- ମୁଖ୍ୟାଂଶ
- ଭାରତ ଏବଂ ଇଏଫଟିଏ ୨୦୨୪ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ ବାଣିଜ୍ୟ ଏବଂ ଆର୍ଥିକ ଭାଗିଦାରୀ ରାଜିନାମା (ଟିଇପିଏ) ସ୍ୱାକ୍ଷର କରିଥିଲେ; ଏହା ୨୦୨୫ ମସିହା ଅକ୍ଟୋବର ୧ ତାରିଖରେ କାର୍ଯ୍ୟକାରୀ ହୋଇଥିଲା, ଯାହା ଚାରୋଟି ବିକଶିତ ୟୁରୋପୀୟ ରାଷ୍ଟ୍ର ସହିତ ଭାରତର ପ୍ରଥମ ଏଫଟିଏ ଥିଲା ।
- ଟିଇପିଏ ୧୫ ବର୍ଷ ମଧ୍ୟରେ ୧୦୦ ବିଲିୟନ ଆମେରିକୀୟ ଡଲାରର ନିବେଶ ଏବଂ ୧୦ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ, ଯାହା କୌଣସି ଭାରତୀୟ ଏଫଟିଏରେ ଏହି ପ୍ରକାରର ପ୍ରଥମ ଉତ୍ତରଦାୟୀ ପ୍ରତିଶ୍ରୁତି ।
- ଇଏଫଟିଏ ୯୨.୨% ଟାରିଫ୍ ଲାଇନ (ଭାରତର ରପ୍ତାନିର ୯୯.୬%)କୁ କଭର କରୁଥିବା ବେଳେ ଭାରତ ୮୨.୭% (ଇଏଫଟିଏର ରପ୍ତାନିର ୯୫.୩%) କଭର କରେ, ଯାହା ଦୁଗ୍ଧ, ସୋୟା, କୋଇଲା ଏବଂ କୃଷି ଭଳି ପ୍ରମୁଖ କ୍ଷେତ୍ରକୁ ସୁରକ୍ଷା ଦିଏ ।
- ଏହି ଚୁକ୍ତି ବଜାର ପ୍ରବେଶକୁ ବିସ୍ତାର କରିଥାଏ, ଉତ୍ପାଦନ ଏବଂ ନବସୃଜନକୁ ପ୍ରେରଣା ଦିଏ, ଏବଂ ପ୍ରଯୁକ୍ତିବିଦ୍ୟା ଓ ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରେ ।
- ନର୍ସିଂ, ଆକାଉଣ୍ଟାନ୍ସି ଏବଂ ସ୍ଥାପତ୍ୟ ଭଳି କ୍ଷେତ୍ରରେ ଡିଜିଟାଲ ବିତରଣ, ବାଣିଜ୍ୟିକ ଉପସ୍ଥିତି, ପେସାଦାର ଗତିଶୀଳତା ଏବଂ ପାରସ୍ପରିକ ସ୍ୱୀକୃତି ରାଜିନାମା (ଏମଆରଏ) ମାଧ୍ୟମରେ ସେବା ରପ୍ତାନୀ ଲାଭ କରିଥାଏ ।
ନୂଆଦିଲ୍ଲୀ, (ପିଆଇବି) : ୧୦ ମାର୍ଚ୍ଚ ୨୦୨୪ରେ ନୂଆଦିଲ୍ଲୀରେ ସ୍ୱାକ୍ଷରିତ ଭାରତ-ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ (ଇଏଫଟିଏ) ବାଣିଜ୍ୟ ଏବଂ ଆର୍ଥିକ ସହଭାଗୀତା ଚୁକ୍ତିନାମା (ଟିଇପିଏ) ୧ ଅକ୍ଟୋବର ୨୦୨୫ରେ କାର୍ଯ୍ୟକାରୀ ହୋଇଥିଲା, ଯାହା ଭାରତର ବାହ୍ୟ ବାଣିଜ୍ୟ ନୀତିରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା । ଇଏଫଟିଏ ହେଉଛି ଆଇସଲ୍ୟାଣ୍ଡ, ଲିଚେନଷ୍ଟାଇନ, ନରୱେ ଏବଂ ସ୍ୱିଜରଲ୍ୟାଣ୍ଡର ଆନ୍ତଃସରକାରୀ ସଂଗଠନ । ଏହା ଚାରୋଟି ବିକଶିତ ୟୁରୋପୀୟ ରାଷ୍ଟ୍ର