ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ହେବା ପରେ ଅନୱର ଇବ୍ରାହିମଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ । ମୁଁ ଖୁସି ଯେ, ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଛି । ଭାରତ ଏବଂ ମାଲେସିଆ ମଧ୍ୟରେ ଉନ୍ନତ ରଣନୈତିକ ଭାଗିଦାରୀ ଏକ ଦଶନ୍ଧି ପୂରଣ କରୁଛି । ଗତ ୨ ବର୍ଷ ମଧ୍ୟରେ, ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସମର୍ଥନରେ, ଆମର ଭାଗିଦାରୀ ଏକ ନୂତନ ଗତି ଏବଂ ଶକ୍ତି ହାସଲ କରିଛି । ଆଜି ଆମେ ପାରସ୍ପରିକ ସହଯୋଗର ସମସ୍ତ କ୍ଷେତ୍ର ଉପରେ ବିସ୍ତୃତ ଭାବେ ଆଲୋଚନା କରିଛୁ । ଆମେ ଲକ୍ଷ୍ୟ କରିଛୁ ଯେ, ଆମର ଦ୍ୱିପାକ୍ଷିକ ବାଣିଜ୍ୟ ନିରନ୍ତର ଅଗ୍ରଗତି କରୁଛି । ଭାରତ ଓ ମାଲେସିଆ ମଧ୍ୟରେ ବାଣିଜ୍ୟ ଏବେ ଭାରତୀୟ ଟଙ୍କା (ଆଇଏନ୍‌ଆର୍‌) ଏବଂ ମାଲେସିଆ ରିଙ୍ଗିଟ୍ସ (ଏମ୍‌ୱାଇଆର୍‌)ରେ ଧାର୍ଯ୍ୟ ହୋଇପାରିବ । ଗତ ବର୍ଷ ମାଲେସିଆରୁ ଭାରତକୁ ୫ ବିଲିୟନ ଡଲାରର ପୁଞ୍ଜିନିବେଶ ଉପରେ କାର୍ଯ୍ୟ ହୋଇଥିଲା । ଆଜି ଆମେ ଆମର ଭାଗିଦାରୀକୁ ‘ବ୍ୟାପକ ରଣନୈତିକ ଭାଗିଦାରୀ’ରେ ପରିଣତ କରିବାକୁ ନିଷ୍ପତ୍ତି ନେଇଛୁ । ଆମେ ବିଶ୍ୱାସ କରୁ ଯେ, ଅର୍ଥନୈତିକ ସହଯୋଗରେ ଏବେ ବି ବହୁତ ସମ୍ଭାବନା ରହିଛି । ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିନିବେଶକୁ ସମ୍ପ୍ରସାରଣ କରାଯିବା ଉଚିତ୍ । ସେମିକଣ୍ଡକ୍ଟର, ଫିନଟେକ୍‌, ପ୍ରତିରକ୍ଷା ଶିଳ୍ପ, ଏଆଇ ଏବଂ କ୍ୱାଣ୍ଟମ ଭଳି ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆମର ପାରସ୍ପରିକ ସହଯୋଗ ବୃଦ୍ଧି କରିବା ଉଚିତ୍‌ । ଭାରତ ଓ ମାଲେସିଆ ମଧ୍ୟରେ ବ୍ୟାପକ ଅର୍ଥନୈତିକ ସହଯୋଗ ଚୁକ୍ତିର ସମୀକ୍ଷାକୁ ତ୍ୱରାନ୍ୱିତ କରିବା ଉପରେ ଆମେ ଗୁରୁତ୍ୱାରୋପ କରିଛୁ । ଡିଜିଟାଲ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ପାଇଁ ଡିଜିଟାଲ କାଉନସିଲ ଗଠନ ଏବଂ ଷ୍ଟାର୍ଟଅପ୍ ମେଣ୍ଟ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଭାରତର ୟୁପିଆଇ ଏବଂ ମାଲେସିଆର ପେନେଟ୍‌କୁ ସଂଯୋଗ କରିବା ପାଇଁ ମଧ୍ୟ କାମ କରାଯିବ । ସିଇଓ ଫୋରମର ଆଜିର ବୈଠକ ନୂଆ ସମ୍ଭାବନାକୁ ସାମ୍ନାକୁ ଆଣିଛି । ପ୍ରତିରକ୍ଷା କ୍ଷେତ୍ରରେ ପାରସ୍ପରିକ ସହଯୋଗର ନୂତନ ସମ୍ଭାବନା ଉପରେ ମଧ୍ୟ ଆମେ ଆଲୋଚନା କରିଛୁ । ଆତଙ୍କବାଦ ଓ ଉଗ୍ରବାଦ ବିରୋଧରେ ଲଢ଼େଇ ଉପରେ ମଧ୍ୟ ଆମେ ଏକମତ ।
ବନ୍ଧୁଗଣ,
