jayashree

ଯୋଗାଯୋଗର ଭାଷା ସରଳ ହେବା ଆବଶ୍ୟକ : ପିଆଇବି ଏଡିଜି

ଢେଙ୍କାନାଳ, (ପିଆଇବି) : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଜି ଭାରତୀୟ ଜନ ସଂଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳରେ ଓଡିଶା ସୂଚନା ସେବାର ନବନିଯୁକ୍ତ ଉପଖଣ୍ଡସ୍ତରୀୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି “ବିକାଶମୂଳକ ଯୋଗାଯୋଗ : ସରକାରୀ ସଞ୍ଚାର ବ୍ୟବସ୍ଥାର ପରିବର୍ତ୍ତିତ ରୂପରେଖ” ପ୍ରସଙ୍ଗରେ ଏକ ଉପସ୍ଥାପନା ଦେଇଥିଲେ । ସୂଚନା ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ମିଶ୍ର କହିଥିଲେ, ଯୋଗାଯୋଗର ଭାଷା ସରଳ ହେବା ଆବଶ୍ୟକ । ଯୋଗାଯୋଗ ପରେ ଲୋକମାନଙ୍କର ପ୍ରତିକ୍ରିୟା ମଧ୍ୟ ଅଧିକାରୀମାନେ ଜାଣିବା ଆବଶ୍ୟକ, କାରଣ ଯୋଗାଯୋଗ ଏବଂ ବିକାଶ ମଧ୍ୟରେ ସମ୍ପର୍କ ରହିଛି । ଅଧିକାରୀମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ପ୍ରଭାବଶାଳୀ ଯୋଗାଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା, ବିଶେଷକରି ସରକାରୀ ନୀତି ଏବଂ ପଦକ୍ଷେପଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଂଚାଇବା ଉପରେ ସେ ଆଲୋକପାତ କରିଥିଲେ । ସରକାରୀ ସୂଚନାରେ ଭୁଲ ତଥ୍ୟ ଯେପରି ପ୍ରସାରିତ ନହୁଏ ସେଥିପାଇଁ ତଥ୍ୟକୁ ସୂଚନା ଅଧିକାରୀମାନେ ଠିକ ଭାବେ ଯାଞ୍ଚ କରିବା ଆବଶ୍ୟକ ବୋଲି ସେ କହିଥିଲେ । ଶ୍ରୀ ମିଶ୍ର ସଠିକ ଏବଂ ଭୁଲ ତଥ୍ୟ ମଧ୍ୟରେ ପାର୍ଥକ୍ୟ ଏବଂ ଏହାର ପ୍ରଭାବ ସମ୍ପର୍କରେ ଏକ ଦଳଗତ କାର୍ଯ୍ୟକଳାପ ମାଧ୍ୟମରେ ଅଧିକାରୀମାନଙ୍କ ମାର୍ଗଦର୍ଶନ କରିଥିଲେ । ସେ ସ୍ୱଚ୍ଛ ଭାରତ ଅଭିଯାନ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଭଳି ପ୍ରମୁଖ ସରକାରୀ ଯୋଜନା ଗୁଡିକୁ ଅଡିଓ ଭିଜୁଆଲ ମାଧ୍ୟମରେ ଉପସ୍ଥାପନା କରିବା ସହ ସେଥିରେ ଯୋଗାଯୋଗ ଏବଂ ସରକାରୀ ନୀତିର ଗୁରୁତ୍ଵ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ ।

Leave A Reply

Your email address will not be published.