ସହକାରୀ ସଚିବ ଭାବେ ଅବସ୍ଥାପିତ ୨୦୨୨ ବ୍ୟାଚ୍‌ର ଆଇଏଏସ୍ ଶିକ୍ଷାନବୀସଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

  • ପ୍ରଧାନମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ପରିପୂର୍ଣ୍ଣତା ଆଭିମୁଖ୍ୟ ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି; ଯାହା ସାମାଜିକ ନ୍ୟାୟ ସୁନିଶ୍ଚିତ କରିବାରେ ସାହାଯ୍ୟ କରିବା ସହିତ ଭେଦଭାବକୁ ରୋକିଥାଏ
  • ସେବା ଯୋଗାଣରେ ଆପଣମାନେ ସ୍ପିଡ୍ ବ୍ରେକର ହେବେ ନା ସୁପରଫାଷ୍ଟ ହାଇୱେ ହେବେ, ତାହା ଆପଣମାନଙ୍କ ପସନ୍ଦ : ପ୍ରଧାନମନ୍ତ୍ରୀ
  • ଅଧିକାରୀମାନଙ୍କୁ ଉତପ୍ରେରକ ମାଧ୍ୟମ ହେବା ତଥା ସେମାନଙ୍କ ଆଖି ସାମ୍ନାରେ ଯେତେବେଳେ କିଛି ପରିବର୍ତ୍ତନ ଘଟୁଥିବା ଦେଖିବେ, ସେତେବେଳେ ସନ୍ତୁଷ୍ଟ ଅନୁଭବ କରିବାକୁ କହିଲେ ପ୍ରଧାନମନ୍ତ୍ରୀ
  • ରାଷ୍ଟ୍ର ପ୍ରଥମ ହେଉଛି ଜୀବନର ଲକ୍ଷ୍ୟ ଏବଂ ସମସ୍ତ ଅଧିକାରୀଙ୍କୁ ଏହି ଯାତ୍ରାରେ ତାଙ୍କ ସହ ସାମିଲ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ
  • ସହକାରୀ ସଚିବ କାର୍ଯ୍ୟକ୍ରମ ପଛର ଉଦ୍ଦେଶ୍ୟ ହେଉଛି ପ୍ରଶାସନିକ ପିରାମିଡର ଉପରୁ ତଳ ପର୍ଯ୍ୟନ୍ତ ଯୁବ ଅଧିକାରୀମାନଙ୍କୁ ଅଭିଜ୍ଞତାମୂଳକ ଶିକ୍ଷାର ସୁଯୋଗ ପ୍ରଦାନ କରିବା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନ ଠାରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗରେ ସହକାରୀ ସଚିବ ଭାବେ ନିୟୋଜିତ ୨୦୨୨ ବ୍ୟାଚ୍‌ର ୧୮୧ ଜଣ ଶିକ୍ଷାନବୀସ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ବିଭିନ୍ନ ଅଧିକାରୀ ସେମାନଙ୍କ ପ୍ରଶିକ୍ଷଣର ଅଭିଜ୍ଞତାକୁ ବାଣ୍ଟିଥିଲେ । ପ୍ରଧାନମନ୍ତ୍ରୀ ୨୦୨୨ର ଆରମ୍ଭ କାର୍ଯ୍ୟକ୍ରମ ସମୟରେ ସେମାନଙ୍କ ସହ ତାଙ୍କର ପୂର୍ବର କଥାବାର୍ତ୍ତାକୁ ସେମାନଙ୍କୁ ସ୍ମରଣ କରାଇ ଦେଇଥିଲେ । ସହକାରୀ ସଚିବ କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଥିଲେ ଯେ ପ୍ରଶାସନିକ ପିରାମିଡର ଉପରୁ ତଳ ପର୍ଯ୍ୟନ୍ତ ଯୁବ ଅଧିକାରୀମାନଙ୍କୁ ଅଭିଜ୍ଞତାମୂଳକ ଶିକ୍ଷାର ସୁଯୋଗ ପ୍ରଦାନ କରିବା ହେଉଛି ଏହା ପଛର