jayashree

ବାପଘରୁ ସାଦଭାର ଭାର ପହଞ୍ଚିବା ପୂର୍ବରୁ ଶାଶୂଘରେ ଆଖି ବୁଜିଲେ ଝିଅ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ଥାନା ମାଗୁରବେଡା ଫାଣ୍ଡି ତଲିଉଡାର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବାପଘରୁ ସାଦଭାର ଭାର ପହଞ୍ଚିବା ପୂର୍ବରୁ ଶାଶୂଘରେ ଆଖି ବୁଜିଲେ ଝିଅ ପୁଷ୍ପାଞ୍ଜଳି । ସୂଚନେ ଅନୁସାରେ ପୁଷ୍ପାଞ୍ଜଳିଙ୍କ ଘର ପାଟଣାଗଡ଼ ଥାନା ବନକାବିଅର ଗାଁରେ । ସେ ଗତ ୨୦୨୧ ମାର୍ଚ୍ଚ ୨୧ରେ ତଲିଉଡାର ବିପିନଙ୍କୁ ବିବାହ କରିଥିଲେ । ସେ ୭ମାସର ଗର୍ଭବତୀ ଥିବାରୁ ବାପଘର ଲୋକେ ସାଦଭାର ଧରି ଆସିବାର ଥିଲା । ହେଲେ ଗତକାଲି ରାତିରେ ସେ ଫ୍ୟାନରେ ଶାଢି ଲଗାଇ ଆତ୍ମହତ୍ୟା କରିଦେଇଥିଲେ । ରବିବାର ଭୋର ୫ଟାରେ ପରିବାର ଲୋକେ ତାଙ୍କୁ ଭୀମ ଭୋଇ ମେଡିକାଲକୁ ଆଣିଥିଲେ । ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ବୋଲି ଶାଶୂଘର ଲୋକେ କହିଛନ୍ତି । କିନ୍ତୁ ଝିଅକୁ ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି । ଭାର ନେଇ ନଆସିବାକୁ ଶାଶୂଘର ଲୋକେ କହିବାରୁ ଝିଅ ସହ ବଚସା ହୋଇଥିଲା । ଏହି କାରଣରୁ ହିଁ ତାକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ପୁଷ୍ପାଞ୍ଜଳିଙ୍କ ପରିବାର ଲୋକେ । ପୁଷ୍ପାଞ୍ଜଳିର ଦେହ ଭଲ ନଥିବାରୁ ହସ୍ପିଟାଲରେ ପହଞ୍ଚିବାକୁ ଶାଶୂଘର ଲୋକେ ରବିବାର ସକାଳେ କହିଥିଲେ । ଏହା ଶୁଣିବା ପରେ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିବା ପରେ ଝିଅ ଆତ୍ମହତ୍ୟା କରିଥିବା କହିଥିଲେ । ପରିବାର ଲୋକେ ଘଟଣାକୁ ଲୁଚାଉଥିବା ଅଭିଯୋଗ କରି ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.