ସିଙ୍ଗାପୁରର ବ୍ୟବସାୟୀ ମୁଖ୍ୟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଞ୍ଜି ନିବେଶ, ଭିତ୍ତିଭୂମି, ଉତ୍ପାଦନ, ଶକ୍ତି, ସ୍ଥାୟୀତା ଏବଂ ଲଜିଷ୍ଟିକ୍ସ ସମେତ ସିଙ୍ଗାପୁରର ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ସିଇଓମାନଙ୍କର ଏକ ଦଳ ସହିତ ଆଲୋଚନା କରିଛନ୍ତି । ଉପପ୍ରଧାନମନ୍ତ୍ରୀ ମହାମହିମ ଗାନ୍ କିମ୍ ୟୋଙ୍ଗ ଏବଂ ସିଙ୍ଗାପୁରର ଗୃହ ଓ ଆଇନ ମନ୍ତ୍ରୀ ମହାମହିମ କେ ଶାନମୁଗମ୍ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଭାରତରେ ସେମାନଙ୍କ ନିବେଶକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ଅର୍ଥନୈତିକ ସହଯୋଗକୁ ପ୍ରୋତ୍ସାହିତ କରିବାରେ ସିଙ୍ଗାପୁରଶିଳ୍ପ ମୁଖ୍ୟଙ୍କ ଭୂମିକାକୁ ସ୍ୱୀକାର କରିଥିଲେ । ଭାରତ ସହ ସେମାନଙ୍କର ସହଯୋଗକୁ ଆହୁରି ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ସିଙ୍ଗାପୁରରେ ଏକ ଇନ୍‌ଭେଷ୍ଟ ଇଣ୍ଡିଆ କାର୍ଯ୍ୟାଳୟ ପ୍ରତିଷ୍ଠା କରିବାକୁ ଘୋଷଣା କରିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତ-ସିଙ୍ଗାପୁର ସମ୍ପର୍କକୁ ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ପରିଣତ କରିବା ଦ୍ୱିପାକ୍ଷିକ ଅର୍ଥନୈତିକ ସମ୍ପର୍କକୁ ଏକ ପ୍ରମୁଖ ଗୁରୁତ୍ୱ ଦେବ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଗତ ଦଶ ବର୍ଷ ମଧ୍ୟରେ ଭାରତ ପରିବର୍ତନମୂଳକ ଅଗ୍ରଗତି କରିଛି ଏବଂ ରାଜନୈତିକ ସ୍ଥିରତା, ନୀତି ପୂର୍ବାନୁମାନ, ଇଜ ଅଫ୍ ଡୁଇଂ ବିଜନେସ୍ ଏବଂ ଏହାର ସଂସ୍କାର ଭିତ୍ତିକ ଅର୍ଥନୈତିକ ଏଜେଣ୍ଡାକୁ ଦୃଷ୍ଟିରେ ରଖି ସମାନ ମାର୍ଗରେ ଜାରି ରଖିବ । ଆଗାମୀ କିଛି ବର୍ଷ ମଧ୍ୟରେ ଏହା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ଭାରତର ପ୍ରଭାବଶାଳୀ ଅଭିବୃଦ୍ଧି କାହାଣୀ, ଏହାର ଦକ୍ଷ ପ୍ରତିଭା ଏବଂ ବିସ୍ତୃତ ବଜାର ସୁଯୋଗ ବିଷୟରେ ଆଲୋଚନା କରି ସେ ଆଲୋକପାତ କରିଥିଲେ ଯେ, ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧିରେ ଭାରତର ଅବଦାନ ୧୭% ରହିଛି । ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା, ଭାରତ ସେମିକଣ୍ଡକ୍ଟର ମିଶନ ଏବଂ ୧୨ଟି ନୂତନ ଶିଳ୍ପ ସ୍ମାର୍ଟ ସିଟି ପ୍ରତିଷ୍ଠା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଭାରତର ଭାଗିଦାରୀ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ । ଦକ୍ଷତା ବିକାଶ କ୍ଷେତ୍ରରେ ଭାରତରେ ଥିବା ସୁଯୋଗ ଉପରେ ଦୃଷ୍ଟି ଦେବାକୁ ସେ ବ୍ୟବସାୟୀ ନେତାମାନଙ୍କୁ ଆହ୍ୱାନ ଦେଇଥିଲେ । ସ୍ଥାୟୀ ଯୋଗାଣ ଶୃଙ୍ଖଳା ଖୋଜୁଥିବା ବ୍ୟବସାୟମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ଏହାର ଶକ୍ତି ଦୃଷ୍ଟିରୁ ଭାରତ ହେଉଛି ସର୍ବୋତ୍ତମ ବିକଳ୍ପ । ପ୍ରଧାନମନ୍ତ୍ରୀ ତାଙ୍କ ତୃତୀୟ ପାଳିରେ ଭିତ୍ତିଭୂମି ବିକାଶର ଗତି ଏବଂ ବ୍ୟାପକତା ବୃଦ୍ଧି କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ରେଳବାଇ, ସଡ଼କ, ବନ୍ଦର, ବେସାମରିକ ବିମାନ ଚଳାଚଳ, ଶିଳ୍ପ ପାର୍କ ଏବଂ ଡିଜିଟାଲ ସଂଯୋଗ କ୍ଷେତ୍ରରେ ନୂତନ ସୁଯୋଗ ବିଷୟରେ ସିଇଓମାନଙ୍କୁ ଅବଗତ କରାଇଥିଲେ । ଭାରତରେ ପୁଞ୍ଜିନିବେଶର ସୁଯୋଗ ଉପରେ ଦୃଷ୍ଟି ଦେବାକୁ ଏବଂ ଦେଶରେ ସେମାନଙ୍କ ଉପସ୍ଥିତି ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ସିଙ୍ଗାପୁରର ବ୍ୟବସାୟୀ ମୁଖ୍ୟମାନଙ୍କୁ ଆମନ୍ତ୍ରଣ କରିଥିଲେ ।

Leave A Reply

Your email address will not be published.