସସି) କରାଯିବା ଉଚିତ୍‌ ଯାହା ଦ୍ୱାରା ପିଏସିଏସ୍‌ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟକଳାପର ସୁଫଳ ଗ୍ରାମୀଣ ଲୋକଙ୍କ ପାଖରେ ପହଞ୍ଚିପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଅମିତ ଶାହ କହିଛନ୍ତି ଯେ, ଇଥାନଲ ଉତ୍ପାଦନ ପାଇଁ ଏନ୍‌ସିସିଏଫ, ନାଫେଡ ଏବଂ ରାଜ୍ୟ ମଧ୍ୟରେ ଏକ ଚୁକ୍ତି ହେବା ଉଚିତ୍‌ ଯାହା ଦ୍ୱାରା କୃଷକମାନଙ୍କୁ ମକା ଚାଷ ପ୍ରତି ଉତ୍ସାହିତ କରାଯାଇପାରିବ । ମକା ଚାଷରେ ଖର୍ଚ୍ଚ ମଧ୍ୟ କମ୍ ଏବଂ ଚାଷୀଙ୍କ ସମସ୍ତ ମକା କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ କିଣିବେ ବୋଲି ସେ କହିଛନ୍ତି । ଶ୍ରୀ ଶାହ କହିଛନ୍ତି ଯେ, କୃଷକଙ୍କ କୃଷି ଜାତ ଦ୍ରବ୍ୟ ବିକ୍ରି ପାଇଁ ପିଏସିଏସ ପକ୍ଷରୁ ନାଫେଡ୍ ଏବଂ ଏନ୍‌ସିସିଏଫ ପୋର୍ଟାଲରେ ଶତ ପ୍ରତିଶତ ପଞ୍ଜୀକରଣ କରାଯିବା ଉଚିତ୍‌ । ପ୍ରତ୍ୟେକ ବଜାରର ପ୍ରତ୍ୟେକ ବ୍ୟବସାୟୀ, ପିଏସିଏସ୍‌ ଏବଂ ସମବାୟ ସମିତି ପାଇଁ ଜିଲ୍ଲା ସମବାୟ କେନ୍ଦ୍ରୀୟ ବ୍ୟାଙ୍କରେ ଖାତା ଖୋଲିବା ବାଧ୍ୟତାମୂଳକ ହେବା ଆବଶ୍ୟକ ବୋଲି କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି । ଛତିଶଗଡ଼ରେ ୪ଟି ସମବାୟ ଚିନି କଳ ଥିବା ବେଳେ ସେଥିମଧ୍ୟରୁ ମାତ୍ର ଗୋଟିଏ ମିଲରେ ଇଥାନଲ ଉତ୍ପାଦନ କାରଖାନା ରହିଛି । ଅବଶିଷ୍ଟ ୩ଟି ସମବାୟ ଚିନି କଳରେ ୬ ମାସ ମଧ୍ୟରେ ମଲ୍ଟି ଫିଡ୍ ଇଥାନଲ ଉତ୍ପାଦନ କାରଖାନା ସ୍ଥାପନ କରାଯାଉ, ଯାହାଦ୍ୱାରା ମକା ଓ ଆଖୁରୁ ଇଥାନଲ ଉତ୍ପାଦନ ହୋଇପାରିବ ବୋଲି ଶ୍ରୀ ଶାହା କହିଛନ୍ତି । ଏଥିପାଇଁ କେନ୍ଦ୍ର ସରକାର ସହାୟତା କରିବେ ବୋଲି ସେ କହିଛନ୍ତି । ଛତିଶଗଡ଼ରେ ମକା ଓ ଡାଲି ଚାଷକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ରାଜ୍ୟ କୃଷି ବିଭାଗ ପଦକ୍ଷେପ ନେବା ଦରକାର ବୋଲି ସେ କହିଛନ୍ତି । ଅମିତ ଶାହ କହିଥିଲେ ଯେ, ବର୍ତ୍ତମାନ ଛତିଶଗଡର ୩୩ଟି ଜିଲ୍ଲାରେ ମୋଟ ୬ଟି ଜିଲ୍ଲା ସମବାୟ କେନ୍ଦ୍ରୀୟ ବ୍ୟାଙ୍କ (ଡିସିସିବି) ରହିଛି ଏବଂ ନିକଟ ଭବିଷ୍ୟତରେ ରାଜ୍ୟରେ ପିଏସିଏସ୍‌ର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ଅତି କମରେ ଆହୁରି ୪ଟି ଡିସିସିବି ପ୍ରତିଷ୍ଠା କରାଯିବା ଉଚିତ୍‌ । ଛତିଶଗଡର ଗ୍ରାମୀଣ ଓ ଆଦିବାସୀ ଲୋକଙ୍କ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପଶୁପାଳନ, କୃଷି, ଆଦିବାସୀ ବ୍ୟାପାର ଓ ସମବାୟ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ୍‌ ବୋଲି ସେ କହିଥିଲେ ।

Leave A Reply

Your email address will not be published.