ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦ୍ଵିତୀୟ ଭାରତୀୟ ମତ୍ସ୍ୟ ଆଉଟ-ଲୁକ୍ ଜାତୀୟସ୍ତରୀୟ ସମାରୋହର ଦ୍ୱିତୀୟ ଦିବସରେ ମାନ୍ୟବର ବାଣିଜ୍ୟ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ମତ୍ସ୍ୟଚାଷୀମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲଣ୍ଡାଠାରେ ଅବସ୍ଥାପିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଡିଟୋରିୟମରେ ଆୟୋଜିତ ଦ୍ୱିତୀୟ ଦିବସର କର୍ମଶାଳା ଏବଂ ମତ୍ସ୍ୟ ସମ୍ପଦର ବିକାଶ ଅଭିବୃଦ୍ଧି ସମ୍ପର୍କିତ ଜ୍ଞାନ କୌଶଳ ପ୍ରଶିକ୍ଷଣ ଓ ପ୍ରଦର୍ଶନୀମେଳା ସମାରୋହରେ ମତ୍ସ୍ୟ ବିଜ୍ଞାନ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ ଭଲ କୁଶଳୀ ଅଭିଜ୍ଞତା ସମ୍ପନ୍ନ ସଫଳ ବ୍ୟବସାୟୀ, ଉଦ୍ୟୋଗୀ ଅବା ସରକାରୀ ସଂସ୍ଥାନରେ ଭଲ ଚାକିରୀ କ୍ଷେତ୍ରରେ ନିୟୋଜନ ହେବା ଭଳି ସଦୁପଦେଶ ଦେଇଥିଲେ । ଏବଂ ମତ୍ସ୍ୟଚାଷୀଙ୍କୁ ଆଧୁନିକ ଜ୍ଞାନ କୌଶଳ ପ୍ରଶିକ୍ଷଣତା ମଧ୍ୟରେ ଜଣେ ଜଣେ ସଫଳ ବ୍ୟବସାୟୀ, ଉଦ୍ୟୋଗୀ ହୋଇ ବିକାଶ ଓ ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବାକୁ ପରାମର୍ଶ ଦେଇ ଅଗଣିତ ମତ୍ସ୍ୟଚାଷୀ ଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ଗଞ୍ଜାମ ଜିଲ୍ଲାର ତିନିଜଣ ସଫଳମତ୍ସ୍ୟଚାଷୀଙ୍କ ସମେତ ବାଲେଶ୍ଵର ଜିଲ୍ଲାର ଦୁଇଜଣ ଏବଂ ବରିଷ୍ଠ ବୈଜ୍ଞାନିକଙ୍କୁ ତଥା ଅବସରପ୍ରାପ୍ତ କୁଳପତି ଜି.ଗୋପାଳ କୃଷ୍ଣନଙ୍କୁ ମଞ୍ଚ ଉପରେ ପୁରସ୍କୃତ କରି ସମ୍ମାନୀତ କରିଛନ୍ତି । ସେମାନେ ହେଲେ ମାଛ ଜାଆଁଳା ଉତ୍ପାଦନ ନିମନ୍ତେ ଦାନା ଦ୍ରବ୍ୟ ବିକ୍ରୀ କରି ସଫଳତାର ସହ ଜୀବିକା ନିର୍ବାହ କରି ଅନେକଙ୍କୁ କର୍ମନିଯୁକ୍ତି ଦେଇ ସ୍ୱାବଲମ୍ବନଶୀଳ କରାଇଆସିଥିବା ଛତ୍ରପୁରର ସଫଳ ଉଦ୍ୟୋଗୀ ସୁରେସନ ବେହେରା, ଗଞ୍ଜାମ ଜିଲ୍ଲାର ସୁକାନ୍ତ କୁମାର ପାଣିଗ୍ରାହୀ, ତ୍ରିନାଥ ପ୍ରଧାନ, ବାଲେଶ୍ଵର ଜିଲ୍ଲାର ଅଞ୍ଜନ କୁମାର ଦଣ୍ଡପାଟ୍, ଜଗବନ୍ଧୁ ବାଗ ଏବଂ ବରିଷ୍ଠ ବୈଜ୍ଞାନିକ ତଥା ସି.ଆଇ.ଏଫ୍.ଇ. (ମୁମ୍ବାଇ)ର ଅବସରପ୍ରାପ୍ତ କୁଳପତିଙ୍କୁ ଉପଢ଼ୌକନ ଦେଇ ମାନପତ୍ର ସହ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଦୁଇଦିନିଆ ଜାତୀୟସ୍ତରୀୟ ସମ୍ମୀଳନୀର ଦ୍ୱିତୀୟ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ (ହାଇଦ୍ରାବାଦ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼ଃ. ବିଜୟ କୁମାର ବେହେରା, ସିଫ୍ରି କୋଲକତାର ନିର୍ଦ୍ଦେଶକ ଡ଼ଃ. ବସନ୍ତ କୁମାର ଦାସ୍, ଅଧ୍ୟକ୍ଷ ସମ୍ପ୍ରସାରଣ ବିଭାଗ ଓୟୁଏଟି ଭୁବନେଶ୍ୱରର ପ୍ରଫେସର୍ ପ୍ରସନ୍ନଜିତ୍ ମିଶ୍ର, ଅଧ୍ୟକ୍ଷ ଗବେଷଣା ବିଭାଗ ପ୍ରଫେସର୍ ନିରଞ୍ଜନ ପଣ୍ଡା, ରଙ୍ଗେଇଲୁଣ୍ଡା (ବ୍ରହ୍ମପୁର) ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର୍ ସନ୍ତୋଷ କୁମାର ଉଦଗାତା ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ଗବେଷକ ଓ ମତ୍ସ୍ୟ ଉନ୍ନୟନ ଓ ବିଭିନ୍ନ ବର୍ଗର ବୈଜ୍ଞାନିକ ଗଣ ଯୋଗଦେଇ ମତ୍ସ୍ୟ ଚାଷୀ ଓ ବିଦ୍ୟାର୍ଥୀଙ୍କୁ ଅନେକ ଦିଗଦର୍ଶନ ଦେଇଥିଲେ । ଆୟୋଜିତ ଦ୍ୱିତୀୟ ଦିବସର ଏହି କାର୍ଯ୍ୟକ୍ରମରେ ଓୟୁଏଟି ଭୁବନେଶ୍ୱରର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଅଧ୍ୟକ୍ଷତା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ କର୍ମଶାଳା ଓ ପ୍ରଶିକ୍ଷଣ ଶିବିରରେ ଇ- ପୋଷ୍ଟର ପ୍ରଦର୍ଶନ ଏବଂ ପୂର୍ବତନ ପ୍ରାଧ୍ୟାପକ ପି. ସି. ଥୋମାସ୍, ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ସାବରମତୀ ପ୍ରମୁଖ ଏଥିରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।