ମାର୍ଚ୍ଚ ୨୦୨୧ଠାରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି)ର ସମ୍ପ୍ରସାରଣକୁ କ୍ୟାବିନେଟ୍‌ ଅନୁମୋଦନ

ଗ୍ରାମାଞ୍ଚଳରେ ସମସ୍ତଙ୍କ ପାଇଁ ଆବାସ ଲକ୍ଷ୍ୟକୁ ସାକାର କରିବ ଏହି ନିଷ୍ପତ୍ତି
● ଯୋଜନା ଅଧୀନରେ ମୋଟ ୨.୯୫ କୋଟି ଆବାସ ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲା ; ଏଥିମଧ୍ୟରୁ ଅବଶିଷ୍ଟ ୧୫୫.୭୫ ଲକ୍ଷ ଆବାସ ନିର୍ମାଣ ପାଇଁ ଯୋଗାଇ ଦିଆଯିବ ଆର୍ଥିକ ସହାୟତା
● ଯୋଜନା ପାଇଁ ଖର୍ଚ୍ଚ ହେବ ୨,୧୭,୨୫୭ କୋଟି ଟଙ୍କା ; ଏଥିମଧ୍ୟରୁ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୧,୨୫,୧୦୬ କୋଟି ଟଙ୍କା

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମାର୍ଚ୍ଚ ୨୦୨୧ ଠାରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି)ର ସମ୍ପ୍ରସାରଣ ଲାଗି ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହି ଯୋଜନାରେ ମୋଟ ୨.୯୫ କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏଥିମଧ୍ୟରୁ ଅବଶିଷ୍ଟ ୧୫୫.୭୫ ଲକ୍ଷ ଆବାସ ନିର୍ମାଣ ପାଇଁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଯୋଗାଇ ଦେବେ ।

କ୍ୟାବିନେଟ ବୈଠକରେ ନିମ୍ନ ପ୍ରସ୍ତାବଗୁଡ଼ିକୁ ଅନୁମୋଦନ କରାଯାଇଛି :
● ପ୍ରଚଳିତ ନିୟମ ଅନୁଯାୟୀ ମାର୍ଚ୍ଚ ୨୦୨୧ ଠାରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାକୁ ଜାରି ରଖାଯିବ । ଏହି ଯୋଜନାରେ ୨.୯୫ କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିମଧ୍ୟରୁ ଅବଶିଷ୍ଟ ଆବାସ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
● ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ମୋଟ ୨.୯୫ କୋଟି ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏଥିମଧ୍ୟରୁ ଅବଶିଷ୍ଟ ୧୫୫.୭୫ ଲକ୍ଷ ଆବାସ ନିର୍ମାଣ ପାଇଁ ମୋଟ ୨,୧୭,୨୫୭ କୋଟି ଟଙ୍କା ଖର୍ଚ୍ଚ କରାଯିବ । କେନ୍ଦ୍ର ସରକାର ୧,୨୫,୧୦୬ କୋଟି ଏବଂ ରାଜ୍ୟ ସରକାର ୭୩,୪୭୫ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହାବ୍ୟତୀତ ନାବାର୍ଡକୁ ସୁଧ ପଇଠ କରିବା ଲାଗି ଅତିରିକ୍ତ ୧୮,୬୭୬ କୋଟି ଟଙ୍କାର ଆବଶ୍ୟକତା ପଡ଼ିବ ।
● ଅର୍ଥ ମନ୍ତ୍ରଣାଳୟ ସହିତ ପରାମର୍ଶ କରି ମୋଟ ବଜେଟ ଆଧାରିତ ସହାୟତା (ଜିବିଏସ) ଜରିଆରେ ଇବିଆର ପର୍ଯ୍ୟାୟ ନିର୍ଦ୍ଧାରଣ ଏବଂ ସମ୍ପୂର୍ଣ୍ଣ ଯୋଜନା ପାଇଁ ପାଣ୍ଠି ଯୋଗାଣ ବ୍ୟବସ୍ଥା କରାଯିବ ।
● ହିମାଚଳ ପ୍ରଦେଶ, ହରିୟାଣା, ଗୋଆ, ପଞ୍ଜାବ, ଉତ୍ତରାଖଣ୍ଡ ଭଳି ପ୍ରତ୍ୟେକ କ୍ଷୁଦ୍ର ରାଜ୍ୟ ; ଆସାମ ଓ ତ୍ରିପୁରାକୁ ଛାଡ଼ି ସମସ୍ତ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଏବଂ ଜମ୍ମୁ ଓ କଶ୍ମୀରକୁ ଛାଡ଼ି ଅନ୍ୟ ସମସ୍ତ କେନ୍ଦ୍ର ଶାସିତ ପ୍ରଦେଶକୁ ପ୍ରଶାସନିକ ପାଣ୍ଠିର କେନ୍ଦ୍ରୀୟ ଅଂଶଧନରୁ ବାର୍ଷିକ ୪୫ ଲକ୍ଷ ଟଙ୍କାର ଅତିରିକ୍ତ ପ୍ରଶାସନିକ ପାଣ୍ଠି ଜାରି କରାଯିବ । ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶକୁ ଜାରି କରାଯାଉଥିବା ୧.୭୦ ପ୍ରତିଶତ ପ୍ରଶାସନିକ ପାଣ୍ଠି ଠାରୁ ଅତିରିକ୍ତ ଏବଂ ଅଧିକ ଏହି ପାଣ୍ଠି ଯୋଗାଇ ଦିଆଯିବ ।
● ୨୦୨୩-୨୪ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ୟ୍ୟକ୍ରମ ପରିଚାଳନା ୟୁନିଟ (ପିଏମୟୁ) ଏବଂ ଜାତୀୟ ବୈଷୟିକ ସହାୟତା ଏଜେନ୍ସି (ଏନଟିଏସଏ) ଜାରି ରହିବ ।
ଲାଭ :
ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନା ଜାରି ରହିବା ଫଳରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଧାର୍ଯ୍ୟ କରାଯାଇଥିବା ସର୍ବମୋଟ ୨.୯୫ କୋଟି ଆବାସ ନିର୍ମାଣ ଲକ୍ଷ୍ୟ ମଧ୍ୟରୁ ଅବଶିଷ୍ଟ ୧୫୫.୭୫ ଲକ୍ଷ ଆବାସ ନିର୍ମାଣ ସୁନିଶ୍ଚିତ ହେବ । ସମ୍ପ୍ରସାରିତ ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳରେ “ସମସ୍ତଙ୍କ ପାଇଁ ଆବାସ” ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତ ମୌଳିକ ସୁବିଧା ସୁଯୋଗ ଥିବା ପକ୍କା ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।
୨୯ ନଭେମ୍ବର ୨୦୨୧ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମୋଟ ୨.୯୫ କୋଟି ଆବାସ ଲକ୍ଷ୍ୟ ମଧ୍ୟରୁ ୧.୬୫ କୋଟି ଆବାସ ନିର୍ମାଣ କରାଯାଇସାରିଛି । ୨୦୨୨ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଧାର୍ଯ୍ୟ ସମୟସୀମା ମଧ୍ୟରେ ୨.୦୨ କୋଟି ଆବାସ ନିର୍ମାଣ କରାଯାଇପାରିବ ବୋଲି ଆକଳନ କରାଯାଇଛି, ଏହା ଏସଇସିସି ୨୦୧୧ ଡାଟାବେସ ଉପରେ ଆଧାରିତ ସ୍ଥାୟୀ ପ୍ରତୀକ୍ଷା ସୂଚୀ ସହ ପ୍ରାୟତଃ ସମାନ । ତେଣୁ ୨.୯୫ କୋଟି ପକ୍କା ଆବାସ ଲକ୍ଷ୍ୟ ହାସଲ କରିବା ଲାଗି ଏହି ଯୋଜନା ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଜାରି ରହିବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.