ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଆଭାସୀ ଜରିଆରେ ଜିଲ୍ଲାପାଳଙ୍କ ଜରୁରୀ ବୈଠକ

  • ଜରୁରୀ କାମ ନ ଥିଲେ ଗ୍ରୀଷ୍ମ ପ୍ରକୋପରେ ପଦାକୁ ନ ବାହାରିବାକୁ ଜିଲ୍ଲାପାଳଙ୍କ ଜିଲ୍ଲାବାସୀଙ୍କୁ ବିଶେଷ ଅନୁରୋଧ
  • ଜିଲ୍ଲାର ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ଯୋଗାଯୋଗ ପୂର୍ବକ କାର୍ଯ୍ୟ କରିବାକୁ ଅଧିକାରୀମାନଙ୍କୁ ଜିଲ୍ଲପାଳଙ୍କ ପରାମର୍ଶ
  • ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱାରୋପ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଏପ୍ରିଲ ମାସରେ ସୁବର୍ଣ୍ଣପୁର ଜିଲ୍ଲାରେ କ୍ରମାଗତ ଭାବେ ରୌଦ୍ରତାପ ବଢ଼ିବାରେ ଲାଗିଛି ।ବିଗତ ଦୁଇଦିନ ମଧ୍ୟରେ ଜିଲ୍ଲାର ତାପମାତ୍ରା ସର୍ବୋଚ୍ଚ ରହିଥିବା ବେଳେ ସାଧାରଣ ଜନ ଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି । ତା.୧୩/୦୪/୨୦୨୨ ଏବଂ ୧୪/୦୪/୨୦୨୨ରେ ସୁବର୍ଣ୍ଣପୁର ଜିଲ୍ଲାର ତାପମାତ୍ରା ଯଥାକ୍ରମେ ୪୩.୯ ଓ ୪୪.୨ ରହିଥିଲା । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ଧନ ଜୀବନର ସୁରକ୍ଷା ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଏକ ଜରୁରକାଳୀନ ଅଂଶୁଘାତ ସ୍ଥିତି ସମୀକ୍ଷା ବୈଠକ ଆଜି ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ, ସୋନପୁର ଓ ବୀରମହାରାଜପୁର ଉପ ଜିଲ୍ଲାପାଳ, ସମସ୍ତ ବି. ଡି.ଓ., ତହସିଲଦାର, ମ୍ୟୁନିସିପାଲଟି ଏବଂ ଏନ.ଏ.ସି.ର କାର୍ଯ୍ୟନିର୍ବାହୀ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ଆର୍. ଡବ୍ଲୁ. ଏସ. ଏସ୍, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ଟି ପି ଡବ୍ଲୁ ଓ ଡି ଏଲ ଓ ଅନ୍ୟାନ୍ୟ କ୍ଷେତ୍ର ତଥା ଜିଲ୍ଲା ସ୍ତରୀୟ ସମ୍ପୃକ୍ତ ଅଧିକାରୀମାନେ ଯୋଗଦାନ କରିଥିଲେ ।

ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଜାଗ ଓ ତତ୍ପର ରହିବା ସହିତ ଆଗାମୀ ଦିନରେ କଠିନ ଅଂଶୁଘାତ ପରିସ୍ଥିତିର ଯେପରି ସୁବ୍ୟବସ୍ଥିତ ଭାବେ ମୁକାବିଲା କରାଯାଇ ପାରିବ ସେଥିପ୍ରତି ଯତ୍ନବାନ ହେବା ସହିତ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱାରୋପ କରିଥିଲେ । ସବୁ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ନିଜ ନିଜ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବାକୁ କଡାକଡି ନିର୍ଦ୍ଦେଶ ଦେବା ସହିତ ସମସ୍ତ କର୍ମଚାରୀ ଯେଉଁ ମାନଙ୍କ ଉପରେ ଅଂଶୁଘାତ ମୁକାବିଲାର ଦାୟିତ୍ଵ ନ୍ୟସ୍ତ କରାଯାଇଛି ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ କହିଥିଲେ । ଜିଲ୍ଲାରେ କୌଣସି ସ୍ଥାନରେ ଯେମିତି ପାନୀୟ ଜଳର ସମସ୍ୟା ଦେଖା ନ ଯିବ ସେଥିପ୍ରତି ବିଶେଷ ଯତ୍ନବାନ୍ ହେବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ବି.ଡି.ଓ. ତଥା ନିର୍ବାହୀ ଯନ୍ତ୍ରୀ ଆର୍. ଡବ୍ଲୁ. ଏସ. ଏସ୍. ଜଣାଇଥିଲେ ଯେ ଜିଲ୍ଲାରେ ବର୍ତ୍ତମାନ ନଳକୂପ ମରାମତି ପାଇଁ ବିଭାଗରେ ଆବଶ୍ୟକୀୟ ଆନୁସଙ୍ଗିକ ଯନ୍ତ୍ରାଂଶ ପ୍ରଚୁର ମାତ୍ରାରେ ମହଜୁଦ ରହିଥିବା ସୂଚନା ଦେଇଥିଲେ ଯଦ୍ୱାରା ଯେକୌଣସି ପରିସ୍ଥିତିର ଜିଲ୍ଲାର ପିଇବା ପାଣି ତଥା ତଦ ସଂକ୍ରାନ୍ତୀୟ ସମସ୍ୟାର ମୁକାବିଲା କରିବା ପାଇଁ ସମ୍ପୃକ୍ତ ବିଭାଗ ସଜାଗ ତଥା ତତ୍ପର ରହିଥିବା ସୂଚୀତ କରିଥିଲେ । ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ମଧ୍ୟ ପାନୀୟ ଜଳର ସୁବ୍ୟବସ୍ଥା ଯେମିତି ଶୀଘ୍ର ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ବି.ଡି.ଓ. ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଅଂଶୁଘାତ କକ୍ଷ ତଥା ଅଂଶୁଘାତ ମୁକାବିଲା ପାଇଁ ଅନ୍ୟାନ୍ୟ ଆବଶ୍ୟକୀୟ ବ୍ୟବସ୍ଥା ଅନୁଧ୍ୟାନ କରିଥିବାରୁ ଜିଲ୍ଲାପାଳ ଖୁସିବ୍ୟକ୍ତ କରିଥିଲେ । ଆହୁରି ମଧ୍ୟ ଆଗାମୀ ଦିନରେ ବରିଷ୍ଠ ଅଧିକାରୀ ମାନେ ଭିନ୍ନ ଭିନ୍ନ କ୍ଷେତ୍ର ପରିଦର୍ଶନ ସମୟରେ ବ୍ଲକ ସ୍ତରରେ ଅଂଶୁଘାତ ସ୍ଥିତି ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଅଂଶୁଘାତ ଜନିତ ମୃତ୍ୟୁ ସଂକ୍ରାନ୍ତୀୟ ତଦନ୍ତ ତଥ୍ୟ ସମ୍ପୃକ୍ତ ଅଞ୍ଚଳରେ କାର୍ଯ୍ୟରତ ରାଜସ୍ୱ ନିରୀକ୍ଷକ ଯଥା ଶୀଘ୍ର ସମ୍ପୃକ୍ତ ତହସିଲଦାରଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି । ପୁନଶ୍ଚ ଅଂଶୁଘାତ ଜନିତ ମୃତ୍ୟୁର ତଦନ୍ତ ତଥ୍ୟ ଓ ବ୍ୟବଛେଦ ବିବରଣୀ ତଥ୍ୟ ସମ୍ପୃକ୍ତ ତହସିଲଦାର ଓ ସ୍ୱାସ୍ଥ୍ୟ ଅଧିକାରୀ ମିଳିତ ଭାବେ ରାଜସ୍ବ ନିରୀକ୍ଷକଙ୍କଠୁ ସୂଚନା ପ୍ରାପ୍ତିର ୨ ଘଣ୍ଟା ମଧ୍ୟରେ ମୃତ୍ୟୁ ସଂକ୍ରାନ୍ତୀୟ ସଠିକ୍‌ ବିବରଣୀ ସହ ଜିଲ୍ଲପାଳଙ୍କୁ ଅବଗତ କରାଇବାକୁ ନିର୍ଦେଶ ଦିଆଯାଇଛି । ସାମ୍ପ୍ରତିକ ପରିସ୍ଥିତିରେ ଜିଲ୍ଲାରେ ଆବଶ୍ୟକ ଜଳଛତ୍ର, ଥଣ୍ଡା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ତଥା ପାଣି ଟ୍ୟାଙ୍କର ଆଦିକୁ ନିରବଚ୍ଛିନ୍ନ ଭାବରେ ଚାଲୁ ରଖିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ତାଗିତ କରିଥିଲେ । ନିର୍ବାହୀ ଯନ୍ତ୍ରୀ ଟିପିଡବ୍ଲୁ ଓ ଡିଏଲଙ୍କୁ ପାନୀୟ ଜଳ ଯୋଗାଣ ସ୍ଥାନ ଗୁଡିକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବାକୁ କଡାକଡି ନିର୍ଦ୍ଦେଶ ଦିଆଯାଇଛି । ପରିଶେଷରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସୁବର୍ଣ୍ଣପୁରର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ ପୂର୍ବକ ପରାମର୍ଶ କରିଛନ୍ତି କି ଅତିଆବଶ୍ୟକ ନହେଲେ ଜନସାଧାରଣ କେହି ଘରୁ ପଦାକୁ ବାହାରିବେ ନାହିଁ, ପରିସ୍ଥିତି ଉପରେ ନଜର ରଖିବା ସହ ନିଜକୁ ସର୍ବଦା ସଜଳ ରଖିବେ ଯଦ୍ ଦ୍ଵାରା ଆମେ ଆମର ଧନ ଜୀବନ ସୁରକ୍ଷିତ ରଖି ପାରିବ ଏବଂ ଆସନ୍ନ ଅଂଶୁଘାତ ଜନିତ ଯେ କୌଣସି ବିପଦକୁ ଏଡ଼ାଇବାକୁ ସକ୍ଷମ ହୋଇପାରିବା ।

Leave A Reply

Your email address will not be published.