ପତ୍ନୀଙ୍କୁ ମନାଇବା ପାଇଁ ଯାଇଥିଲେ ସ୍ୱାମୀ : ଭଉଣୀ ଏବଂ ଭେଣୋଇଙ୍କ ସହ ମିଶି ସ୍ୱାମୀଙ୍କୁ ପତ୍ନୀ ଜୀବନ୍ତ ଜାଳି ଦେଇଥିବା ଅଭିଯୋଗ
ହିସାର : ହରିୟାଣାର ହାନ୍ସିରେ ନିଜ ସ୍ୱାମୀଙ୍କୁ ଭଉଣୀ ଏବଂ ଭାଉଜଙ୍କ ସହ ମିଶି ଜୀବନ୍ତ ଜାଳିଦେବା ଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି । ମତଭେଦକୁ ନେଇ ଭଉଣୀ ଏବଂ ଭେଣୋଇଙ୍କ ସହ ମିଶି ତାଙ୍କ ପତ୍ନୀ ଜଣକ ମନାଇବା ପାଇଁ ଆସିଥିବା ସ୍ୱାମୀଙ୍କ ଉପରେ ପେଟ୍ରୋଲ ଛିଞ୍ଚି ନିଆଁ ଲଗାଇ ଦେଇଥିଲେ। ରାୟପୁର ରୋଡରେ ରହୁଥିବା ମୃତ ଯୋଗେନ୍ଦ୍ରଙ୍କ ପିତା ହରପାଲଙ୍କ ଅଭିଯୋଗରେ ସିଟି ପୋଲିସ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ।
ପୋଲିସ ନିକଟରେ ହୋଇଥିବା ଅଭିଯୋଗରେ ହରପାଲ କହିଛନ୍ତି ଯେ, ତାଙ୍କ ପୁଅ ଯୋଗେନ୍ଦ୍ର ନ୍ୟୁ ସୁଭାଷନଗର ହାନ୍ସୀ ନିବାସୀ ଅସ୍ମିତାଙ୍କୁ ବିବାହ କରିଥିଲେ । ଯୋଗେନ୍ଦ୍ର ଏବଂ ଅସ୍ମିତାଙ୍କ ମଧ୍ୟରେ ଗତ ୨/୩ ମାସ ଧରି ବିବାଦ ଲାଗି ରହିଥିଲା, ଯେଉଁ କାରଣରୁ ବୋହୂ ଅସ୍ମିତା ପ୍ରେମନଗର ସ୍ଥିତ ତାଙ୍କ ଭଉଣୀ ଘରକୁ ଗତ ୨-୩ ଦିନ ତଳେ ଆସିଥିଲେ । ଅଭିଯୋଗରେ ହରପାଲ କହିଛନ୍ତି ଯେ, ୧୮ ମଇରେ ତାଙ୍କ ପୁଅ ଯୋଗେନ୍ଦ୍ର ପତ୍ନୀଙ୍କୁ ମନାଇବା ପାଇଁ ଯାଇଥିଲେ । ରାତି ପ୍ରାୟ ସାଢେ଼ ୮ଟା ବେଳେ ତାଙ୍କ ବୋହୂ କଲ୍ କରି କହିଥିଲେ ଯେ, ଯୋଗେନ୍ଦ୍ର ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି । ଏହା ପରେ ସେ ତାଙ୍କୁ ହାନ୍ସିର ସିଭିଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ, ଯେଉଁଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା ପରେ ଯୋଗେନ୍ଦ୍ରଙ୍କୁ ଆଗ୍ରୋହାକୁ ରେଫର୍ କରିଥିଲେ । ତେବେ ଆଗ୍ରୋହା ଯିବା ବାଟରେ ଯୋଗେନ୍ଦ୍ର ରାସ୍ତାରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ଏହାପୂର୍ବରୁ ମୃତ ଯୋଗେନ୍ଦ୍ର ତାଙ୍କ ପିତାଙ୍କ ଆଗରେ ପୁରା କାହାଣୀ କହିଥିଲେ । ପୋଲିସ ନିକଟରେ ଅଭିଯୋଗ କରି ହରପାଲ କହିଛନ୍ତି ଯେ, ଯୋଗେନ୍ଦ୍ରଙ୍କୁ ଆଗ୍ରୋହା ନେବାବେଳେ ପୁଅ କହିଥିଲେ ଅସ୍ମିତାଙ୍କ ଭେଣୋଇ ରାଜେଶ ତାଙ୍କୁ ଧରିଥିଲେ, ରାଜେଶଙ୍କ ପତ୍ନୀ ସୁଜିତା ତାଙ୍କ ଉପରେ ପେଟ୍ରୋଲ ଛିଞ୍ଚିଥିଲେ ଏବଂ ତାଙ୍କ ପତ୍ନୀ ଅସ୍ମିତା ତାଙ୍କୁ ନିଆଁ ଲଗାଇ ଦେଇଥିଲେ ।