ଚାକିରୀ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିବା ବରିଷ୍ଠ କିରାଣୀକୁ କୋର୍ଟ ଚାଲାଣ

ଟିଟିଲାଗଡ, (ଗୌରବ ଦର୍ଜୀ) : ବେଆଇନ ଭାବରେ ଟଙ୍କା ଆଦାୟ କରିବାରେ ଧୂରନ୍ଦର ଜଣେ ସରକାରୀ ବାବୁ । ଏମିତିକି ନିଜ ସରକାରୀ ଚାକିରୀ କାଳର ଗତ କିଛି ମାସ ମଧ୍ୟରେ ତିନି ତିନି ଥର ଜେଲ ଯିବା ଘଟଣା ଏବେ ବେଶ ଚର୍ଚ୍ଚାର ପରିସରକୁ ଆସିଛି । ଅଭିଯୋଗ ମୁତାବକ ରାଜସ୍ୱ ବିଭାଗର ବରିଷ୍ଠ କିରାଣୀ ଓମ୍‌ପ୍ରକାଶ କୁମ୍ଭାର ଟିଟିଲାଗଡ଼ ତହସିଲ ଅଫିସରେ ବରିଷ୍ଠ କିରାଣୀ ଦାୟିତ୍ୱରେ ଥିବା ବେଳେ ଟିଟିଲାଗଡ଼ ସହରର କେତେକ ପିଅନ ତଥା କେତେକ ଲୋକଙ୍କୁ ଭୂୟାଁ ବୁଲାଇ ସରକାରୀ ଚାକିରୀ ଯୋଗାଇ ଦେବା ନେଇ ପ୍ରତିଶୃତି ଦେଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଟିଟିଲାଗଡ଼ ଥାନାରେ ଅଭିଯୋଗ ହୋଇଥିଲା । ଅନେକ ଲୋକଙ୍କୁ ଭୁଆଁ ବୁଲାଇ ସରକାରୀ ଚାକିରୀ କରାଇ ଦେବା ନାଁରେ ୨୬ ରୁ ୨୭ ଲକ୍ଷ ଟଙ୍କା ଠକି ନେଇଥିବା ନେଇ ଗତ ମାର୍ଚ୍ଚ ୧୮ ତାରିଖରେ ଟିଟିଲାଗଡ଼ ଥାନାରେ ଜଣେ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଖୋଲାନ ଗ୍ରାମର ଦୟା ରଣା ଅଭିଯୋଗ କରିବା ପରେ ଟିଟିଲାଗଡ଼ ପୋଲିସ ଓମ୍‌ପ୍ରକାଶ କୁମ୍ଭାରକୁ ଭୁବନେଶ୍ୱର କଳ୍ପନା ଛକରୁ ଗିରଫ କରିଛି ଟିଟିଲାଗଡ଼ ପୋଲିସ । ପୂର୍ବରୁ ମଧ୍ୟ ଓମ୍‌ପ୍ରକାଶ କୁମ୍ଭାର ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ବରିଷ୍ଠ କିରାଣୀ ଭାବରେ ଥିବା ସମୟରେ ଗତ ୨୦୧୬ ମସିହା ଜାନୁଆରୀ ୨୧ ତାରିଖରେ ଲାଞ୍ଚ ନେଉଥିବା ସମୟରେ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଦ୍ୱାରା ଗିରଫ ହୋଇଥିଲେ। ପରେ ଚାକିରୀରୁ ନିଲମ୍ବିତ ହୋଇ ଥିଲେ ଓମ୍‌ପ୍ରକାଶ । ପରେ ସେ ଅକ୍ଟୋବର ୨୯ ତାରିଖ ୨୦୧୬ ମସିହାରେ ଟିଟିଲାଗଡ ତହସିଲ କାର୍ୟ୍ୟାଳୟରେ ବରିଷ୍ଠ କିରାଣୀ ଭାବେ ଯୋଗ ଦେଇଥିଲେ । କିନ୍ତୁ ୨୦୧୭ ମସିହା ମାର୍ଚ୍ଚରୁ କାର୍ୟ୍ୟାଳୟକୁ ଆସିବା ବନ୍ଦ କରି ଦେଇଥିଲେ । ପରେ ସେ ପୁଣି ଥରେ କୌଣସି କାରଣରୁ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ପରେ ଭିଜିଲାନ୍ସ କୋର୍ଟ ଅବମାନନା ନେଇ ମଧ୍ୟ ଗିରଫ ହୋଇଥିଲେ ଓମ୍‌ପ୍ରକାଶ । ଟିଟିଲାଗଡ ତହସିଲ କାର୍ୟ୍ୟାଳୟରେ ଥିବା ସମୟରେ ଚାକିରୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ପୋଲିସ ହାତରେ ଗିରଫ ହୋଇଛନ୍ତି ଓମ୍‌ପ୍ରକାଶ କୁମ୍ଭାର । ସେପଟେ ନିଜକୁ ନିର୍ଦୋଷୀ ବୋଲି କହିବା ସହ ଲୋକେ ତାଙ୍କୁ ବିନା କାରଣରେ ଟଙ୍କା ଦେଇଥିବା ବେଳେ ସେ ଅଧିକାଂଶ ଲୋକଙ୍କ ଟଙ୍କା ଫେରାଇ ଥିବା ସଫେଇ ଦେଇଛନ୍ତି । ଟିଟିଲାଗଡ କାର୍ୟ୍ୟାଳୟରେ ବରିଷ୍ଠ କିରାଣୀ ଭାବେ ଥିବା ସମୟରେ ୨୦୧୯ ମସିହା ଫେବୃଆରୀ ୨୩ରେ ସସ୍ପେଣ୍ଡ ହୋଇଥିଲେ । ଜୁନ ୨୭ରେ ପାଟଣାଗଡ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଯୋଗ ଦେବା ପାଇଁ ଅନୁମତି ମିଳିଥିବା ବେଳେ ପାଟଣାଗଡ ଉପଜିଲ୍ଲାପାଳ ନିଜ କାର୍ୟ୍ୟଳୟରେ ଓମ୍‌ପ୍ରକାଶକୁ ଚାକିରୀରେ ଯୋଗ ଦେବାକୁ ବାରଣ କରିଥିଲେ । ଫଳରେ ତତ୍କାଳୀନ ଜିଲ୍ଲାପାଳ ତାଙ୍କୁ ଖପ୍ରାଖୋଲ ତହସିଲ କାର୍ୟ୍ୟାଳୟକୁ ସ୍ଥାନାନ୍ତର କରିଥିଲେ ।

Leave A Reply

Your email address will not be published.