ଭାରତ ଓ ମାଲେସିଆ ଶହ ଶହ ବର୍ଷ ଧରି ପରସ୍ପର ସହ ଯୋଡ଼ି ହୋଇ ରହିଛନ୍ତି । ମାଲେସିଆରେ ରହୁଥିବା ପ୍ରାୟ ୩ ନିୟୁତ ଭାରତୀୟ ପ୍ରବାସୀ ଦୁଇ ଦେଶ ମଧ୍ୟରେ ଏକ ଜୀବନ୍ତ ସେତୁ ଅଟନ୍ତି । ଭାରତୀୟ ସଙ୍ଗୀତ, ଖାଦ୍ୟ ଓ ପର୍ବପର୍ବାଣୀ ଠାରୁ ଆରମ୍ଭ କରି ମାଲେସିଆର ‘ତୋରଣ ଦ୍ୱାର’ ପର୍ଯ୍ୟନ୍ତ ଆମ ଲୋକମାନେ ଏହି ବନ୍ଧୁତାକୁ ଭଲ ପାଉଛନ୍ତି । ଗତ ବର୍ଷ ମାଲେସିଆରେ ପାଳିତ ‘ପି.ଆଇ.ଓ’ ଦିବସ ଏକ ଅତ୍ୟନ୍ତ ସଫଳ ଓ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା । ଯେତେବେଳେ ଆମର ନୂତନ ସଂସଦ ଭବନରେ ସେଙ୍ଗୋଲ ସ୍ଥାପନ କରାଯାଇଥିଲା, ସେହି ଐତିହାସିକ ମୁହୂର୍ତ୍ତର ଉତ୍ସାହ ମାଲେସିଆରେ ମଧ୍ୟ ଅନୁଭୂତ ହୋଇଥିଲା । ଶ୍ରମିକଙ୍କ ନିଯୁକ୍ତି ନେଇ ଆଜିର ଚୁକ୍ତି ଭାରତରୁ ଶ୍ରମିକ ନିଯୁକ୍ତିକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ସ୍ୱାର୍ଥରକ୍ଷା କରିବ । ଲୋକଙ୍କ ଗମନାଗମନକୁ ସୁଗମ କରିବା ପାଇଁ ଆମେ ଭିସା ପ୍ରକ୍ରିୟାକୁ ସରଳ କରିଛୁ । ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଏବଂ ସରକାରୀ ଅଧିକାରୀଙ୍କୁ ତାଲିମ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି । ଏବେ ସାଇବର ସିକ୍ୟୁରିଟି ଓ ଏଆଇ ଭଳି ଅତ୍ୟାଧୁନିକ ପାଠ୍ୟକ୍ରମ ପାଇଁ ଆଇଟିଇସି ସ୍କଲାରସିପ୍ ଅଧୀନରେ ମାଲେସିଆ ପାଇଁ ସ୍ୱତନ୍ତ୍ର ଭାବେ ୧୦୦ ଆସନ ଆବଣ୍ଟନ କରାଯିବ । ମାଲେସିଆର ୟୁନିଭରସିଟି ଟୁଙ୍କୁ ଅବଦୁଲ ରେହମାନରେ ଏକ ଆୟୁର୍ବେଦ ଚେୟାର ପ୍ରତିଷ୍ଠା କରାଯାଉଛି । ଏହାବ୍ୟତୀତ ୟୁନିଭରସିଟି ମଲାୟାରେ ତିରୁଭଲ୍ଲୁଭର ଚେୟାର ପ୍ରତିଷ୍ଠା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏହି ସବୁ ସ୍ୱତନ୍ତ୍ର ପଦକ୍ଷେପରେ ସହଯୋଗ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଅନୱର ଏବଂ ତାଙ୍କ ଗୋଷ୍ଠୀକୁ ହୃଦୟରୁ ଧନ୍ୟବାଦ ଜଣାଉଛି ।
ବନ୍ଧୁଗଣ,
ମାଲେସିଆ ଏସିଆନ୍‌ ଏବଂ ଭାରତ – ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ଏସିଆନ୍‌କୁ ଭାରତ ପ୍ରାଥମିକତା ଦେଉଛି । ଭାରତ ଏବଂ ଏସିଆନ୍‌ ମଧ୍ୟରେ ଏଫ୍‌ଟିଏର ସମୀକ୍ଷା ଠିକ୍ ସମୟରେ ଶେଷ ହେବା ଉଚିତ୍‌ ବୋଲି ଆମେ ସହମତ । ୨୦୨୫ରେ ମାଲେସିଆର ସଫଳ ଏସିଆନ୍ ଅଧ୍ୟକ୍ଷତାକୁ ଭାରତ ପୂର୍ଣ୍ଣ ସମର୍ଥନ କରିବ । ଆମେ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ନୌବହନ ଏବଂ ବିମାନ ଉଡାଣର ସ୍ୱାଧୀନତା ପାଇଁ ପ୍ରତିଶ୍ରୁତିବଦ୍ଧ । ଏବଂ , ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପରାମର୍ଶ ଦେଉଛୁ ।
ମହାମହିମ,
ଆପଣଙ୍କ ବନ୍ଧୁତା ଏବଂ ଭାରତ ସହ ସମ୍ପର୍କ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ପାଇଁ ଆମେ କୃତଜ୍ଞ । ଆପଣଙ୍କ ଗସ୍ତ ଆଗାମୀ ଦଶନ୍ଧି ପାଇଁ ଆମ ସମ୍ପର୍କକୁ ଏକ ନୂତନ ଦିଗ ଦେଇଛି । ପୁଣି ଥରେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ସ୍ୱୀକରଣ – ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ଆନୁମାନିକ ଅନୁବାଦ । ମୂଳ ମନ୍ତବ୍ୟ ହିନ୍ଦୀରେ ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.