
ନୂଆଦିଲ୍ଲୀ, (ପିଆଇବି) : ଦଶ ବର୍ଷ ପୂର୍ବେ, ଆମେ ପୂର୍ଣ୍ଣ ବିଶ୍ୱାସ ସହିତ ଏପରି ଏକ କ୍ଷେତ୍ରକୁ ଯାତ୍ରା ଆରମ୍ଭ କରିଥିଲୁ ଯେଉଁଠାକୁ ପୂର୍ବରୁ କେହି ଯାଇ ନଥିଲେ । ଭାରତୀୟମାନେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିପାରିବେ କି ନାହିଁ ତାହାକୁ ନେଇ ଅନେକ ଦଶନ୍ଧି ଧରି ଶଙ୍କା ବ୍ୟକ୍ତ କରାଯାଉଥିଲା । ଆମେ ସେହି ମାନସିକତାକୁ ପରିବର୍ତ୍ତନ କରିଛୁ ଏବଂ ଭାରତୀୟମାନଙ୍କ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାର କ୍ଷମତାରେ ବିଶ୍ୱାସ କରିଛୁ । ପ୍ରଯୁକ୍ତିବିଦ୍ୟାର ବ୍ୟବହାର କେବଳ ଧନୀ ଏବଂ ଗରିବଙ୍କ ମଧ୍ୟରେ ବ୍ୟବଧାନକୁ ଆହୁରି ଅଧିକ କରିବ ବୋଲି ଅନେକ ଦଶନ୍ଧି ଧରି ଯେଉଁ ମାନସିକତା ରହିଥିଲା ଆମେ ସେହି ମାନସିକତାକୁ ପରିବର୍ତ୍ତନ କରି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ବ୍ୟବଧାନକୁ ଦୂର କରିଛୁ । ଉଦ୍ଦେଶ୍ୟ ସଠିକ୍ ଥିଲେ ନବସୃଜନ ଅବହେଳିତ ଲୋକଙ୍କୁ ସଶକ୍ତ କରିଥାଏ । ଆଭିମୁଖ୍ୟ ସମାବେଶୀ ହେଲେ ପ୍ରଯୁକ୍ତିବିଦ୍ୟା ଗରିବ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରିଥାଏ । ଏହି ବିଶ୍ୱାସ ଡିଜିଟାଲ୍ ଇଣ୍ଡିଆର ମୂଳଦୁଆ ପାଲଟିଥିଲା । ଏହାର ବିସ୍ତାରକୁ ସାର୍ବଜନୀନ କରିବା, ସମନ୍ୱିତ ଡିଜିଟାଲ୍ ଭିତ୍ତିଭୂମି ନିର୍ମାଣ କରିବା ଏବଂ ସମସ୍ତଙ୍କ ପାଇଁ ସୁଯୋଗ ଉପଲବ୍ଧ କରାଇବାର ଏକ ମିଶନ ଆରମ୍ଭ ହୋଇଥିଲା । ୨୦୧୪ରେ, ଇଣ୍ଟରନେଟ୍ ଉପଲବ୍ଧତା ସୀମିତ ଥିଲା, ଡିଜିଟାଲ୍ ସାକ୍ଷରତା କମ୍ ଥିଲା, ଏବଂ ସରକାରୀ ସେବା ପାଇଁ ଅନଲାଇନ୍ ପ୍ରବେଶ ଅତ୍ୟନ୍ତ ସୀମିତ ଥିଲା । ଅନେକ ସନ୍ଦେହ କରୁଥିଲେ ଯେ ଭାରତ ଭଳି ବିଶାଳ ଏବଂ ବିବିଧ ଦେଶ ପ୍ରକୃତରେ ଡିଜିଟାଲ୍ ହୋଇପାରିବ କି ନାହିଁ । ଆଜି, ଏହି ପ୍ରଶ୍ନର ଉତ୍ତର ତଥ୍ୟ କିମ୍ବା ଡ୍ୟାସବୋର୍ଡରେ ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କ ଜୀବନରେ ଉପଲବ୍ଧ । ଶାସନଠାରୁ ଶିକ୍ଷା, କାରବାର ଏବଂ ଉତ୍ପାଦନ ପର୍ଯ୍ୟନ୍ତ, ଡିଜିଟାଲ ଇଣ୍ଡିଆ ସବୁଠି ରହିଛି । ଡିଜିଟାଲ ବିଭାଜନର ଦୂରୀକରଣ: ୨୦୧୪ରେ, ଭାରତରେ ପ୍ରାୟ ୨୫ କୋଟି ଇଣ୍ଟରନେଟ୍ ସଂଯୋଗ ଥିଲା । ଆଜି, ଏହି ସଂଖ୍ୟା ୯୭ କୋଟିରୁ ଅଧିକ ହୋଇଛି । ୪୨ ଲକ୍ଷ କିଲୋମିଟରରୁ ଅଧିକ ଅପ୍ଟିକାଲ୍ ଫାଇବର କେବୁଲ୍, ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଦୂରତାର ୧୧ ଗୁଣା, ବର୍ତ୍ତମାନ ସବୁଠାରୁ ଉପାନ୍ତ ଗ୍ରାମଗୁଡ଼ିକୁ ମଧ୍ୟ ସଂଯୋଗ କରୁଛି । ଭାରତରେ ୫ଜି ସେବା ବିଶ୍ୱର ସବୁଠାରୁ ଦ୍ରୁତତମ ସମୟ ମଧ୍ୟରେ କାର୍ୟ୍ୟକାରୀ ହୋଇଛି । ମାତ୍ର ଦୁଇ ବର୍ଷ ମଧ୍ୟରେ ୪.୮୧ ଲକ୍ଷ ବେସ୍ ଷ୍ଟେସନ୍ ସ୍ଥାପିତ ହୋଇଛି । ହାଇ-ସ୍ପିଡ୍ ଇଣ୍ଟରନେଟ୍ ବର୍ତ୍ତମାନ ସହରାଞ୍ଚଳ କେନ୍ଦ୍ରଗୁଡ଼ିକଠାରୁ ଆରମ୍ଭ କରି ଗଲୱାନ୍, ସିଆଚେନ୍ ଏବଂ ଲଦାଖ ଭଳି ସାମରିକ ପୋଷ୍ଟଗୁଡ଼ିକରେ ପହଞ୍ଚାଯାଇଛି । ଆମର ଡିଜିଟାଲ୍ ଭିତ୍ତିଭୂମି, ଇଣ୍ଡିଆ ଷ୍ଟାକ୍, ୟୁପିଆଇ ଭଳି ପ୍ଲାଟଫର୍ମକୁ ସକ୍ଷମ କରିଛି, ଯାହା ଏବେ ବାର୍ଷିକ ୧୦୦ ବିଲିୟନରୁ ଅଧିକ କାରବାର ପ୍ରକ୍ରିୟାକରଣ କରିଥାଏ । ବିଶ୍ୱର ମୋଟ ବାସ୍ତବ ସମୟ ବା ରିଅଲ୍-ଟାଇମ୍ ଡିଜିଟାଲ୍ କାରବାରର ପ୍ରାୟ ଅଧା ଭାରତରେ ହେଉଛି । ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ନାଗରିକମାନଙ୍କୁ ସିଧାସଳଖ ୪୪ ଲକ୍ଷ କୋଟି ଟଙ୍କାରୁ ଅଧିକ ହସ୍ତାନ୍ତର କରାଯାଇଛି । ଦଲାଲଙ୍କ ଭୂମିକାକୁ ଦୂର କରି ଏବଂ ୩.୪୮ ଲକ୍ଷ କୋଟି ଟଙ୍କାର ବାଟମାରଣାକୁ ବନ୍ଦ କରାଯାଇପାରିଛି । ସ୍ୱାମୀତ୍ୱ ଭଳି ଯୋଜନାଗୁଡ଼ିକ ୨.