ଉଦ୍ଦେଶ୍ୟ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ନୂତନ ଭାରତ ଅବହେଳିତ ଆଭିମୁଖ୍ୟରେ ସନ୍ତୁଷ୍ଟ ନୁହେଁ ଏବଂ ଏହା ଅଧିକ ସକ୍ରିୟତା ଆବଶ୍ୟକ କରେ । ସେମାନେ ସମସ୍ତ ନାଗରିକଙ୍କୁ ସର୍ବୋତ୍ତମ ସମ୍ଭବ ଶାସନ, ଉତ୍ପାଦନର ଗୁଣବତ୍ତା ଓ ଜୀବନର ଗୁଣବତ୍ତା ପ୍ରଦାନ କରିବାକୁ ପ୍ରୟାସ କରିବା ଉଚିତ୍ । ଲଖପତି ଦିଦି, ଡ୍ରୋନ୍ ଦିଦି, ପିଏମ୍ ଆବାସ ଯୋଜନା ଆଦି ଯୋଜନା ସମ୍ପର୍କରେ ସେ କହିଥିଲେ ଯେ, ଏହି ଯୋଜନାଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ । ସେ କହିଥିଲେ ଯେ ଏହି ଆଭିମୁଖ୍ୟ ସାମାଜିକ ନ୍ୟାୟକୁ ସୁନିଶ୍ଚିତ କରିଥାଏ ଏବଂ ଭେଦଭାବକୁ ରୋକିଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ ସେବା ଯୋଗାଣ କ୍ଷେତ୍ରରେ ବର୍ତ୍ତମାନ ସେମାନେ ଧୀର ଗତିରେ ଚାଲିବେ (ସ୍ପିଡ୍ ବ୍ରେକର ହେବେ) ନା ଦ୍ରୁତ ଗତିରେ ଦୌଡ଼ିବାର ରାଜପଥ (ସୁପରଫାଷ୍ଟ ହାଇୱେ) ହେବେ, ତାହା ସେମାନଙ୍କ ରୁଚି ଉପରେ ନିର୍ଭର କରେ । ସେ ଆହୁରି ମଧ୍ୟ କହିଥିଲେ ଯେ ସେମାନେ ଉତପ୍ରେରକ ମାଧ୍ୟମ ହେବାର ଇଚ୍ଛା ରଖିବା ଉଚିତ ଏବଂ ଯେତେବେଳେ ସେମାନେ ସେମାନଙ୍କ ଆଖି ସାମ୍ନାରେ କିଛି ପରିବର୍ତ୍ତନ ଘଟୁଥିବା ଦେଖିବେ, ସେତେବେଳେ ସେମାନେ ସନ୍ତୁଷ୍ଟ ଅନୁଭବ କରିବେ । ରାଷ୍ଟ୍ର ପ୍ରଥମ କେବଳ ଏକ ନାରା ନୁହେଁ, ବରଂ ତାଙ୍କ ଜୀବନର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ଯାତ୍ରାରେ ତାଙ୍କ ସହ ଚାଲିବାକୁ ଅଧିକାରୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ । ଆଇଏଏସ୍ ଭାବେ ମନୋନିତ ହେବା ପରେ ସେମାନେ ଯେଉଁ ପ୍ରଶଂସା ପାଇଛନ୍ତି, ତାହା ଅତୀତର କଥା ଏବଂ ସେମାନେ ଅତୀତରେ ରହିବା ପରିବର୍ତ୍ତେ ଭବିଷ୍ୟତ ଆଡ଼କୁ ଆଗେଇ ଚାଲିବା ଉଚିତ ବୋଲି ସେ କହିଥିଲେ ।
ଏହି ଆଲୋଚନା ସମୟରେ ରାଷ୍ଟ୍ର ମନ୍ତ୍ରୀ (କାର୍ମିକ) ଜିତେନ୍ଦ୍ର ସିଂହ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି. କେ. ମିଶ୍ର, କ୍ୟାବିନେଟ୍ ସଚିବ ରାଜୀବ ଗଉବା ଏବଂ ସଚିବ (ଗୃହ ଓ ଡିଓପିଟି) ଏ.କେ.ଭଲ୍ଲା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.