ସହିତ ଭାରତର ପ୍ରଥମ ମୁକ୍ତ ବାଣିଜ୍ୟ ଚୁକ୍ତିନାମା, ଏବଂ ପରିମାଣ ଓ ଉଦ୍ଦେଶ୍ୟ ଦୃଷ୍ଟିରୁ ସବୁଠାରୁ ମହତ୍ୱାକାଂକ୍ଷୀ ଚୁକ୍ତିନାମା ମଧ୍ୟରୁ ଅନ୍ୟତମ । ଏହି ରାଜିନାମାରେ ଉତ୍ପାଦ ପାଇଁ ବଜାର ସୁବିଧା, ଉତ୍ପତି ସ୍ଥାନର ନିୟମ, ବାଣିଜ୍ୟ ସୁବିଧା, ବାଣିଜ୍ୟିକ ସମାଧାନ, ବୌଦ୍ଧିକ ସମ୍ପତ୍ତି ଅଧିକାର, ବାଣିଜ୍ୟ ଓ ଦୀର୍ଘସ୍ଥାୟୀ ବିକାଶ ଆଦି ୧୪ଟି ପ୍ରମୁଖ ଅଧ୍ୟାୟକୁ ସାମିଲ କରାଯାଇଛି । ଏହି ରାଜିନାମା ଆଗାମୀ ୧୫ ବର୍ଷ ମଧ୍ୟରେ ୧୦୦ ବିଲିୟନ ଡଲାର ନିବେଶ ସୁଯୋଗ ସହିତ ଭାରତରେ ପ୍ରାୟ ୧୦ ଲକ୍ଷ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିବ ।
ଟିଇପିଏ ଏକ ଆଧୁନିକ ଏବଂ ମହତ୍ୱାକାଂକ୍ଷୀ ଚୁକ୍ତିନାମା ଯାହା ଭାରତ ଦ୍ୱାରା ସ୍ୱାକ୍ଷରିତ କୌଣସି ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ପ୍ରଥମ ଥର ପାଇଁ ନିବେଶ ଏବଂ ନିଯୁକ୍ତି ସୃଷ୍ଟି ଉପରେ ଧ୍ୟାନ ଦେଇଛି । ଇଏଫଟିଏର ଅନୁଚ୍ଛେଦ ୭.୧ ମୁତାବକ ଆସନ୍ତା ଦଶ ବର୍ଷ ମଧ୍ୟରେ ଭାରତରେ ୫୦ ବିଲିୟନ ଏବଂ ଏହାର ପରବର୍ତ୍ତୀ ୫ ବର୍ଷରେ ଅତିରିକ୍ତ ୫୦ ବିଲିୟନ ଡଲାର ନିବେଶ କରାଯିବ। ନିବେଶ ସୁବିଧା ନିମନ୍ତେ ଗତ ଫେବୃଆରୀ ଠାରୁ ଏକ ଉତ୍ସର୍ଗୀକୃତ ଭାରତ-ଇଏଫଟିଏ ଡେସ୍କ ଖୋଲାଯାଇଛି ଯାହା ସମ୍ଭାବ୍ୟ ନିବେଶକଙ୍କୁ ଅକ୍ଷୟ ଶକ୍ତି, ଜୀବ ବିଜ୍ଞାନ, ଇଞ୍ଜିନିୟରିଂ, ଡିଜିଟାଲ ରୂପାନ୍ତରଣ କ୍ଷେତ୍ରରେ ସିଙ୍ଗଲ ୱିଣ୍ଡୋ ପ୍ଲାଟଫର୍ମ ଯୋଗାଇ ଦେବ । ଇଏଫଟିଏ ୯୨.୨% ଶୁଳ୍କ ଲାଇନରେ ଶୁଳ୍କ ରିହାତି ପ୍ରଦାନ କରିଥାଏ ଯାହା ଭାରତର ରପ୍ତାନିରେ ୯୯.୬% ଭାଗକୁ ସାମିଲ କରିଥାଏ । ଏହାର ଜବାବରେ ଭାରତ ୮୨.୭% ଟାରିଫ୍ ଲାଇନରେ ପ୍ରବେଶ ବିସ୍ତାର କରିଛି, ଯାହା ଦୃଢ଼ ସୁରକ୍ଷା ସହିତ ଇଏଫଟିଏ ରପ୍ତାନିର ୯୫.୩% ଭାଗ ହାସଲ କରିଥାଏ । ଦୁଗ୍ଧ, ସୋୟା, କୋଇଲା, ଔଷଧ, ଚିକିତ୍ସା ଉପକରଣ ଏବଂ କିଛି ଖାଦ୍ୟ ଉତ୍ପାଦ ଭଳି ସମ୍ବେଦନଶୀଳ କ୍ଷେତ୍ରଗୁଡ଼ିକୁ ବାଦ ଦିଆଯାଇଛି ।
