ଗାଁ ବିକାଶରେ ମଦ କୁଚିଆ ଭରସା : ସ୍ୱୀକୃତି ପ୍ରାପ୍ତ ମଦ ଭାଟିକୁ ନାଁ, କୁଚିଆ ମଦକୁ ହଁ

ଦେଓଗାଁ, (ମନୀଷ କୁମାର ସାହୁ) : ଗାଁ ପାଣ୍ଠିକୁ ମୋଟା ଚାନ୍ଦା ଦିଅ ନଚେତ ଗାଁ ଭିତରେ ଥିବା କୁଚିଆ ମଦ ଦୋକାନ ବନ୍ଦ କର । ଯଦି ନ କରିବ ମହିଳା ସ୍ୱୟଂ ସହାୟକ ଦଳ ଥାନା ଘେରାଉ କରିବେ । ଏପରି ପରଂପରା ଦେଓଗାଁ ବ୍ଲକର କିଛି ଗାଁରେ ଚାଳିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିଧାୟକ ଓ ସାଂସଦ ପାଣ୍ଠିକୁ ପଛରେ ପକାଇ ମଦ କୁଚିଆ ଠାରୁ ବେଶି ଆଶା କରାଯାଉଥିବା ବିଭିନ୍ନ ଗାଁରେ ଦେଖିବାକୁ ମିଳୁଛି । ଦେଓଗାଁ ବ୍ଳକରେ ଅଛି ୩ଟି ସ୍ୱିକୃତୀ ପ୍ରାପ୍ତ ଦେଶୀ ମଦ ଭାଟି । ଏହି ମଦ ଭାଟି ସ୍ୱୀକୃତି ପାଇବା ପୂର୍ବରୁ ସରକାରଙ୍କ ଠାରେ ଚୁକ୍ତି ହୋଇଛି କି ପ୍ରତିଦିନ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ କେବଳ ଭାଟିର କାଉଣ୍ଟରରେ ମଦ ବିକ୍ରୟ କରାଯିବ । ଜଣ ପ୍ରତି ନିର୍ଦ୍ଧାରିତ ମଦ ଠାରୁ ଅଧିକ ଦିଆଯିବ ନାହିଁ । ଯେଉଁ ବ୍ୟକ୍ତି ଭାଟିକୁ ଆସିବେ ସେହି ହିଁ ମଦ ପାଇବେ ବୋଲି ସରକାରଙ୍କ ଠାରେ ଚୁକ୍ତି କରିଥିବା ବେଳେ ସବୁ ଚୁକ୍ତିକୁ ଖୁଳମଖୋଳା ଖିଲାପ କରାଯାଉଛି । କୁଚିଆ ମଦ ବିକ୍ରୟ କରାଯାଉଥିବା ୯୦ ପ୍ରତିଶତ ଗାଁରେ ଭାଟି ଅନୁଦାନରେ ପୂଜା, ପାର୍ବଣ, ଜାନି ଯାତ୍ରା ସହାୟକ ହେଉଛି । ଅନ୍ୟପକ୍ଷରେ ଗାଁର ବରିଷ୍ଠ ଲୋକଙ୍କ ଦ୍ୱାରା ଚୟନ କରାଯାଉଥିବା ଲୋକଙ୍କୁ ଗାଁରେ ମଦ ବିକ୍ରୟ କରିବା ପାଇଁ ସୁଯୋଗ ଦିଆଯାଉଛି । ଏଭଳି ଘଟଣା ଦେଖିଲେ ଲାଗୁଛି ସତେ ଯେପରି ଗ୍ରାମାଞ୍ଚଳରେ ମଦ ବିକିବାକୁୁ ଟେଣ୍ଡର ହେଉଛି ଯେ, ଯେଉଁ ମଦ ବ୍ୟବସାୟୀ ଗାଁକୁ ଅଧିକ ଟଙ୍କା ଚାନ୍ଦା ଦେବ ସେ ବର୍ଷେ ପାଇଁ ଗାଁରେ ମଦ ବିକ୍ରୟ କରିବ । ଅନ୍ୟଥା ଖିଲାପି କଲେ ମହିଳା ଗୋଷ୍ଠି ଦ୍ୱାରା ମଦ ବିରୋଧି ଆନ୍ଦୋଳନ ଆରମ୍ଭ ହେଉଛି । ଏହା ଦ୍ୱାରା ଆଗାମୀ ଦିନରେ କିପରି ସମାଜ ତିଆରି ହେବ ତାହା ସହଜରେ ଅନୁମେୟ । ସୂଚନା ଯୋଗ୍ୟ ଯେ, ଦେଓଗାଁ ବ୍ଳକର ସାରସବାହାଲ, ଘୁଡ଼ଖାପଲା ଓ ବନ୍ଧପଡ଼ାରେ ଅଛି ସ୍ୱିକୃତୀ ପ୍ରାପ୍ତ ମଦ ଭାଟି । ଦେଓଗାଁ ବ୍ଳକରେ ବିଦେଶୀ ମଦ ଭାଟି ସଂଖ୍ୟା ଶୂନ । ବଲାଙ୍ଗୀର, ତୁଷୁରା ଓ ସଇଁନ୍ତଳାରୁ ବିଦେଶୀ ମଦ ପ୍ରତିଦିନ ଦେଓଗାଁ ବ୍ଳକକୁ ଲକ୍ଷ ଲକ୍ଷ ଟଙ୍କାର ଆସିଥାଏ । ସ୍ୱିକୃତୀ ପ୍ରାପ୍ତ ମଦ ଭାଟିଗୁଡ଼ିକରୁ ପ୍ରତ୍ୟେକ ଗାଁକୁ ହଜାର ହଜାର ପାଉଚ ପ୍ରତିଦିନ କୁଚିଆ ମାଧ୍ୟମରେ ଯାଇଥାଏ । ଏହି ବ୍ୟବସ୍ଥାକୁ ସରକାରୀ ସ୍ୱିକୃତୀ ମିଳି ନଥିବାରୁ ନାଟକୀୟ ଅଭିନୟରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି କେସ୍‌ କରିବା କିମ୍ବା ଅର୍ଥ ଆଦାୟ କରି ଛାଡ଼ି ଦେବାରୁ ବ୍ୟବସାୟ ପାଇଁ ନବୀକରଣ ବୋଲି କିଛି ଭଦ୍ର ବ୍ୟକ୍ତି ଅକ୍ଷେପ କରିଥାନ୍ତି ।

Leave A Reply

Your email address will not be published.