ଅଧିକ ଚାରି ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ସମ୍ପ୍ରସାରଣକୁ କ୍ୟାବିନେଟ ମଞ୍ଜୁରି : ଡିସେମ୍ବର ୨୦୨୧ ଠାରୁ ମାର୍ଚ୍ଚ ୨୦୨୨ ପର୍ୟ୍ୟନ୍ତ ଯୋଜନାର ଲାଭ ପାଇବେ ହିତାଧିକାରୀ

● ଏହି ଯୋଜନାରେ ପଞ୍ଚମ ପର୍ୟ୍ୟାୟ ଖାଦ୍ୟ ଶସ୍ୟ ବିତରଣ ପାଇଁ ଖାଦ୍ୟ ସବସିଡି ବାବଦକୁ ଖର୍ଚ୍ଚ ହେବ ଆନୁମାନିକ ୫୩,୩୪୪.୫୨ କୋଟି ଟଙ୍କା
● ପଞ୍ଚମ ପର୍ୟ୍ୟାୟରେ ମୋଟ ୧୬୩ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟ ଶସ୍ୟ ବଣ୍ଟନ କରାଯିବ
● ସଫଳତାପୂର୍ବକ ଚତୁର୍ଥ ପର୍ୟ୍ୟାୟ ଶେଷ ହେବା ପରେ, ଡିସେମ୍ବର ୧, ୨୦୨୧ରୁ ଆରମ୍ଭ ହେବ ପଞ୍ଚମ ପର୍ୟ୍ୟାୟ ଆବଣ୍ଟନ
● ମାସିକ ୫ କିଗ୍ରା ଲେଖାଏଁ ଖାଦ୍ୟଶସ୍ୟ ମାଗଣାରେ ପାଇବେ ପ୍ରତ୍ୟେକ ହିତାଧିକାରୀ
● ମାର୍ଚ୍ଚ ୨୦୨୨ ପର୍ୟ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ଥିବା ସମସ୍ତ ହିତାଧିକାରୀ ହେବେ ଲାଭାନ୍ୱିତ

