ମିଶନଶକ୍ତି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହୀତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମିଶନ ଶକ୍ତି ଗଞ୍ଜାମ ଆନୁକୂଲ୍ୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମିଶନ ଶକ୍ତିର ମହିଳା ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ନିଜକୁ ବହୁ ସାମାଜିକ କାର୍ଯ୍ୟକ୍ରମରେ ନିୟୋଜିତ କରି ଅସହାୟ ବୃଦ୍ଧ ଦମ୍ପତିଙ୍କୁ ଥଇଥାନ କରିବା, ଗରୀବ ଅସହାୟ ପରିବାରର ଝିଅ ବିବାହ ପାଇଁ ଆର୍ଥିକ ସହାୟତା, ଗରୀବ ପରିବାରର ଲୋକଙ୍କ ଶୁଦ୍ଧିକ୍ରିୟା ପାଇଁ ଆର୍ଥିକ ସହାୟତା ପ୍ରଦାନ କରି ସବୁବେଳେ ଚର୍ଚ୍ଚାରେ ଆସିଛନ୍ତି । ସେହିପରି ଗତକାଲି ଏଭଳି ଏକ ନିଆରା ପଦକ୍ଷେପ ନେଇଛନ୍ତି । ଯାହା ସାରା ଓଡ଼ିଶାର ମହିଳାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ‌। ରକ୍ତର ଅଭାବରୁ କାହାରିକୁ ମରିବାକୁ ନ ଦେବା, ସମସ୍ତଙ୍କ ଜୀବନ ବହୁ ମୂଲ୍ୟବାନ, ରକ୍ତଦାନ ମହତ୍ ଦାନ ଉଦ୍ଦେଶ୍ୟ ନେଇ ଓଡ଼ିଶାର ପ୍ରଥମ ଥର ଛତ୍ରପୁରର ମହିଳା ଶକ୍ତି ପକ୍ଷରୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ, ଇନ୍ସପେକ୍ଟର ପ୍ରଦୀପ କୁମାର ଦାଶ ଓ ଡାକ୍ତର ସୁଦର୍ଶନ ସାହୁ ଯୋଗଦେଇ ରକ୍ତ ଦାତାଙ୍କୁ ମାନପତ୍ର ସହ ସମ୍ମାନୀତ କରି ଉତ୍ସାହିତ କରିଥିଲେ । ମହିଳାଶକ୍ତିଙ୍କ ପକ୍ଷରୁ ଏହିପରି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ କରିଥିବାରୁ ଛତ୍ରପୁର ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଭୂୟସୀ ପ୍ରଶଂସା ପାଇଥିଲେ ଏବଂ ଏହି ମହତ୍ କାର୍ଯ୍ୟ ଲାଗି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିପାରିଛନ୍ତି ବୋଲି ସାଧାରଣରେ କୁହାଯାଏ । ଉକ୍ତ ଶିବିରରେ ନିରୂପମା ପାଣିଗ୍ରାହୀ, ମାଳତୀ ସାହୁ, ନମିତା ମହାରଣା, ସବିତା ଦାସ, ମନସ୍ବିନୀ ସାହୁ, ସଞ୍ଜୁକ୍ତା ସାହୁ, ଗୀତା ଖୁଣ୍ଟିଆ, ଗାୟତ୍ରୀ ରେଡ୍ଡୀ, ଶୈଳବାଳା ରଥ, ଏନ୍. ପୁଷ୍ପାଞ୍ଜଳି, ସଂଯୁକ୍ତା ନାୟକ ସମେତ ଅନ୍ୟମାନେ ସ୍ଵେଛାଚାରୀ ଭାବେ ଯୋଗଦେଇ ମୋଟ ୩୦ ଜଣ ରକ୍ତ ଦାନ କରିଥିଲେ । ଅନୁସାୟା ନାୟକ, ସଙ୍ଗୀତା ଦଳାଇ, ଉର୍ମିଳା ପ୍ରଧାନ, ମିତାଞ୍ଜଳି ଗୌଡ, ଇ.କମଳା, ଭି.ପଦ୍ମା ଓ ମୀନତି ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ଛତ୍ରପୁର ପ୍ରେସ କ୍ଲବର ସଦସ୍ୟଗଣ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.