୪ କୋଟିରୁ ଅଧିକ ସମ୍ପତ୍ତି କାର୍ଡ ଜାରି କରିଛି ଏବଂ ୬.୪୭ ଲକ୍ଷ ଗ୍ରାମକୁ ମ୍ୟାପ୍ ଅଧୀନକୁ ଆଣିଛି । ଫଳରେ ବର୍ଷ ବର୍ଷ ଧରି ଜମି ସମ୍ପର୍କିତ ଅନିଶ୍ଚିତତାର ସମାପ୍ତି ହୋଇଛି । ସମସ୍ତଙ୍କ ପାଇଁ ସୁଯୋଗର ଉପଲବ୍ଧତା : ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥା ଏବେ ପୂର୍ବ ଅପେକ୍ଷା ଅଧିକ ଏମଏସଏମଇ ଏବଂ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ସଶକ୍ତ କରୁଛି । ଓଏନଡିସି (ଓପନ୍ ନେଟୱାର୍କ ଫର୍ ଡିଜିଟାଲ କମର୍ସ) ଏକ କ୍ରାନ୍ତିକାରୀ ପ୍ଲାଟଫର୍ମ ଯାହା ବିକ୍ରେତା ଏବଂ କ୍ରେତାଙ୍କୁ ଏକ ବିଶାଳ ବଜାର ସହିତ ସଂଯୋଗ କରି ନୂତନ ସୁଯୋଗର ଏକ ଦ୍ବାର ଖୋଲିଥାଏ । ଜିଇଏମ (ସରକାରୀ ଇ-ମାର୍କେଟପ୍ଲେସ୍) ସାଧାରଣ ଲୋକଙ୍କୁ ସରକାରଙ୍କ ସମସ୍ତ ବିଭାଗକୁ ସାମଗ୍ରୀ ଏବଂ ସେବା ବିକ୍ରୟ କରିବାକୁ ଅନୁମତି ଦିଏ । ଏହା କେବଳ ସାଧାରଣ ନାଗରିକଙ୍କୁ ଏକ ବିଶାଳ ବଜାର ପ୍ରଦାନ କରେ ନାହିଁ ବରଂ ସରକାରଙ୍କ ପାଇଁ ଟଙ୍କା ମଧ୍ୟ ସଞ୍ଚୟ କରେ । କଳ୍ପନା କରନ୍ତୁ: ଆପଣ ଅନଲାଇନରେ ମୁଦ୍ରା ଋଣ ପାଇଁ ଆବେଦନ କରିପାରୁଛନ୍ତି । ଆପଣଙ୍କର କ୍ରେଡିଟ ଯୋଗ୍ୟତା ଆକାଉଣ୍ଟ ଏଗ୍ରିଗେଟର ଫ୍ରେମୱାର୍କ ମାଧ୍ୟମରେ ମୂଲ୍ୟାଙ୍କନ କରାଯାଇପାରୁଛି । ଆପଣ ଋଣ ପାଉଛନ୍ତି, ଆପଣ ନିଜର ବ୍ୟବସାୟ ଆରମ୍ଭ କରନ୍ତି । ଆପଣ ଜିଇଏମରେ ପଞ୍ଜୀକରଣ କରିପାରୁଛନ୍ତି, ସ୍କୁଲ ଏବଂ ହସ୍ପିଟାଲଗୁଡ଼ିକୁ ଯୋଗାଣ କରୁଛନ୍ତି ଏବଂ ତା’ପରେ ଓଏନଡିସି ମାଧ୍ୟମରେ ଏହାକୁ ବୃଦ୍ଧି କରୁଛନ୍ତି । ଓଏନଡିସି ବର୍ତ୍ତମାନ ୨୦ କୋଟି କାରବାର ସୀମା ଅତିକ୍ରମ କରିଛି, ଯେଉଁଥିରେ ୬ ମାସରେ ୧୦ କୋଟି କାରବାର ହୋଇଛି । ବନାରସୀ ବୁଣାକାରଙ୍କଠାରୁ ନାଗାଲାଣ୍ଡର ବାଉଁଶ କାରିଗର ପର୍ଯ୍ୟନ୍ତ, ସବୁ କ୍ଷେତ୍ରର ବିକ୍ରେତାମାନେ ଏବେ ଦଲାଲଙ୍କ ବିନା ଦେଶବ୍ୟାପୀ ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁଛନ୍ତି । ଜିଇଏମ ୫୦ ଦିନରେ ୧ ଲକ୍ଷ କୋଟି ଟଙ୍କା ଜିଏମଭି ଅତିକ୍ରମ କରିଛି, ୧.