ଭୁବନେଶ୍ୱରରେ ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ ୨୦୨୫ ଉଦଯାପିତ

  • ଜୀବିକାକୁ ସୁଦୃଢ଼ କରିବା ଏବଂ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ଡିଜାଇନ୍ ନବସୃଜନ, ଡିଜିଟାଲ୍ ସଶକ୍ତିକରଣ ଓ ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ବିଚାର-ବିମର୍ଶ

ଭୁବନେଶ୍ୱର, (ପିଆଇବି) : ଜାତୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ସମ୍ମିଳନୀ ୨୦୨୫ ଭୁବନେଶ୍ୱରରେ ଉଦଯାପିତ ହୋଇଯାଇଛି । ଭାରତର ହସ୍ତଶିଳ୍ପ କ୍ଷେତ୍ରକୁ ବିକଶିତ ଭାରତ ୨୦୪୭ର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ଭାବରେ ପ୍ରତିଷ୍ଠା କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ନେଇ ସମ୍ମିଳନୀରେ ବିଚାରବିମର୍ଶ କରାଯାଇଛି । ବୟନ ମନ୍ତ୍ରଣାଳୟର ଉନ୍ନୟନ କମିଶନର (ହସ୍ତତନ୍ତ) ଏବଂ ଉନ୍ନୟନ କମିଶନର (ହସ୍ତଶିଳ୍ପ)ଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ବରିଷ୍ଠ ଅଧିକାରୀ, ନୀତି ନିର୍ଦ୍ଧାରକ ଏବଂ କ୍ଷେତ୍ର ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ସେମାନେ ଭାରତର ହସ୍ତଶିଳ୍ପ ଏବଂ ଏହି ଶିଳ୍ପର ଅଭିବୃଦ୍ଧି ପାଇଁ ଏକୀକୃତ ଦୃଷ୍ଟିକୋଣ ପ୍ରସ୍ତୁତ କରିବା ନେଇ ଆଲୋଚନା କରିଛନ୍ତି । ଆଲୋଚନା ଦୁଇଟି ପ୍ରମୁଖ ଉଦ୍ଦେଶ୍ୟ ଉପରେ କେନ୍ଦ୍ରିତ ଥିଲା: ହସ୍ତଶିଳ୍ପ ଅର୍ଥବ୍ୟବସ୍ଥାର ବର୍ତ୍ତମାନର ଦୃଶ୍ୟପଟ ମୂଲ୍ୟାଙ୍କନ ସହିତ ରାଜ୍ୟଗୁଡ଼ିକ ବ୍ୟାପକ ଅଂଶଗ୍ରହଣ, ସମନ୍ୱିତ ପ୍ରଶାସନ ଓ ଦୀର୍ଘସ୍ଥାୟୀ କ୍ଷେତ୍ରୀୟ ବିକାଶ ପାଇଁ ଲକ୍ଷ୍ୟ ରଖି ଆଗାମୀ ଜାତୀୟ ଯୋଜନାର ଢାଞ୍ଚା ଗଠନ । ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ଶ୍ରୀମତୀ ନୀଲମ ଶାମି ରାଓ ଆଜି ସମ୍ମିଳନୀର ଦ୍ୱିତୀୟ ଦିନରେ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ଓଡ଼ିଶା ସରକାରଙ୍କ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ସଚିବ ତଥା କମିଶନନ ଶ୍ରୀମତୀ ପୁନମ ଗୁହା ତାପସ କୁମାର ଉପସ୍ଥିତି ଥିଲେ । ଶ୍ରୀମତୀ ନୀଲମ ଶାମି ରାଓ ତାଙ୍କ ଅଭିଭାଷଣରେ, ଉତ୍ପାଦକତା ବୃଦ୍ଧି କରିବା