ପ୍ରତିରକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟବସ୍ଥାର ତୁରନ୍ତ କାର୍ୟ୍ୟକାରିତା ସଂକ୍ରାନ୍ତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

• ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ସ୍ୱଚ୍ଛତା, ଆକାଂକ୍ଷିତ ଲକ୍ଷ୍ୟ ଓ ବ୍ୟବସାୟିକ ସୁଗମତା ଅଭିମୁଖେ ଅଗ୍ରସର ହେଉଛି : ପ୍ରଧାନମନ୍ତ୍ରୀ
• ପ୍ରତିରକ୍ଷା କ୍ଷେତ୍ରରେ ନିର୍ମାଣ ସାମର୍ଥ୍ୟ ବୃଦ୍ଧି ଦିଗରେ ଗୁରୁତ୍ୱ ଦିଆଯାଉଛି : ପ୍ରଧାନମନ୍ତ୍ରୀ

ନୂଆଦି‌ଲ୍ଲୀ, (ପିଆଇବି) : ପ୍ରତିରକ୍ଷା କ୍ଷେତ୍ରରେ ବଜେଟରେ ନିଆଯାଇଥିବା ପଦକ୍ଷେପ ଗୁଡିକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ୱେବିନାରରେ ଅଭିଭାଷଣ ଦେବା ଅବସରରେ ପ୍ରକାଶ କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ନେଇ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିବାରୁ ଏହି ୱେବିନାର ଖୁବ ତାତ୍ପର୍ୟ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ଦେଶରେ ଶହ ଶହ ଆୟୁଧ କାରଖାନା କାର୍ୟ୍ୟରତ ଥିଲା । ଉଭୟ ବିଶ୍ୱ ଯୁଦ୍ଧରେ ଭାରତରୁ ବହୁଳ ଅସ୍ତ୍ରଶସ୍ତ୍ର ରପ୍ତାନୀ ହେଉଥିଲା । ମାତ୍ର ସ୍ୱାଧୀନତା ପରେ ଯଦିଓ ଏ କ୍ଷେତ୍ରକୁ ଅଧିକ ମଜଭୁତ କରାଯିବା ଉଚିତ ଥିଲା, ଅନେକ କାରଣବଶତଃ ତାହା କରାଗଲା ନାହିଁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ଆମର ଯନ୍ତ୍ରୀ ଓ ବେଜ୍ଞାନିକ ମାନଙ୍କ ସାମର୍ଥ୍ୟ ଉପରେ ଆସ୍ଥା ରଖି ତେଜସ ଲଢ଼ୁଆ ବିମାନ ବିକଶିତ କଲେ ଓ ଆଜି ତେଜସ ସ୍ୱଚ୍ଛନ୍ଦରେ ଆକାଶରେ ଉଡୁଛି । ଅଳ୍ପ କେତେ ସପ୍ତାହ ପୂର୍ବରୁ ତେଜସ ରପ୍ତାନୀ ପାଇଁ ୪୮ ହଜାର କୋଟି ଟଙ୍କା ବହିନା ମିଳିଛି ।
ସେ କହିଛନ୍ତି ଯେ ୨୦୧୪ ମସିହାଠାରୁ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଚ୍ଛତା, ନିର୍ଦ୍ଦିଷ୍ଟ ଲକ୍ଷ୍ୟର ଆକଳନ ଓ ବ୍ୟାବସାୟିକ ସୁଗମତା ଆଣିବା ପାଇଁ ସରକାର ଅଧ୍ୟବସାୟ ଜାରି ରଖିଛନ୍ତି । ସରକାର ଏହି କ୍ଷେତ୍ରକୁ ଲାଇସେନ୍ସ ଓ ନିୟନ୍ତ୍ରଣ ମୁକ୍ତ, ରପ୍ତାନୀ ଅଭିମୁଖୀ, ବିଦେଶୀ ପୁଞ୍ଜିନିବେଶ ଓ ସ୍ୱାଧୀନ କରିବାକୁ ଅନେକ ପଦକ୍ଷେପ ନେଇଛନ୍ତି ।