୮ ଲକ୍ଷରୁ ଅଧିକ ମହିଳା ପରିଚାଳିତ ଏମଏସଏମଇ ସମେତ ୨୨ ଲକ୍ଷ ବିକ୍ରେତା ୪୬,୦୦୦ କୋଟି ଟଙ୍କାର ସାମଗ୍ରୀ ଯୋଗାଇଛନ୍ତି । ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି: ଭାରତର ବିଶ୍ୱ ଅବଦାନ : ଭାରତର ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ) – ଯେପରିକି ଆଧାର, କୋୱିନ, ଡିଜିଲକର, ଫାସଟ୍ୟାଗ, ପିଏମ-ବାଣୀ, ଏବଂ ଏକ ରାଷ୍ଟ୍ର ଏକ ସବସ୍କ୍ରିପସନ୍ – ବର୍ତ୍ତମାନ ବିଶ୍ୱ ସ୍ତରରେ ଗ୍ରହଣ କରାଯାଉଛି । କୋୱିନ ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନକୁ ସକ୍ଷମ କରିଛି, ଯାହା ୨୨୦ କୋଟି କ୍ୟୁଆର-ଯାଞ୍ଚ ପ୍ରମାଣପତ୍ର ପ୍ରଦାନ କରିଛି । ୫୪ କୋଟି ଉପଭୋକ୍ତା ଥିବା ଡିଜିଲକର ୭୭୫ କୋଟିରୁ ଅଧିକ ଡକ୍ୟୁମେଣ୍ଟକୁ ସୁରକ୍ଷିତ ଏବଂ ସୁଗମ ଭାବରେ ପରିଚାଳିତ କରୁଛି । ଭାରତ ଏହାର ଜି-୨୦ ଅଧ୍ୟକ୍ଷତା ସମୟରେ ଗ୍ଲୋବାଲ୍ ଡିପିଆଇ ରିପୋଜିଟୋରୀ ଏବଂ ୨୫ ନିୟୁତ ଡଲାରର ସାମାଜିକ ପ୍ରଭାବ ପାଣ୍ଠି ଆରମ୍ଭ କରିଛି, ଯାହାଦ୍ୱାରା ଆଫ୍ରିକା ଏବଂ ଦକ୍ଷିଣ ଏସିଆର ଦେଶଗୁଡ଼ିକୁ ସମନ୍ୱିତ ଡିଜିଟାଲ୍ ଇକୋସିଷ୍ଟମ ଗ୍ରହଣ କରି ପାରିବେ । ଷ୍ଟାର୍ଟଅପର ଶକ୍ତି ଏବଂ ଆତ୍ମନିର୍ଭର ଭାରତ : ଭାରତ ଏବେ ବିଶ୍ୱର ଶ୍ରେଷ୍ଠ ୩ ଷ୍ଟାର୍ଟଅପ୍ ଇକୋସିଷ୍ଟମ ମଧ୍ୟରେ ସାମିଲ ଏବଂ ଭାରତରେ ୧.୮ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ରହିଛନ୍ତି । କିନ୍ତୁ ଏହା କେବଳ ଏକ ଷ୍ଟାର୍ଟଅପ୍ ଆନ୍ଦୋଳନ ନୁହେଁ, ଏହା ଏକ ପ୍ରଯୁକ୍ତିବିଦ୍ୟା ପୁନର୍ଜାଗରଣ । ଭାରତ ଯୁବପିଢ଼ିଙ୍କ ମଧ୍ୟରେ ଏଆଇ ଦକ୍ଷତା ଏବଂ ଏଆଇ ପ୍ରତିଭାରେ ବହୁତ ଆଗକୁ ବଢ଼ୁଛି । ୧.