ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫-୨୬ ବିପଣନ ବର୍ଷ ପାଇଁ ଝୋଟ ଚାଷୀଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)କୁ ଅନୁମୋଦନ କରିଛି । ୨୦୨୫-୨୬ ଉତ୍ପାଦନ ଋତୁ ପାଇଁ ଝୋଟ (ଟିଡି-୩ ଗ୍ରେଡ୍)ର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୫,୬୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାଦ୍ୱାରା ସର୍ବଭାରତୀୟ ସ୍ତରରେ ହାରାହାରି ଉତ୍ପାଦନ ଖର୍ଚ୍ଚ ଉପରେ ୬୬.୮ ପ୍ରତିଶତ ଲାଭ ସୁନିଶ୍ଚିତ ହୋଇଛି । ୨୦୧୮-୧୯ ବଜେଟ୍ ଘୋଷଣା ଅନୁସାରେ ଝୋଟ ବିପଣନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଅତିକମରେ ସର୍ବ ଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣ ହେବା ଆବଶ୍ୟକ । ଏହି ନୀତି ଅନୁସାରେ ୨୦୨୫-୨୬ ବିପଣନ ଋତୁ ପାଇଁ ଏମ୍ଏସ୍ପି ଅନୁମୋଦିତ ହୋଇଛି । ବିପଣନ ବର୍ଷ ୨୦୨୫-୨୬ ପାଇଁ ଝୋଟର ଏମ୍ଏସ୍ପି ପୂର୍ବ ୨୦୨୪-୨୫ ବିପଣନ ବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୩୧୫ ଟଙ୍କା ବୃଦ୍ଧି ପାଇଛି । ଭାରତ ସରକାର ୨୦୧୪-୧୫ରେ ଝୋଟର ଏମ୍ଏସ୍ପି କୁଇଣ୍ଟାଲ ପିଛା ୨୪୦୦ ଟଙ୍କା ପ୍ରଦାନ କରୁଥିଲେ । ୨୦୨୫-୨୬ରେ କ୍ୱିଣ୍ଟାଲ ପିଛା ଏହି ସହାୟତା ମୂଲ୍ୟ କ୍ୱିଣ୍ଟାଲ ପିଛା ୫,୬୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି, ଯାହା ୨୦୨୪-୨୫ ବିପଣନ ବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୩୨୫୦ ଟଙ୍କା (୨.୩୫ ଗୁଣ) ଅଧିକ । ଏହା ସ୍ୱୟଂ ଏକ ରେକର୍ଡ ସୃଷ୍ଟି କରିଛି । ପ୍ରତିବର୍ଷ ଭାରତ ସରକାରଙ୍କ ପକ୍ଷରୁ ଝୋଟ ଚାଷୀଙ୍କୁ ପ୍ରଦାନ କରାଯାଉଥିବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଅନୁଶୀଳନ କଲେ ଜଣାଯାଏ ଯେ, ୨୦୦୪-୦୫ରୁ ୨୦୧୩-୧୪ ମଧ୍ୟରେ ୪୪୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ୨୦୧୪-୧୫ରୁ ୨୦୨୪-୨୫ ମଧ୍ୟରେ ଝୋଟ ଉତ୍ପାଦନକାରୀଙ୍କୁ ଏମ୍ଏସ୍ପି ରାଶି ଭାବେ ୧୩୦୦ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଆମ ଦେଶରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୪୦ ଲକ୍ଷ ଚାଷୀ ପରିବାର ଜୀବିକା ଭାବେ ଝୋଟ ଶିଳ୍ପ ଉପରେ ନିର୍ଭର କରନ୍ତି । ପ୍ରାୟ ୪ ଲକ୍ଷ ଶ୍ରମିକ ଝୋଟ ମିଲଗୁଡ଼ିକରେ ସିଧାସଳଖ ନିଯୁକ୍ତି ପାଇଛନ୍ତି ଏବଂ ବ୍ୟବସାୟ କରନ୍ତି । ଗତବର୍ଷ ୧ ଲକ୍ଷ ୭୦ ହଜାର ଚାଷୀଙ୍କଠାରୁ ଝୋଟ କିଣାଯାଇଥିଲା । ଝୋଟ ଚାଷୀଙ୍କ ମଧ୍ୟରୁ ୮୨% ପଶ୍ଚିମବଙ୍ଗର ହୋଇଥିବା ବେଳେ ଆସାମ ଓ ବିହାରରେ ଦେଶର ଅନ୍ୟ ୧୮ ପ୍ରତିଶତ ଅର୍ଥାତ୍ ୯% ଲେଖାଏଁ ଚାଷୀ ଝୋଟ ଚାଷ ସହ ସମ୍ପୃକ୍ତ ରହିଛନ୍ତି । ଝୋଟ ଚାଷ କ୍ଷେତ୍ରରେ ସହାୟକ ମୂଲ୍ୟ କାର୍ଯ୍ୟ ସହ ଯଦି କିଛି ଚାଷୀଙ୍କ କ୍ଷୟକ୍ଷତି ହୁଏ ତାହା ପରିଚାଳନା ଲାଗି ଭାରତୀୟ ଝୋଟ ନିଗମ (ଜେସିଆଇ) କେନ୍ଦ୍ର ସରକାରଙ୍କ ନୋଡାଲ ଏଜେନ୍ସି ଭାବରେ କାର୍ଯ୍ୟ କରିଆସୁଛି । ଏହି ଏଜେନ୍ସି ମାଧ୍ୟମରେ ଚାଷୀଙ୍କୁ ସହାୟତା ଓ ତାଙ୍କର କ୍ଷତିଭରଣା କେନ୍ଦ୍ର ସରକାର କରିଥାଆନ୍ତି ।