ନୂଆଦିଲ୍ଲୀ, (ପିଆଇବି) : ଆହୁରି ୪ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)ର ସମ୍ପ୍ରସାରଣ କରାଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୦୭.୦୬.୨୦୨୧ରେ କରିଥିବା ଲୋକାଭିମୁଖି ଘୋଷଣାକୁ ଅନୁସରଣ କରି ତଥା କୋଭିଡ-୧୯ ଜନିତ ଆର୍ଥିକ ପ୍ରଭାବକୁ ପ୍ରଶମିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ଆଜି ଏହି ଯୋଜନାର ପଞ୍ଚମ ପର୍ୟ୍ୟାୟ ସମ୍ପ୍ରସାରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଯାହାଫଳରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅଧୀନରେ ଆସୁଥିବା ସମସ୍ତ ହିତାଧିକାରୀ ଡିସେମ୍ବର ୨୦୨୧ ଠାରୁ ମାର୍ଚ୍ଚ ୨୦୨୨ ପର୍ୟ୍ୟନ୍ତ ପିଏମଜିକେୱାଇ ଯୋଜନା ଅଧୀନରେ ମାଗଣାରେ ଖାଦ୍ୟଶସ୍ୟ ପାଇପାରିବେ । ସମସ୍ତ ହିତାଧିକାରୀମାନଙ୍କୁ ଆସନ୍ତା ୪ ମାସ ପାଇଁ ଯୋଜନାର ପଞ୍ଚମ ପର୍ୟ୍ୟାୟ ସମ୍ପ୍ରସାରଣର ଲାଭ ମିଳିବ । ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ପରିବାର ସମେତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଯୋଜନାର ହିତାଧିକାରୀ ପରିବାର ମଧ୍ୟ ଏହାର ଲାଭ ପାଇପାରିବେ । ପିଏମଜିକେଏୱାଇ ଯୋଜନାର ପ୍ରଥମ ଏବଂ ଦ୍ୱିତୀୟ ପର୍ୟ୍ୟାୟ ଯଥାକ୍ରମେ ୨୦୨୦ ଏପ୍ରିଲରୁ ଜୁନ୍ ଏବଂ ୨୦୨୦ ଜୁଲାଇରୁ ନଭେମ୍ବର ମାସ ପର୍ୟ୍ୟନ୍ତ କାର୍ୟ୍ୟକାରୀ କରାଯାଇଥିଲା । ଏହାପରେ ୨୦୨୧ ମେ ମାସ ଠାରୁ ଜୁନ୍ ମାସ ପର୍ୟ୍ୟନ୍ତ ଯୋଜନାର ତୃତୀୟ ପର୍ୟ୍ୟାୟରେ ମାଗଣା ଖାଦ୍ୟଶସ୍ୟ ବଣ୍ଟନ କରାଯାଇଥିଲା । ଏହାପରେ ୨୦୨୧ ଜୁଲାଇ ଠାରୁ ନଭେମ୍ବର ମାସ ପର୍ୟ୍ୟନ୍ତ ଯୋଜନାର ଚତୁର୍ଥ ପର୍ୟ୍ୟାୟକୁ କାର୍ୟ୍ୟକାରୀ କରାଯାଉଛି । ଡିସେମ୍ବର ୨୦୨୧ ଠାରୁ ମାର୍ଚ୍ଚ ୨୦୨୨ ପର୍ୟ୍ୟନ୍ତ ପିଏମଜିକେଏୱାଇ ଯୋଜନାର ପଞ୍ଚମ ପର୍ୟ୍ୟାୟ କାର୍ୟ୍ୟକାରୀ କରାଯିବା ଫଳରେ ସରକାର ଖାଦ୍ୟ ସବସିଡି ବାବଦରେ ଆନୁମାନିକ ୫୩,୩୪୪.୫୨ କୋଟି ଟଙ୍କା ଖର୍ଚ୍ଚ କରିବେ । ଏହି ଯୋଜନାରେ ମୋଟ ୧୬୩ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟ ଶସ୍ୟ ବଣ୍ଟନ କରାଯିବ ବୋଲି ଅନୁମାନ କରାଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଦେଶରେ କୋଭିଡ-୧୯ ମହାମାରୀ ବ୍ୟାପିବା କାରଣରୁ ଆର୍ଥିକ ଗତିବିଧି ବାଧାପ୍ରାପ୍ତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସରକାର ମାର୍ଚ୍ଚ ୨୦୨୦ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଘୋଷଣା କରିଥିଲେ । ଏହି ଯୋଜନା ଅଧୀନରେ ୮୦ କୋଟି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ହିତାଧିକାରୀମାନଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ବିତରଣ କରିବା ଲାଗି ଘୋଷଣା କରାଯାଇଥିଲା । ପ୍ରତ୍ୟେକ ହିତାଧିକାରୀମାନଙ୍କୁ ମାସିକ ୫ କିଗ୍ରା ଲେଖାଏଁ ଚାଉଳ କିମ୍ବା ଗହମ ବଣ୍ଟନ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କୁ ଏନଏଫଏସଏ ଯୋଜନାରେ ମାସିକ ନିୟମିତ ଖାଦ୍ୟଶସ୍ୟ ବ୍ୟତୀତ ଏବଂ ଅତିରିକ୍ତ ଏହି ଖାଦ୍ୟଶସ୍ୟ ଦିଆଯିବ ବୋଲି ସରକାର କହିଥିଲେ । ଯାହାଫଳରେ କୋଭିଡ ଜନିତ ଆର୍ଥିକ ସଂକଟ ସମୟରେ ଦେଶର ଗରିବ, ବଞ୍ଚିତ, ଅସହାୟ ପରିବାର/ ହିତାଧିକାରୀମାନଙ୍କୁ ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ମିଳିପାରିବ । ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ୪ଟି ପର୍ୟ୍ୟାୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟ ୬୦୦ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ପ୍ରଦାନ କରାଯାଇସାରିଛି । ଖାଦ୍ୟ ସବସିଡି ବାବଦରେ ୨.୦୭ ଲକ୍ଷ କୋଟି ଟଙ୍କା ସରକାର ଖର୍ଚ୍ଚ କରିଛନ୍ତି । ଦେଶରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଚତୁର୍ଥ ପର୍ୟ୍ୟାୟରେ ଖାଦ୍ୟଶସ୍ୟ ବିତରଣ ଜାରି ରହିଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମୋଟ୍ ୯୩.୮% ଖାଦ୍ୟ ଶସ୍ୟ ଉଠାଣ କରିସାରିଛନ୍ତି । ଜୁଲାଇ ୨୦୨୧ ମାସ ପାଇଁ ୯୩.୯% ଅର୍ଥାତ୍ ୩୭.୩୨ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ, ଅଗଷ୍ଟ ୨୦୨୧ ପାଇଁ ୯୩.୬% ଅର୍ଥାତ୍ ୩୭.୨୦ ଲକ୍ଷ ମେଟ୍ରିକ ଟନ, ସେପ୍ଟେମ୍ବର ୨୦୨୧ ପାଇଁ ୯୨.୮% ଅର୍ଥାତ ୩୬.୮୭ ଲକ୍ଷ ମେଟ୍ରିକ ଟନ୍, ଅକ୍ଟୋବର ୨୦୨୧ ପାଇଁ ୮୯% ଅର୍ଥାତ୍ ୩୫.୪ ଲକ୍ଷ ମେଟ୍ରିକ ଟନ ଏବଂ ନଭେମ୍ବର ୨୦୨୧ ପାଇଁ ୪୫% ଅର୍ଥାତ୍ ୧୭.୯ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ବିତରଣ କରାଯାଇସାରିଛି । ଜୁଲାଇରୁ ନଭେମ୍ବର ପର୍ୟ୍ୟନ୍ତ ପାଞ୍ଚ ମାସ ମଧ୍ୟରେ ଯଥାକ୍ରମେ ୭୪.୬୪ କୋଟି, ୭୪.୪ କୋଟି, ୭୩.୭୫ କୋଟି, ୭୦.୮ କୋଟି ଏବଂ ୩୫.୮ କୋଟି ହିତାଧିକାରୀ ଲାଭାନ୍ୱିତ ହୋଇଛନ୍ତି । ପୂର୍ବ ପର୍ୟ୍ୟାୟର ଅଭିଜ୍ଞତାକୁ ଆଧାର କରି ପିଏମଜିକେଏୱାଇ ପଞ୍ଚମ ପର୍ୟ୍ୟାୟର ପ୍ରଦର୍ଶନ ମଧ୍ୟ ଉଚ୍ଚସ୍ତରୀୟ ରହିବ ବୋଲି ଆଶା କରାଯାଉଛି । ସର୍ବମୋଟ ପିଏମଜିକେଏୱାଇର ପ୍ରଥମରୁ ପଞ୍ଚମ ପର୍ୟ୍ୟାୟକୁ କାର୍ୟ୍ୟକାରୀ କରିବା ଲାଗି ସରକାର ପାଖାପାଖି ୨.୬୦ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ ।

Leave A Reply

Your email address will not be published.