୨ ବିଲିୟନ ଡଲାର ଭାରତ ଏଆଇ ମିଶନ ଅଧୀନରେ, ଭାରତ ବିଶ୍ୱ ସ୍ତରରେ ସବୁଠାରୁ ସର୍ବନିମ୍ନ ମୂଲ୍ୟରେ ୩୪,ହଜାର ଜିପିୟୁ ଉପଲବ୍ଧ କରାଇଛି । ପ୍ରତ୍ୟେକ ଜିପିୟୁ ଘଣ୍ଟା ପ୍ରତି ୧ ଡଲାରରୁ କମରେ ଉପଲବ୍ଧ । ଏହା ଭାରତକୁ କେବଳ ସବୁଠାରୁ ଶସ୍ତା ଇଣ୍ଟରନେଟ୍ ଅର୍ଥବ୍ୟବସ୍ଥା ନୁହେଁ ବରଂ ସବୁଠାରୁ ସୁଲଭ କମ୍ପ୍ୟୁଟିଂ ହବ୍ କରିଛି । ଭାରତ ମାନବିକତା ଆଧାରିତ ଏଆଇକୁ ସମର୍ଥନ କରିଛି । ଏଆଇ ଉପରେ ନୂଆଦିଲ୍ଲୀ ଘୋଷଣାନାମା ଦାୟିତ୍ୱ ସହିତ ନବସୃଜନକୁ ପ୍ରୋତ୍ସାହିତ କରେ । ସାରା ଦେଶରେ ଏଆଇ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଉଛି । ଆଗକୁ ଯିବାର ମାର୍ଗ : ଆଗାମୀ ଦଶନ୍ଧି ଆହୁରି ପରିବର୍ତ୍ତନକାରୀ ହେବ । ଆମେ ଡିଜିଟାଲ୍ ପ୍ରଶାସନ ଠାରୁ ଡିଜିଟାଲ୍ ନେତୃତ୍ୱ ଦିଗରେ ଆଗକୁ ବଢ଼ୁଛୁ । ଇଣ୍ଡିଆ ଫାଷ୍ଟରୁ ଇଣ୍ଡିଆ ଫର ଦି ୱାର୍ଲ୍ଡ ପର୍ଯ୍ୟନ୍ତ ଆମର ଯାତ୍ରା ଜାରି ରହିଛି । ଡିଜିଟାଲ ଇଣ୍ଡିଆ ଆଉ କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି । ଏହା ଏକ ଆତ୍ମନିର୍ଭର ଭାରତ ଗଠନ କରିବାରେ ସହାୟକ ହୋଇଛି ।
ସମସ୍ତ ଉଦ୍ଭାବକ, ଉଦ୍ୟୋଗୀଙ୍କ ପାଇଁ: ପରବର୍ତ୍ତୀ ଡିଜିଟାଲ ବିପ୍ଳବ ନିମନ୍ତେ ସମଗ୍ର ବିଶ୍ୱ ଭାରତକୁ ଚାହିଁ ରହିଛି । ଆସନ୍ତୁ ଯାହା ସଭିଙ୍କୁ ସଶକ୍ତ କରିବ ତାହା ନିର୍ମାଣ କରିବା । ଆସନ୍ତୁ ଏପରି ସମାଧାନ ବାହାର କରିବା ଯାହା ଗୁରୁତ୍ବପୂର୍ଣ୍ଣ । ଆସନ୍ତୁ ଆମେ ଏପରି ପ୍ରଯୁକ୍ତିବିଦ୍ୟା ସହିତ ନେତୃତ୍ୱ ନେବା ଯାହା ସମସ୍ତଙ୍କୁ ଏକତ୍ରିତ କରିବ, ଅନ୍ତର୍ଭୂକ୍ତୀକରଣକୁ ବଢ଼ାଇବ ଏବଂ ସାମଗ୍ରୀକ ବିକାଶ ଆଣିପାରିବ ।