ଏବଂ କଠିନ ପରିଶ୍ରମ କମାଇବା ପାଇଁ ପାରମ୍ପରିକ କାରିଗରୀକୁ ଆଧୁନିକ ଉପକରଣ ସହିତ ସନ୍ତୁଳିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସଚିବ ଜାତୀୟ ଫ୍ୟାଶନ୍ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନଆଇଏଫଟି) ଏବଂ ଭାରତୀୟ ହସ୍ତତନ୍ତ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଏଚଟି) ଭଳି ପ୍ରତିଷ୍ଠାନଗୁଡ଼ିକୁ ବଜାର ଚକ୍ର ପୂର୍ବରୁ ଡିଜାଇନ୍ ଏବଂ ରଙ୍ଗର ଧାରାକୁ ନେଇ ପୂର୍ବାନୁମାନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଅନୁରୋଧ କରିଥିଲେ । ଆନ୍ତଃରାଜ୍ୟ ସମନ୍ୱୟର ଗୁରୁତ୍ୱ ଉପରେ ଆଲୋକପାତ କରି, ସେ ହସ୍ତଶିଳ୍ପ କ୍ଷେତ୍ରରେ ଦକ୍ଷ ଯୋଗାଣ ଶୃଙ୍ଖଳ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସାରା କଞ୍ଚାମାଲର ସୁଗମ ପରିବହନ ପାଇଁ ଆହ୍ୱାନ କରିଥିଲେ । ସେ କହିଥିଲେ, ଆମେ ପ୍ରୋତ୍ସାହନ ଦେଉଥିବା ପରିବେଶକୁ ସୁରକ୍ଷିତ ରଖିବାକୁ ହେବ । ହସ୍ତତନ୍ତ ଓ ହସ୍ତଶିଳ୍ପକୁ ଆମ ଅର୍ଥବ୍ୟବସ୍ଥାର ପାରିପାର୍ଶ୍ୱିକ ଅଂଶବିଶେଷ ନୁହେଁ ବରଂ ଭବିଷ୍ୟତର ଅଗ୍ରଣୀ ଉତ୍ପାଦ ରୂପେ ଦେଖିବାକୁ ହେବ । ଏଭଳି ସମ୍ମିଳନୀ ପ୍ରତି ଛଅମାସରେ ଥରେ ଆୟୋଜନ କରାଗଲେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ନିରନ୍ତର ଆଲୋଚନା ହୋଇପାରିବ । ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ସହିତ ସମନ୍ୱିତ ଏକ ସ୍ଥିର, ସମାବେଶୀ ଏବଂ ନବସୃଜନ-ଚାଳିତ ହସ୍ତଶିଳ୍ପ ଅର୍ଥବ୍ୟବସ୍ଥାର ସହଭାଗୀ ଦୃଷ୍ଟିକୋଣ ହାସଲ କରିବା ପାଇଁ ନିରନ୍ତର ସମନ୍ୱୟ ଓ ସାମୟିକ ସମୀକ୍ଷା ଅତ୍ୟନ୍ତ ଜରୁରୀ । ଶ୍ରୀମତୀ ଅନୁ ଗର୍ଗ ହସ୍ତତନ୍ତର ସାଂସ୍କୃତିକ ଏବଂ ପରିବେଶଗତ ମୂଲ୍ୟକୁ ଦୋହରାଇବା ସହିତ କୋଟପାଡ ଏବଂ ଡୋଙ୍ଗରିଆ ଚଦରକୁ ଦୀର୍ଘସ୍ଥାୟୀ ଉଦାହରଣ ଭାବରେ ଉଲ୍ଲେଖ କରିଥିଲେ । ସେ କାରିଗରମାନଙ୍କୁ ଅଧିକ ସ୍ୱୀକୃତି (ଉତ୍ପାଦରେ ନାମ-ଟ୍ୟାଗିଂ ସମେତ), ବଜାର ଗବେଷଣା ଏବଂ ଉତ୍ପାଦ ଡିଜାଇନରେ ଯୁବ-ମୁଖୀ ତାଲିମ ପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ ସେ ଏକ ଦୀର୍ଘସ୍ଥାୟିତ୍ୱ ସେଲ୍ ଏବଂ କଠା ସିଲ୍କ ଭଳି ଇକୋ-ଟେକ୍ସଟାଇଲ୍ସର