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରତିରକ୍ଷା କ୍ଷେତ୍ର ପାଇଁ ଭାରତ ଶହେଟି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିଛି ଯାହାକି ଆମର ସ୍ଥାନୀୟ କାରଖାନା ଗୁଡିକରେ ତିଆରି ହୋଇପାରିବ । ଏଥିପାଇଁ ଏକ ସମୟସୀମା ଧାର୍ୟ୍ୟ କରାଯାଇଛି, ଯାହା ଫଳରେ ଆମର କାରଖାନାଗୁଡିକ ଏଥିପାଇଁ ଯୋଜନା କରିପାରିବେ ।
ସରକାରୀ ଭାଷାରେ ଏହି ତାଲିକା ନକାରାତ୍ମକ ହୋଇପାରେ ମାତ୍ର ଆତ୍ମନିର୍ଭରଶୀଳତା ଭାଷାରେ ଏହା ସକାରାତ୍ମକ ବୋଲି କୁହାଯାଇପାରିବ । ଏହା ଏକ ସକାରାତ୍ମକ ତାଲିକା ଯାହାଯୋଗୁଁ ଆମ ଦେଶର ନିର୍ମାଣ ସାମର୍ଥ୍ୟ ବୃଦ୍ଧି ପାଇବ । ଏହି ସକାରାତ୍ମକତା ଯୋଗୁଁ ଆମର ଅଧିକ କର୍ମ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ତାଲିକା ଯୋଗୁଁ ଆମକୁ ଆମର ପ୍ରତିରକ୍ଷା ଆବଶ୍ୟକତା ପାଇଁ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏହି ସକାରାତ୍ମକ ତାଲିକା ଦେଶୀୟ ସାମଗ୍ରୀ ଦେଶରେ ବିକ୍ରୀ ପାଇଁ ଗ୍ୟାରେଣ୍ଟି ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପ୍ରତିରକ୍ଷା ବାବଦ ବ୍ୟୟବରାଦରେ ଦେଶୀୟ ସାମଗ୍ରୀ ଆହରଣ ନିମନ୍ତେ ମଧ୍ୟ ବ୍ୟବସ୍ଥା ରହିଛି । ଦେଶରେ ପ୍ରତିରକ୍ଷା ସାମଗ୍ରୀ ପରିପାଟ୍ଟୀ ପ୍ରସ୍ତୁତ ସହ ନିର୍ମାଣ କରିବାକୁ ସେ ବେସରକାରୀ କ୍ଷେତ୍ରକୁ ଆହ୍ୱାନ କରିଛନ୍ତି । ପ୍ରତିରକ୍ଷା ଉପକରଣ ତିଆରି କରି ବୈଶ୍ୱିକ ମଞ୍ଚରେ ସେମାନେ ବିଜୟ ପତାକା ଉଡାଇପାରିବେ ।
ସମଗ୍ର ନିର୍ମାଣ କ୍ଷେତ୍ର ପାଇଁ ଏମଏସଏମଇ ଏକ ମେରୁଦଣ୍ଡ ସଦୃଶ ବୋଲି ସେ କହିଛନ୍ତି । ଆଜି ଯେଉଁସବୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଉଛି ସେଥିରେ ଏମଏସଏମଇକୁ ଅଧିକ ସ୍ୱାଧୀନତା ଦିଆଯାଇଛି । ଯାହା ଫଳରେ ଏହା ଅଧିକ ସଂପ୍ରସାରିତ ହେବାକୁ ପ୍ରୋତ୍ସାହନ ପାରିବ ।
ଦେଶରେ ଆଜି ଯେଉଁ ପ୍ରତିରକ୍ଷା କରିଡର ତିଆରି ହେଉଛି ତାହା ସ୍ଥାନୀୟ ଶିଳ୍ପୋଦ୍ୟୋଗୀ ଓ ନିର୍ମାଣକର୍ତ୍ତାଙ୍କୁ ସାହାଯ୍ୟ କରିବ । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆମର ଜବାନ ଓ ଯୁବଗୋଷ୍ଠୀ ଉଭୟଙ୍କୁ ସଶକ୍ତ କରିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.