ଭାରତର ମୋଟ ମୂଲ୍ୟ ସଂଯୋଜିତ (ଜିଭିଏ) ରେ ସେବାଗୁଡିକ ୫୫% ରୁ ଅଧିକ ଅବଦାନ ରଖେ ଏବଂ ଟିଇପିଏ ଜ୍ଞାନ ଓ ଡିଜିଟାଲ୍ ସେବାରେ ପରବର୍ତ୍ତୀ ପିଢ଼ିର ବାଣିଜ୍ୟ ପାଇଁ ଏକ ମଞ୍ଚ ପ୍ରଦାନ କରେ । ଭାରତ ୧୦୫ ଉପ-କ୍ଷେତ୍ର ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ବେଳେ ଇଏଫଟିଏ ସ୍ୱିଜରଲ୍ୟାଣ୍ଡରୁ ୧୨୮, ନରୱେରୁ ୧୧୪, ଆଇସଲ୍ୟାଣ୍ଡରୁ ୧୧୦ ଏବଂ ଲିଚେନଷ୍ଟାଇନ୍ରୁ ୧୦୭ କ୍ଷେତ୍ର ପ୍ରଦାନ କରେ । ଏଥିରେ ଆଇଟି ଏବଂ ବ୍ୟବସାୟ ସେବା, ଶିକ୍ଷା, ଗଣମାଧ୍ୟମ, ସାଂସ୍କୃତିକ ଏବଂ ବୃତ୍ତିଗତ ସେବା ଭଳି ପ୍ରମୁଖ ଭାରତୀୟ କ୍ଷେତ୍ର ଅନ୍ତର୍ଭୁକ୍ତ ।
ଟିଇପିଏର ଏକ ପ୍ରମୁଖ ବ୍ୟବସ୍ଥା ହେଉଛି ନର୍ସିଂ, ଚାଟାର୍ଡ ଆକାଉଣ୍ଟାନ୍ସି ଏବଂ ସ୍ଥାପତ୍ୟ ଭଳି ବୃତ୍ତିରେ ପାରସ୍ପରିକ ଚିହ୍ନଟ ଚୁକ୍ତିନାମା (ଏମଆରଏ) ଅନ୍ତର୍ଭୁକ୍ତ କରିବା, ଯାହା ବୃତ୍ତିଗତ ଗତିଶୀଳତାକୁ ସୁଗମ କରିବା ଦିଗରେ ଏକ ପଦକ୍ଷେପ । ଟିଇପିଏ ମଧ୍ୟ ଆଇଟି ଏବଂ ବ୍ୟବସାୟ ସେବା, ସାଂସ୍କୃତିକ ଓ ମନୋରଞ୍ଜନ, ଶିକ୍ଷା ଓ ଅଡିଓଭିଜୁଆଲ୍ ସେବା ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତୀୟ ସେବା ରପ୍ତାନିକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ସେବାର ଡିଜିଟାଲ ବିତରଣ, ବ୍ୟବସାୟିକ ଗତିବିଧି, ଦକ୍ଷ ପେସାଦାରଙ୍କ ପ୍ରବେଶ ଏବଂ ଅସ୍ଥାୟୀ ପ୍ରବାସ ଲାଗି ନିଶ୍ଚିତତା ଜରିଆରେ ଇଏଫଟିଏର ସେବା ପ୍ରତିବଦ୍ଧତା ଉନ୍ନତ ବଜାର ସୁବିଧା ପ୍ରଦାନ କରିଥାଏ । ଜନସ୍ୱାସ୍ଥ୍ୟ ଏବଂ ଜେନେରିକ କ୍ଷେତ୍ରରେ ଭାରତର ନମନୀୟତାକୁ ସୁରକ୍ଷିତ ରଖି ଟିଇପିଏ ବୌଦ୍ଧିକ ସମ୍ପତ୍ତି ଅଧିକାର କ୍ଷେତ୍ରରେ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରଦାନ କରିଥାଏ । ଏହା ମଧ୍ୟ ଉଭୟ ପକ୍ଷ ମଧ୍ୟରେ ନବସୃଜନ ଏବଂ ବିଶ୍ୱାସକୁ ସୁଦୃଢ଼ କରିଥାଏ । ଟିଇପିଏରେ ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ, ସାମାଜିକ ପ୍ରଗତି ଓ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଛି । ଏହା ବିଭିନ୍ନ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ । ଯନ୍ତ୍ରପାତି, ଜୈବିକ ରାସାୟନିକ ପଦାର୍ଥ, ବୟନ ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଭଳି କ୍ଷେତ୍ରର ଭାରତୀୟ ରପ୍ତାନିକାରୀମାନେ ଇଏଫଟିଏ ବଜାରରେ ଯଥେଷ୍ଟ ଉନ୍ନତ ପ୍ରବେଶ ପାଇବେ । ଏହା ପ୍ରତିଯୋଗିତାମୂଳକତା ବୃଦ୍ଧି କରିବ, ଅନୁପାଳନ ଖର୍ଚ୍ଚ ହ୍ରାସ କରିବ ଏବଂ ଭାରତୀୟ ଉତ୍ପାଦ ପାଇଁ ବଜାର ପ୍ରବେଶକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି ।
ଇଏଫଟିଏ ଦେଶଗୁଡ଼ିକ ବିଶ୍ୱର ୩% କଫି ଆମଦାନୀ କରିଥା’ନ୍ତି । ବର୍ତ୍ତମାନ କଫି ଜାତୀୟ ଉତ୍ପାଦ ଉପରେ ଶୂନ୍ୟ ଶୁଳ୍କ ଲାଗୁ ହୋଇଥିବାରୁ ଭାରତକୁ ସ୍ୱିଜରଲ୍ୟାଣ୍ଡ ଏବଂ ନରୱେ ଭଳି ଲାଭଜନକ ବଜାରରେ ପ୍ରବେଶ ମିଳିପାରିବ । ଶୁଳ୍କ ରିହାତି ଦ୍ୱାରା ଭାରତର ସାମୁଦ୍ରିକ ଉତ୍ପାଦ କ୍ଷେତ୍ରକୁ ମଧ୍ୟ ଲାଭ ମିଳିବ ।
ଶିଳ୍ପ ଏବଂ ଉତ୍ପାଦନ କ୍ଷେତ୍ରକୁ ମଧ୍ୟ ଲାଭ ମିଳିବ । ଇଏଫଟିଏ ସହିତ ଶିଳ୍ପ ସାମଗ୍ରୀ ରପ୍ତାନି ୨୦୨୪-୨୫ରେ ବାର୍ଷିକ ୧୮% ବୃଦ୍ଧି ପାଇ ୩୧୫ ନିୟୁତ ଡଲାରରେ ପହଞ୍ଚିଥିବାରୁ ଏହି କ୍ଷେତ୍ର ମଧ୍ୟ ଲାଭ ପାଇବ । ଏହାବ୍ୟତୀତ ବୟନ, ପୋଷାକ, ରତ୍ନ ଓ ଅଳଙ୍କାର ଆଦି କ୍ଷେତ୍ରରେ ମଧ୍ୟ ଭାରତୀୟ ଉତ୍ପାଦକୁ ଶୁଳ୍କମୁକ୍ତ ବଜାର ମିଳିବ । ଇଲେକ୍ଟ୍ରୋନିକ୍ସ ଏବଂ ସଫ୍ଟୱେର କ୍ଷେତ୍ରରେ ୧୦୦ ବିଲିୟନ ଆମେରିକୀୟ ଡଲାର ନିବେଶ ପ୍ରତିଶ୍ରୁତି ସହିତ ଭାରତକୁ ଉଚ୍ଚ ଆୟ ବର୍ଗର ୟୁରୋପୀୟ ବଜାରରେ ପ୍ରବେଶ ମିଳିବ ।
୯୫% ରସାୟନ, ପ୍ଲାଷ୍ଟିକ ଏବଂ ଆନୁସଙ୍ଗିକ ଉତ୍ପାଦ କ୍ଷେତ୍ରରେ ଭାରତୀୟ ଉତ୍ପାଦଗୁଡ଼ିକୁ ଶୂନ ପ୍ରତିଶତ କିମ୍ବା କମ୍ ଶୁଳ୍କ ପାଇଁ ଅନୁମତି ମିଳିଛି । ଏହା ଭାରତୀୟ ଶିଳ୍ପଗୁଡ଼ିକୁ ଲାଭ ପହଞ୍ଚାଇବ । ଟିଇପିଏ ଭାରତ ପାଇଁ କେବଳ ଏକ ବାଣିଜ୍ୟିକ ରାଜିନାମା ନୁହେଁ ଏହା ସହଯୋଗୀ ଦେଶ ମଧ୍ୟରେ ରଣନୀତିକ ବିଶ୍ୱାସର ପ୍ରତୀକ । ଏହା ଭାରତକୁ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଭରସାଯୋଗ୍ୟ ଭାଗିଦାର କରିଛି । ଏହି ରାଜିନାମା ନିବେଶ, ନିଯୁକ୍ତି, ପ୍ରଯୁକ୍ତି ଓ ଦୀର୍ଘସ୍ଥାୟିତ୍ୱ ପାଇଁ ମାର୍ଗ ପ୍ରଶସ୍ତ କରିଛି ।