ପ୍ରୋତ୍ସାହନ ପାଇଁ ଯୋଜନାର ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ହସ୍ତତନ୍ତ ଉନ୍ନୟନ କମିଶନର ଡକ୍ଟର ଏମ. ବୀଣା ସହଯୋଗୀ ସଂଘୀୟ ବ୍ୟବସ୍ଥା, ଦକ୍ଷତା ଓ ଡିଜାଇନ ଉନ୍ନତିକରଣ, ମହିଳା ନେତୃତ୍ୱାଧୀନ ବିକାଶ, କ୍ଲଷ୍ଟର ଭିତ୍ତିଭୂମି, କଳାକାରଙ୍କ ପାଇଁ ସାର୍ବଜନୀନ ଆର୍ଥିକ ସମର୍ଥନ ଏବଂ ଜିଆଇ ସଂଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି କେନ୍ଦ୍ର ହସ୍ତଶିଳ୍ପ ଉନ୍ନୟନ କମିଶନର ଅମୃତ ରାଜ ପ୍ରଶାସନିକ ସଂସ୍କାର, ସୁଦୃଢ଼ ଡିଜିଟାଲ ପ୍ରଶାସନ, ଫଳାଫଳ ଆଧାରିତ କାର୍ଯ୍ୟକାରିତା, ତ୍ରିସ୍ତରୀୟ ଜାତୀୟ-ରାଜ୍ୟ-ଜିଲ୍ଲା ମଡେଲ ପ୍ରସ୍ତାବ ଦେଇଥିଲେ । ଗତକାଲି ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଜାତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ମିଳନୀକୁ ଉଦଘାଟନ କରିଥିଲେ । ସମ୍ମିଳନୀ ସହିତ, ଭୁବନେଶ୍ୱରରେ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଏକ ପାଭିଲିୟନ୍ ପ୍ରସ୍ତୁତ କରାଯାଇଥିଲା । ମନୋଜ ଆହୁଜାଙ୍କ ଦ୍ୱାରା ପାଭିଲିୟନ୍ ଉଦଘାଟନ କରାଯାଇଥିଲା । ସମ୍ମିଳନୀର ପ୍ରଥମ ଦିନରେ, ଛଅଟି ବିଷୟବସ୍ତୁ ଅଧିବେଶନ ଅନୁଷ୍ଠିତ ହୋଇଥିଲା ଯାହା ରାଜ୍ୟସ୍ତରୀୟ ନବସୃଜନ ଏବଂ ସାମଗ୍ରିକ କ୍ଷେତ୍ରୀୟ ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିବା ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ଉପରେ ଆଲୋକପାତ କରିଥିଲା । ପ୍ରତିନିଧିମାନେ ଓଡ଼ିଶାର ହସ୍ତଶିଳ୍ପ ଐତିହ୍ୟକୁ ଅନୁଭବ କରିବା ପାଇଁ କଳାଭୂମି, ବୟନିକା ଏବଂ ଉତ୍କଳିକା ଶୋ’ରୁମ୍ ପରିଦର୍ଶନ ମଧ୍ୟ କରିଥିଲେ । ସମ୍ମିଳନୀରେ ଦୁଇଦିନ ଧରି ଆଲୋଚନା କାରିଗର ଏବଂ ବୁଣାକାରମାନଙ୍କ ପାଇଁ ପରମ୍ପରାକୁ ପ୍ରଯୁକ୍ତିବିଦ୍ୟା ସହିତ ସନ୍ତୁଳିତ କରିବା ସହିତ ବିକଶିତ ଭାରତ ୨୦୪୭ର ଉଦ୍ଦେଶ୍ୟ ଅନୁରୂପ ଏହି କ୍ଷେତ୍ରରେ ବିକାଶକୁ ଆଗେଇ ନେବ । ଏହା ଏକ ସମନ୍ୱିତ, ସମାବେଶୀ ଏବଂ ନବସୃଜନ-ଚାଳିତ ପରିବେଶ ସୃଷ୍ଟି କରିବା ପାଇଁ ଏକ ମିଳିତ ଜାତୀୟ ପ୍ରତିବଦ୍ଧତାକୁ ପ୍ରତିଫଳନ କରିଛି ।

Leave A Reply

Your email address will not be published.